ଗଞ୍ଜାମ କୋଭିଡ ହସ୍ପିଟାଲର ରୋଗୀଙ୍କ ସମସ୍ୟା ଉପରେ ଜିଲ୍ଲାପାଳଙ୍କ ନଜର
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାରେ ଥିବା ଶିତଳାପଲିସ୍ଥିତ ଟାଟା କୋଭିଡ ହସ୍ପିଟାଲ, ପାରଳା ମହାରାଜା ଓ ଅନ୍ୟ କୋଭିଡ କେୟାର ସେଣ୍ଟରରେ ଚିକିତ୍ସା, ପାଣି, ଖାଦ୍ୟ, ପରିମଳ ସମ୍ଭନ୍ଧୀୟ ଅବ୍ୟବସ୍ଥା ନେଇ ବାରମ୍ବାର ଭିଡିଓ ଭାଇରାଲ ହେଉଛି। ବୁଧବାର ମଧ୍ୟ ଏସମ୍ପର୍କୀତ ସମସ୍ୟା ଉପରେ ୨ ଟି ଅଡିଓ ଓ ଭିଡ଼ିଓ ବାର୍ତ୍ତା ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି। ଅପରପକ୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ -19 କୁ ମୋ ସରକାର ରେ ଯୋଗ କରିବା ପରେ ଜିଲ୍ଲାରେ ଥିବା ୨୪ ଘଣ୍ଟିଆ କଲ୍ ସେଣ୍ଟରକୁ ବୁଧବାର କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରରେ ଥିବା କରୋନା ରୋଗୀମାନଙ୍କ ପକ୍ଷରୁ ୨୪୯ଟି କଲ ଆସିଛି। ସେଥିରୁ ୨୧୪ ଟି କଲ ଆସିଥିବା ସମସ୍ୟା ସମାଧାନ ହୋଇଛି। ଅନ୍ୟ ସମସ୍ୟା ଖୁବ ଶୀଘ୍ର ସମାଧାନ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ଗୁରୁବାର ସୂଚନା ଦେଇଛନ୍ତି। ଏଥିସହ ୭୮ କରୋନା ରୋଗୀଙ୍କ ପରିବାର ମଧ୍ୟ ଉକ୍ତ କଲ ସେଣ୍ଟରକୁ କଲ କରି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି। ଉକ୍ତ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରର ରୋଗୀମାନେ ଅଭିଯୋଗ ଜଣାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଲ ସେଣ୍ଟର ଖୋଲା ଯାଇଛି। ମୋବାଇଲ ନଂ. ୮୧୧୮୦୬୬୩୭୦କୁ ଫୋନ କରି କରୋନା ଆକ୍ରାନ୍ତ ଅଭିଯୋଗ, ଲକ୍ଷଣ ଏବଂ ହୋମ କ୍ୱାରେଣ୍ଟାଇନ ସମସ୍ୟା ସମ୍ପର୍କରେ ଜଣାଇବା ବ୍ୟବସ୍ଥା ହୋଇଛି।