ଗଜରାଜ ଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ବନବାସୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜିଥିଲା ହାତୀ ପାଇଁ ଦିନଟିଏ । ଗଜରାଜଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସ ୧୨ ତାରିଖଟିକୁ ବିଶ୍ୱ ହସ୍ତୀ ଦିବସ ରୂପେ ପାଳନ କରାଯାଇଥାଏ । ପରିବେଶ ସନ୍ତୁଳନରେ ହାତୀ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଏବେ ବିପଦରେ ଗଜରାଜ । କେତେବେଳେ ହାତୀ-ମଣିଷ ସଂଘର୍ଷ ଭିତରେ ଉଭୟଙ୍କ ଜୀବନ ଯାଉଛି ତ ଆଉ କେତେବେଳେ ବିଦ୍ୟୁତ୍ ଆଘାତରେ ତ ଆଉ କେତେବେଳେ ଟ୍ରେନ୍ ଧକ୍କାରେ ତ ଆଉ କେତେବେଳେ ଶିକାରୀ ଗୁଳିରେ ଜୀବନ ଯାଉଛି । ଯଦି କ୍ରମାଗତ ଭାବରେ ଏହିପରି ପ୍ରତ୍ୟେହ ଅଘଟଣ ଘଟି ଚାଲେ ତେବେ ଖୁବ୍ କମ୍ ଦିନରେ ଆମ ରାଜ୍ୟ ଗଜଶୂନ୍ୟ ହୋଇଯିବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହି ଦିବସ ପାଳନ ଅବସରରେ ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ରହିଥିବା ଆଦିବାସୀପଲ୍ଲୀ କନ୍ଦଳେଇଠାରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିବେଶବିତ୍ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବନବାସୀମାନେ ହାତୀମୁଖା ପିନ୍ଧି ନିଆରା ଢଙ୍ଗରେ ଜନ ସଚେତନତାର ବାର୍ତ୍ତା ବାଣ୍ଟିବା ସହ ଗଜରାଜଙ୍କ ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସଂପ୍ରତି ଜଙ୍ଗଲରେ ଖାଦ୍ୟାଭାବ ଯୋଗୁ ହାତୀ ଜନବସତି ମୁହାଁ ହେଉଛନ୍ତି । ଯଦ୍ୱାରା ଏମାନଙ୍କ ଜୀବନ ଅକାରଣେ ଚାଲିଯାଉଛି । ଖାଦ୍ୟ ଅଭାବ ଦୂର ପାଇଁ ଜଙ୍ଗଲରେ ସିଡ୍ସବଲ୍ ଅର୍ଥାତ୍ (ବିହନ ପେଣ୍ଡୁ) ମାଧ୍ୟମରେ ହାତୀର ପ୍ରିୟ ଖାଦ୍ୟ ଗଛ ସୃଷ୍ଟି ପାଇଁ ଏ ନେଇ ବନବାସୀମାନେ ସଂକଳ୍ପ ନେଇଥିଲେ । କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।