ଗଞ୍ଜାମ ଜିଲ୍ଲାରେ କାର୍ଯକାରୀ ହେଲା “ଚେଞ୍ଜିଙ୍ଗ ଦ ୱେ ଉଇ କେୟାର” ପ୍ରକଳ୍ପ
ବିଶ୍ୱର ସର୍ବବୃହତ ସଙ୍ଗଠନ ୟୁନିସେଫ ଦ୍ୱାରା କରାଯାଇଥିବା ଏକ ସର୍ବକ୍ଷେଣରୁ ଜଣାପଡିଛି ଯେ, ଦେଶରେ ଥିବା ଶିଶୁ ଗୃହ ଗୁଡିକରେ ରହୁଥିବା ଶତକଡା ୮୦ ଭାଗରୁ ଅଧିକ ଶିଶୁମାନଙ୍କର ପିତାମାତା ଜୀବିତ ଥାଇ ମଧ୍ୟ ବିଭିନ୍ନ କାରଣରୁ ନିଜର ସନ୍ତାନମାନଙ୍କୁ ଶିଶୁଗୃହ ଗୁଡିକରେ ଛାଡିଦେଇଥାନ୍ତି । ପରିବାର ଶିଶୁର ବୃଦ୍ଧି ବିକାଶ ଓ ପ୍ରତିପାଳନ ନିମନ୍ତେ ସର୍ବକୃଷ୍ଠ ସ୍ଥାନ ହୋଇଥିବାବେଳେ ପାରିବାରିକ ଯତ୍ନ ଶିଶୁକୁ ସମାଜରେ ଏକ ସୁନାଗରିକ ଭାବେ ପ୍ରତିଷ୍ଠିତ କରାଇଥାଏ । କିନ୍ତୁ ପାରିବାରିକ ଯତ୍ନରୁ ବଞ୍ଚିତ ଥିବା ଶିଶୁମାନଙ୍କର ବିକାଶ ପ୍ରକ୍ରିୟା ଶତକଡା ୩୦ ପ୍ରତିଶତ କମିଯାଇଥାଏ, ଯାହାଦ୍ୱାରା ଶିଶୁଟି ଭବିଷ୍ୟତରେ ବ୍ୟକ୍ତିଗତ ଏବଂ ସାମାଜିକ ଜୀବନରେ ଭିନ୍ନ ଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାଏ । ମିଳିଥିବା ତଥ୍ୟନୁସାରେ , ଶିଶୁଗୃହ ଗୁଡିକରେ ବଢୁଥିବା ଶିଶୁମାନେ ସର୍ବାଧିକ ସଂକ୍ରମଣଗ୍ରସ୍ତ ହୋଇଥିବାବେଳେ ଆନୁଷ୍ଠାନିକ ଯତ୍ନ ସେମାନଙ୍କ ପାଇଁ ଶେଷ ବିକଳ୍ପ ପାଲଟିଥାଏ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଅଗ୍ରଣୀ ସ୍ୱଛାସେବୀ ଅନୁଷ୍ଠାନ ଅରୁଣା ଓ ଆନ୍ତର୍ଜାତିୟ ସ୍ୱେଛାସେବୀ ଅନୁଷ୍ଠାନ ସି.ଆର.ଏସର ମିଳିତ ଉଦ୍ୟମରେ ଅନାବଶ୍ୟକ ଭାବେ ଶିଶୁ ମାନଙ୍କୁ ଶିଶୁ ଗୃହକୁ ନ ଛାଡିବା ଏବଂ ଶିଶୁ ଯତ୍ନ ଅନୁଷ୍ଠାନରେ ଥିବା ଶିଶୁମାନଙ୍କୁ ପରିବାରକୁ ଫେରାଇ ଆଣିବା ନିମନ୍ତେ “ଚେଞ୍ଜିଙ୍ଗ ଦ ୱେ ଉଇ କେୟାର” ପ୍ରକଳ୍ପ ଆରମ୍ଭ କରି ଗଂଜାମ ଜିଲ୍ଲାର ଶିଶୁ ଗୃହ ଗୁଡିକୁ ନେଇ କାର୍ଯ୍ୟ କରୁଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ଶିଶୁମାନଙ୍କର ପାରିବାରିକ ଯତ୍ନକୁ ଉପଲବ୍ଧି କରି ଗଞ୍ଜାମ ଜିଲ୍ଲାର ୧୧ ଟି ବ୍ଲକ ରେ ଦୀର୍ଘ ଏକମାସ ଧରି ପ୍ରଚାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗ୍ରାମବାସୀ ମାନଙ୍କୁ ଆନୁଷ୍ଠାନିକ ଯତ୍ନର ନକରାତ୍ମକ ପ୍ରଭାବ ଓ ପାରିବାରିକ ଯତ୍ନର ସକାରାତ୍ମକ ଦିଗ ଗୁଡିକ ବିଷୟରେ ସଚେତନ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଚସ୍ପତି, ଡଃ. ସୂର୍ଯ୍ୟ ନାରାୟଣ ପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବାପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀ ଶ୍ରୀକାନ୍ତ କୁମାର ସାହୁ,ପୂର୍ବତନ ବିଧାୟକ ଡାକ୍ଟର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବି.ଡି.ଏ ଅଧକ୍ଷ ସୁବାସ ମହାରଣା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଚନ୍ଦ୍ର ଶଢଙ୍ଗୀ ଓ ଶିଶୁ ସୁରକ୍ଷା ସମିତି ସଦସ୍ୟ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅରୁଣା ସଭାପତି ଶ୍ରୀଯୁକ୍ତ ପଦ୍ମନାଭ ଡାଭେ ସଭାପତିତ୍ୱ କରିବା ବେଳେ ଶ୍ରୀଯୁକ୍ତ ଲୋକନାଥ ମିଶ୍ର ଅତିଥି ପରିଚୟ ପ୍ରଦାନ କରିବେ । ଅରୁଣା ର ସମ୍ପାଦିକା ଶ୍ରୀମତୀ ସୌଦାମିନୀ ରଥ ଧନ୍ୟବାଦ ପ୍ରଦାନ କରିବେ । ଏଥିରେ ଅରୁଣା ର କୋଷାଧକ୍ଷ ବିଭୁଦତ୍ତ ପଟ୍ଟନାୟକ, ପ୍ରକଳ୍ପ ଅଧିକାରୀ ବି ପ୍ରଶାନ୍ତ କୁମାର ,ସୁସ୍ମିତା ଭୋଇ, ଦେବିଦତ୍ତ ରଥ, ଆକାଶ କୁମାର ପାତ୍ର, ସୂର୍ଯ୍ୟସ୍ମିନ ପଣ୍ଡିତ, ପ୍ରବୀଣ ଗୌଡ଼, ପ୍ରଶାନ୍ତ ସ୍ୱାଇଁ, ଗୀତାଞ୍ଜଳି ଦୋରା ସହଯୋଗ କରିଥିଲେ।


