ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସାବୁଳିଆ ଗ୍ରାମ ପଂଚାୟତର ଚାଷୀଙ୍କ ଧାନ ମିଲର କିଣୁନଥିବା ନେଇ ସୋମବାର ନବ ନିର୍ମାଣ କୃଷକ ସଂଗଠନ ସାବୁଳିଆ ଶାଖା, ଖଲ୍ଲିକୋଟ ବ୍ଲକ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଙ୍କୁ ପ୍ରଦାନ କରାଯାଇଛି । ଆର. ବାହାଡାପଲ୍ଲୀ ସୋସାଇଟି ଅଧିନରେ ଚାଷୀ ମାନଙ୍କର ଧାନ କ୍ରୟ ନିମନ୍ତେ ଗତ ଡିସେମ୍ବର ୨୯ ତାରିଖରୁ ଟୋକେନ ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କ ଧାନ କିଣାଯାଇନାହିଁ । ସେହିପରି ଗତବର୍ଷ ସେମାନଙ୍କ ଧାନ ବିକ୍ରି ସମୟରେ ଏମଆଇ ସୋସାଇଟି ସମ୍ପାଦକ, ଗ୍ରାମ ଭଦ୍ର ବ୍ୟକ୍ତି ଏବଂ ଚାଷୀଙ୍କ ଉପସ୍ଥିତିରେ ରହି ଚାଷୀ ମାନଙ୍କର ଅଖାରେ ଧାନ ନେଇ ଅଖା ପାଇଁ ଟଙ୍କା ଦେବା ସକାଶେ ନିଷ୍ପତ୍ତି ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଚାଷୀଙ୍କ ଅଖାର ମୁଲ୍ୟ ଦିଆଯାଇନଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ଏଣୁ ସମସ୍ତ ବିଷୟକୁ ବିଚାର କରିବା ପାଇଁ ସେମାନେ ଏହି ଦାବି ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ନବ ନିର୍ମାଣ କୃଷକ ସଂଗଠନର ଦୁର୍ଗା ଚରଣ ସାହୁ, ରଙ୍କନାଥ ପାତ୍ର, ସହଦେବ ବେହେରା, ମନୋଜ କୁମାର ସାହୁ, ବିଶ୍ୱମ୍ବର ବେହେରା, ହରିହର ବେହେରା, ଧନୁର୍ଜୟ ବେହେରା, କନ୍ଧ ପାହାନ, ମୋହନ ପାତ୍ର, ସୁବାସ ବେହେରା, ଲକ୍ଷ୍ମୀ କାନ୍ତ ସାହୁ, ପ୍ରଫୁଲ୍ଲ ଗୌଡ, ପି. ଭିମ ପାତ୍ର, ବିଶ୍ୱଜିତ୍ ସାହୁ, ସନ୍ୟାସୀ ସାହୁ, ସୁଦାମ ପରିଡାଙ୍କ ସମେତ ବହୁ ଚାଷି ଉପସ୍ଥିତ ଥିଲେ ।


