ହାଇଟେକଦ୍ୱାରା ଗଜପତିରେ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ସ୍ୱତନ୍ତ୍ର ଡାକ୍ତରଖାନା

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ହାଇଟେକ୍ ଦ୍ୱାରା ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ସ୍ୱତନ୍ତ୍ର ଡାକ୍ତରଖାନା ଅତି ଚଞ୍ଚଳ ଆରମ୍ଭ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ହାଇଟେକ୍ ମେଡିକାଲ କଲେଜ ସହ ଚୁକ୍ତିନାମା ଦ୍ୱାରା ସ୍ୱତନ୍ତ୍ର କୋଭିଡ୍‌-୧୯ ଡାକ୍ତରଖାନା ଗଜପତିରେ କରୋନାକୁ ପ୍ରତିହତ କରିବା ସହ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତିଷ୍ଠା ହେବ । ଏହା ପାରଳା ସହର ଉପକଣ୍ଠରେ ଥିବା ସିୟୁଟିଏମ୍‌ର ସୁବର୍ଣ୍ଣରେଖା ଛାତ୍ରାବାସରେ ଅସ୍ଥାୟୀ ଭାବେ ଆରମ୍ଭ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି । ହାଇଟେକ୍ ଦ୍ୱାରା ସମସ୍ତ ଆବଶ୍ୟକ ଯନ୍ତ୍ରପାତି, ଶଯ୍ୟା ଓ ସମସ୍ତ ଉପକରଣ ଗତକାଲି ରବିବାର ଦିନ ଠାରୁ ଭୁବନେଶ୍ୱରରୁ ଅଣାଯାଇ ଏଠାରେ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ସ୍ୱତନ୍ତ୍ର ଡାକ୍ତରଖାନା ଅତି ଚଞ୍ଚଳ ଆରମ୍ଭ ହେବାକୁ ପ୍ରସ୍ତୁତି ଚାଲିଛି । ଭୁବନେଶ୍ୱର ହାଇଟେକ୍ ମେଡିକାଲ କଲେଜରୁ ଏବଂ ସରକାରଙ୍କ ଦ୍ୱାରା ପ୍ରେରିତ ବହୁ ଅଭିଜ୍ଞ ଡାକ୍ତରଙ୍କ ସହ ଆବଶ୍ୟକ ସମସ୍ତ ଟେକ୍‌ନିସିଆନ୍ ଏବଂ ସ୍ୱାସ୍ଥ୍ୟ ସେବାରେ ସହାୟକ ହେଉଥିବା ସମସ୍ତ କର୍ମଚାରୀ ଅତି ତୁରନ୍ତ ଏଠାକୁ ଅସିବା ସ୍ଥିର ହୋଇଥିବା ସୁଚନା ମିଳିଛି । ଏହି ଡାକ୍ତରଖାନା ଏଠାରେ ଅସ୍ଥାୟୀ ଭାବେ ଆଗାମୀ ୬ମାସ ପର୍ଯନ୍ତ ଚାଲୁ ରହିବା ପାଇଁ ନିଷ୍ପତ୍ତି ହୋଇଛି । ହାଇଟେକ୍ ଗୃପର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ସୁଚନା ଦେଇଛନ୍ତି ଯେ, ଏହି କାର୍ଯ୍ୟକ୍ରମ ପାଇଁ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ରାଜ୍ୟ ସରକାର ଭିତ୍ତିଭୁମି ନିର୍ମାଣ ପାଇଁ ହାଇଟେକକୁ ସହଯାଗ କରିବେ ଏବଂ ଏହାର ଆର୍ଥିକ ଅନୁଦାନ ସି.ଏସ.ଆର ଯୋଜନାରେ ଓଡିଶାର ଏକ ଶିଳ୍ପ ଅନୁଷ୍ଠାନ ଦାନ କରିବ । ରାଉରକେଲା ଏବଂ ପାରଳାଖେମୁଣ୍ଡିରେ ୨ଶହ ଶଯ୍ୟା ବିଶିଷ୍ଟ ଏପରି ଭିତ୍ତିଭୁମି ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ହାଇଟେକକୁ ଦାୟିତ୍ୱ ଦେଇଥିବା ଯୋଗୁଁ ଏହାକୁ ନିଷ୍ଠାପର ଭାବେ କାର୍ଯ୍ୟକାରୀ କରିବାକୁ ପଡିବ ବୋଲି ଡ.ପାଣିଗ୍ରାହୀ କହିଛନ୍ତି ।୨ଶହ ଶଯ୍ୟା ବିଶିଷ୍ଟ ଏହି ସ୍ୱତନ୍ତ୍ର ଡାକ୍ତରଖାନା କୋଭିଡ-୧୯ ପଜିଟିଭ ବ୍ୟକ୍ତିମାନଙ୍କୁ ସଙ୍ଗରୋଧ ଭାବେ ରୋକିବା ଉଦ୍ଦେଶ୍ୟରେ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ କାର୍ଯ୍ୟ କରିବ । ଅତି ତୁରନ୍ତ ଗଜପତି ଜିଲ୍ଲାବାସୀଙ୍କୁ କରୋନା କବଳରୁ ମୁକ୍ତ ପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ଡାକ୍ତରଖାନା କାର୍ଯ୍ୟାରମ୍ଭ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ