ଗଞ୍ଜାମ ଜିଲା ପରିଷଦ ଏବଂ ହିଞ୍ଜିଳିକାଟୁ ବ୍ଲକ ଦେଶରେ ୧ ନମ୍ବର ସ୍ଥାନ ଅଧିକାର କରିଛି

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗ୍ରାମାଞ୍ଚଳରେ ସ୍ଥାନୀୟ ସ୍ୱୟଂ ଶାସନ ପାଇଁ ପ୍ରଭାବଶାଳୀ ତଥା ଦକ୍ଷ ଅନୁଷ୍ଠାନ ଭାବରେ କାର୍ଯ୍ୟ କରିବା ପାଇଁ ପଞ୍ଚାୟତରାଜ ପ୍ରତିଷ୍ଠାନ ବାଧ୍ୟତାମୂଳକ । ଫ୍ଲାଗସିପ୍ ସ୍କିମ୍ ଗୁଡିକର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନରେ ମଧ୍ୟ ସେମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଆଗାମୀ ୨୦୩୦ ସୁଦ୍ଧା ସ୍ଥାନୀୟ ଅଞ୍ଚଳର ବିକାଶ ଲକ୍ଷ୍ୟ ହାସଲ କରିବାକୁ ଦେଶର ପ୍ରତିବଦ୍ଧତା ପରିପ୍ରେକ୍ଷୀରେ, ପ୍ରମୁଖ ବିକାଶ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ନିମନ୍ତେ ଦୃଢ଼ ସଂକଳ୍ପ ରଖିଛି | ଏହି ପ୍ରତିବନ୍ଧକ ଏବଂ ସୀମିତତା ସତ୍ତ୍ୱରେ ସାରା ଦେଶରେ ପଞ୍ଚାୟତି ବ୍ୟବସ୍ଥା ମଧ୍ୟରେ ଅନେକ ଉଲ୍ଲେଖନୀୟ ସଫଳତା ପ୍ରଦର୍ଶନ କରିଛନ୍ତି |ତ୍ରିସ୍ତରୀୟ ପଞ୍ଚାୟତ ଅନୁଷ୍ଠାନ ମାନଙ୍କ ଦ୍ୱାରା କରାଯାଉଥିବା ଉତ୍ତମ କାର୍ଯ୍ୟକୁ ଚିହ୍ନଟ କରିବା ସହିତ ସେମାନଙ୍କୁ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିବା ସକାଶେ ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ଏକ ପୁରସ୍କାର ଯୋଜନା ପ୍ରତିଷ୍ଠା କରାଯାଇଥିଲା । ଭାରତର ଏହି ଯୋଜନା ଅଧୀନରେ ‘ଜାତୀୟ ପଞ୍ଚାୟତ ପୁରସ୍କାର’ ଶ୍ରେଷ୍ଠ ପ୍ରଦର୍ଶନକାରୀ ପଞ୍ଚାୟତ (ଜିଲା ପରିଷଦ, ପଞ୍ଚାୟତ ସମିତି ଗ୍ରାମ ପଞ୍ଚାୟତ) କୁ ସ୍ଥାନୀୟ ପ୍ରାଥମିକତା ଅଧୀନରେ ନଅଗୋଟି ଚିହ୍ନିତ ବିଷୟ ବସ୍ତୁ ଉପରେ ଅନୁଧ୍ୟାନ କରି ବିଭିନ୍ନ ପ୍ରାଥମିକ କ୍ଷେତ୍ର ଅଧୀନରେ ସେବା ତଥା ସାଧାରଣ ସାମଗ୍ରୀର ବିତରଣରେ ଉନ୍ନତି ଆଣିବା ପାଇଁ ସେମାନଙ୍କର ଉତ୍ତମ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରାଯାଇ ଆସୁଛି । ୨୦୩୦ ମସିହା ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କରିବା ନିମନ୍ତେ ସମସ୍ତ ପଞ୍ଚାୟତ କାର୍ଯ୍ୟକାରିତାକୁ ଗୁରୁତ୍ୱ ଦେଇ ଅଂଶଗ୍ରହଣ କରିବା ବାଧ୍ୟତାମୂଳକ ଥିଲା ।ସ୍ଥାୟୀ ବିକାଶ ଲକ୍ଷ୍ୟଗୁଡିକର ଏହି ନଅ ଗୋଟି ପୋଷଣୀୟ ବିକାଶ ଧାରା କାର୍ଯ୍ୟ ମଧ୍ୟରେ ଦାରିଦ୍ର୍ୟ ମୁକ୍ତ ଏବଂ ବର୍ଦ୍ଧିତ ଜୀବିକା, ସ୍ବାସ୍ଥ୍ୟବାନ, ଶିଶୁ ବନ୍ଧୁ, ପର୍ଯ୍ୟାପ୍ତ ଜଳ, ସ୍ୱଚ୍ଛ ଏବଂ ସବୁଜ ପଞ୍ଚାୟତ, ଆତ୍ମନିର୍ଭରଶୀଳ ଭିତ୍ତିଭୂମି, ସାମାଜିକ ସୁରକ୍ଷା, ଉତ୍ତମ ଶାସନ, ମହିଳା ବନ୍ଧୁତ୍ବ ପୂର୍ଣ୍ଣ । ଏଥିସହ କାର୍ବନ ନିରପେକ୍ଷ ଏବଂ ଗ୍ରାମ ଉର୍ଜା ସ୍ୱରାଜ ପୁରସ୍କାର (ପଞ୍ଚାୟତ ପାଇଁ) ପାଇଁ ସ୍ୱତନ୍ତ୍ର ବର୍ଗ ପୁରସ୍କାର ମଧ୍ୟ ପ୍ରତିଷ୍ଠା କରାଯାଇଥିଲା ।ସ୍ଥାନୀୟ ବିକାଶ ଧାରା କାର୍ଯ୍ୟ ର ନଅ ଗୋଟି ବିଷୟ ଅନ୍ତର୍ଗତ ୧୧୩ ପାରାମିଟର ଉପରେ ଆଧାରିତ ଏକ ବିସ୍ତୃତ ମୂଲ୍ୟାଙ୍କନ କ୍ଷେତ୍ର ସ୍ତରରେ ହେବା ପରେ ଏବଂ ପୁନର୍ବାର କ୍ଷେତ୍ର ଯାଞ୍ଚ ସହିତ ପୁରସ୍କାର ଚୂଡାନ୍ତ କରାଯାଇଥିଲା | ଜିଲ୍ଲାର ସମ୍ପୃକ୍ତ ଗ୍ରାମପଞ୍ଚାୟତର ପ୍ରଦର୍ଶନ ତଥା ବ୍ଲକର ସମସ୍ତ ଗ୍ରାମପଞ୍ଚାୟତର ପ୍ରଦର୍ଶନ ଆଧାରରେ ଗଞ୍ଜାମ ଜିଲ୍ଲା ପରିଷଦ ତଥା ହିଞ୍ଜଲିକାଟୁ ବ୍ଲକ ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି । ଯାହା ଓଡିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ ଆଣି ଦେଇଛି । ଉଭୟଙ୍କୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ଶ୍ରେଣୀରେ ପୁରସ୍କୃତ ନିମନ୍ତେ ଚୟନ କରାଯାଇଛି । ଏଥିସହ ଅନ୍ୟ ୬ ଟି ଗ୍ରାମ ପଞ୍ଚାୟତ ବିଭିନ୍ନ ବିଷୟ ନେଇ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି। ମୋଟ ଉପରେ, ଓଡିଶା ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୨ ଅଧୀନରେ ୮ ଗୋଟି ପୁରସ୍କାର ଗ୍ରହଣ କରିଛି ଯାହା ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ସମ୍ମାନ ଅଟେ । ଏହି ପୁରସ୍କାର ଗୁଡ଼ିକ ମଧ୍ୟରେ ସୁନ୍ଦର ନଗଦ ପୁରସ୍କାର ମଧ୍ୟ ରହିଛି।ସେହି ଅନୁସାରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆକଳନ କରାଯାଇ ଗଞ୍ଜାମ ଜିଲ୍ଲା ପରିଷଦ କୁ ସର୍ବଭାରତୀୟ ସ୍ତରରେ ପ୍ରଥମ ରେଙ୍କ ହାସଲ କରିଥିବା ହେତୁ ପାଞ୍ଚ କୋଟି ପୁରସ୍କାର ମାନ୍ୟବର ରାଷ୍ଟ୍ରପତି ଚଳିତ ମାସ ୧୭ ତାରିଖରେ ଦିଲ୍ଲୀ ଠାରେ ଏକ ଭବ୍ୟ ସମାରୋହରେ ପ୍ରଦାନ କରିବେ । ଏହା ଗଂଜାମ ଜିଲ୍ଲା ବାସୀଙ୍କ ସକାଶେ ଗର୍ବ ଓ ଗୌରବ ବିଷୟ ।ଶ୍ରେଷ୍ଠ ପଞ୍ଚାୟତ ଭାବେ ସର୍ବ ଭାରତୀୟ ସ୍ତରରେ ହିଂଜିଲିକାଟୁ ପ୍ରଥମ ସ୍ଥାନ ରଖିଛି ,ଯାହାକୁ ଦୁଇ କୋଟି ଟଙ୍କା ପୁରସ୍କାର ଘୋଷଣା ହୋଇଛି । “ସ୍ୱାସ୍ଥ୍ୟ ପଞ୍ଚାୟତ” ଭାବେ ହିଂଜିଲିକାଟୁ ବ୍ଲକ କଞ୍ଚୁଡୁ ୭୫ ଲକ୍ଷ ପୁରସ୍କାର ପାଇବ । ଶାସନଆମ୍ବ ଗାଁ “ସଫା ଓ ସବୁଜମୟ” ଗ୍ରାମ ଭାବେ ୭୫ ଲକ୍ଷ, ଭଞ୍ଜନଗର ବ୍ଲକ କୁଲାଡ ଗ୍ରାମ ପଞ୍ଚାୟତକୁ ୭୫ ଲକ୍ଷ ଏବଂ ପାତ୍ରପୁର ବ୍ଲକ ଆଙ୍କୁଲୀ ଗ୍ରାମ ପଞ୍ଚାୟତକୁ ୭୫ ଲକ୍ଷ ଅର୍ଥ ରାଶି ଓ ସମ୍ମାନିତ କରାଯିବ । ଏହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପ୍ରସଂଶା କରିବା ସହ ସାଧୁବାଦ ଜଣାଇଛନ୍ତି।ଜିଲ୍ଲା ପ୍ରଶାସନ ସହିତ ବ୍ଲକ୍ ଏବଂ ଗ୍ରାମ ପଞ୍ଚାୟତର ସମସ୍ତଙ୍କୁ ସେମାନଙ୍କ ନିରନ୍ତର ସହାୟତା କରିଥିବା ହେତୁ ଜିଲ୍ଲା ପ୍ରଶାସନ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ