ଗଜଲକ୍ଷ୍ମୀ ପୂଜା ପାଇଁ ଟ୍ରାଫିକ୍ ନିୟମ କଡାକଡି ହେବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : ଆସନ୍ତା ୨୮ତାରିଖରୁ ନଭେମ୍ବରମାସ ୫ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଉତ୍ସବ କେନ୍ଦ୍ରାପଡା ସହରରେ ପାଳନ କରାଯିବ । ଏହି ପର୍ବକୁ ପ୍ରତିଦିନ ଦେଖିବା ପାଇଁ କେନ୍ଦ୍ରାପଡା ଟାଉନ ତଥା ଗ୍ରାମାଞ୍ଚଳରୁ ବହୁ ସଂଖ୍ୟାରେ ଲୋକ ସହରରେ ପହଞ୍ଚି ଏକତ୍ରିତ ହେବେ । ଏଥିନିମନ୍ତେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ସୁରକ୍ଷା ଓ ଟ୍ରାଫିକ ବନ୍ଦୋବସ୍ତ କରାଯାଇଛି । ଜନତା ଓ ହାଲୁକା ଯାନଗୁଡିକର ସୁଗମ ଯାତାୟତ ପାଇଁ କେନ୍ଦ୍ରାପଡା ସହରରେ ଟ୍ରାଫିକ୍ ନିୟମାବଳୀକୁ କଡାକଡି କରାଯାଇଛି । ସେହି ଅନୁଯାୟୀ ଗରାପୁରରୁ ସହର ମଧ୍ୟକୁ, ତିନିମୁହାଣୀଠାରୁ ଶ୍ୟାମସୁନ୍ଦରପୁରଗଡା ଏବଂ ଗୋପ ପାଶ୍ୱର୍ରୁ କୌଣସି ଭାରୀ ଯାନ ସହରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଦୁଇ ଚକିଆ ଯାନ, ରିକ୍ସା, ଟେମ୍ପୋ ଭଳି ହାଲୁକା ଯାନଗୁଡିକ ତିନିମୁହାଣୀରେ ସହର ମଧ୍ୟକୁ ପ୍ରବେଷ ପାଇଁ ଅନୁମତି ଦିଆଯିବ ଏବଂ ଗୋବରୀ ରିଙ୍ଗ ରୋଡ୍ ଦେଇ ନୂଆ ବସ୍ଷ୍ଟାଣ୍ଡ, ଭାସ୍କର ଟକିଜ୍ ରୋଡ୍, କେନ୍ଦ୍ରାପଡା ହାଇସ୍କୁଲ ଛକ, ମେଡିକାଲ ଛକ, ସାନ୍ତସାହି ଛକ ପର୍ଯ୍ୟନ୍ତ ଯିବା ପାଇଁ ଅନୁମତି ଦିଆଯିବ । ସାନ୍ତସାହି କେନାଲ ବ୍ରିଜ୍ ଓ କେଶପୁର ବଜାର ଦେଇ ଇଚ୍ଛାପୁରକୁ ରାସ୍ତାରେ ଯିବାକୁ ଅନୁମତି ଦିଆଯିବ ନାହିଁ । ସେହିଭଳି ଇଚ୍ଛାପୁର ପାଶ୍ୱର୍ରୁ ଆସୁଥିବା ହାଲୁକା ଯାନଗୁଡିକ କେଶପୁର, ନସଡିପୁର, ମୀରପାଟଣା, କାକଟ ରାସ୍ତା ଏବଂ ଶ୍ୟାମସୁନ୍ଦରପୁର ଗଡାକୁ ଯାଇପାରିବ । ମେଢ ଗୁଡିକର ଭଷାଣୀ ସମୟରେ କେନ୍ଦ୍ରାପଡା ସହର ଭିତରେ କୌଣସି ପ୍ରକାର ଯାନକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ତେଣୁ ଟ୍ରାଫିକ ନିୟମାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ବସ୍, ଅଟୋ ରିକ୍ସା ଓ ଟେମ୍ପୋ ଗୁଡିକର ଡ୍ରାଇଭର ଏବଂ ହେଲ୍ପରମାନଙ୍କ ସମେତ ଜନସାଧାରଣଙ୍କୁ ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।


