ଗଜପତି ପ୍ରଶାସନର ପଦକ୍ଷେପ ପରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ବର୍ଜନ
ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ମହିଳା ପ୍ରାର୍ଥୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କୋରାପୁଟର କୋଟିଆ ପରେ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାଦଦେଶରେଥିବା ୬ଗୋଟି ରାଜସ୍ୱ ଗ୍ରାମରେ ଆନ୍ଧ୍ର ଅନାଧିକାର ପ୍ରବେଶ କରି ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ନିର୍ବଚନରେ ଗଜପତିର ମାଣିକପାଟଣା ଗ୍ରାମର ଜଣେ ମହିଳା ୱାର୍ଡ ମେମ୍ବର ଭାବେ ପ୍ରାର୍ଥୀପତ୍ର ଦାଖଲ କରି ଆନ୍ଧ୍ରର ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦିତା କରିଥିଲେ । ଏହି ୬ ଗୋଟି ଗ୍ରାମରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନର ବିଭିନ୍ନ ପ୍ରାର୍ଥୀ ବ୍ୟାପକ ପ୍ରଚାର ଚଳାଇବା ସହ ବିଭିନ୍ନ ପୋଷ୍ଟର, ବ୍ୟାନେର ଓ ପତାକା ଆଦି ଲଗାଇଥିଲେ । ଏହି ସବୁ ଖବର ଗଜପତି ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ôଚବା ପରେ ଆନ୍ଧ୍ରର ଅପଚେଷ୍ଟାକୁ ଗଜପତି ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଛନ୍ତି । ସେହିପରି ନିର୍ବାଚନରେ ଭାଗ ନେଇଥିବା ମହିଳା ଜଣକ ମଧ୍ୟ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶ କ୍ରମେ ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ନେତୃତ୍ୱରେ ପ୍ରଶାସନିକ ଅଧିକାରୀ ଓ ପୋଲିସର ଟିମ୍ ଗଙ୍ଗାବାଡ ପଞ୍ଚାୟତର ଗଙ୍ଗାବାଡ, ମାଣିକପାଟଣା, ଆମରିଙ୍ଗି, ବୁରୁସିଂ, ଗୁଡୁଗୁଡି, ମାଧ୍ୟାଆଖାଲ ଆଦି ଗ୍ରାମ ଗୁଡିକରେ ଗତକାଲି ଠାରୁ ପାଦଚଲାରେ ପହଂଚି ଲୋକଙ୍କ ସହ ଆଲୋଚନା କରିବା ସହ ଆନ୍ଧ୍ରର ଏଭଳି ଷଡଯନ୍ତ୍ର ଓ ଅନାଧିକାର ପ୍ରବେଶ ନେଇ ସମସ୍ତଙ୍କୁ ବୁଝାଇବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହୋଇ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ବୁଝାଇବା ପରେ ଗ୍ରାମବାସୀମାନେ ଏଥିରେ ରାଜି ହୋଇଥିବା ସୂଚନା ମିଳିଛି । ଅପରପକ୍ଷରେ ମାଣିକପାଟଣା ଗ୍ରାମର ସାବା ୱାର୍ଡ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ଲକ୍ଷ୍ମୀ ଶବର ପ୍ରଶାସନର ଆଲୋଚନା ପରେ ଏକମତ ହୋଇ ଆଜି ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ଏଥି ସହ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ ତହସିଲଦାରଙ୍କ ଦ୍ୱାରା ଆନ୍ଧ୍ର ମଞ୍ଜୁଷା ମଣ୍ଡଳ ରେଭିନ୍ୟୁ ଅଧିକାରୀଙ୍କୁ ଓଡିଶାର ରାଜସ୍ୱ ଗ୍ରାମରେ ଅନାଧିକାର ପ୍ରବେଶ ଓ ଜବରଦସ୍ତି ନିର୍ବାଚନ ପରିଚାଳନା କରିବା ଅଭିଯୋଗରେ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି । ଉପଜିଲ୍ଲାପାଳ ଶ୍ରୀ ପଣ୍ଡା କହିଛନ୍ତି, ଆନ୍ଧ୍ର ପ୍ରଶାସନ ଓଡିଶାର ରାଜସ୍ୱ ଗ୍ରାମଗୁଡିକରେ ଏଭଳି ହୀନ ଉଦ୍ଦ୍ୟମ କରିବା ନିନ୍ଦନୀୟ ଅଟେ । ଆଗାମୀ ଦିନରେ ଏଭଳି ଘଟଣା ଗୁଡିକରୁ ଆନ୍ଧ୍ର ପ୍ରଶାସନ ନିବୃତ ନହରିଲେ ଗଜପତି ପ୍ରଶାସନ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ।


