ଗଞ୍ଜାମ ଜିଲ୍ଲାର ଦୋକାନୀଙ୍କ ପାଇଁ ନୂଆ କଟକଣା
ବ୍ରହ୍ମପୁର, (ରାଜେଶ ପଟନାୟକ): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାର ଅଧିକ ପ୍ରଭାବ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳୁଛି। ଏନେଇ ଜିଲ୍ଲାର ଦୋକାନୀଙ୍କ ପାଇଁ ନୂଆ କଟକଣା ଲାଗୁ ହୋଇଛି। ଏଣିକି କୋରୋନା ନିୟମ ଭାଙ୍ଗିଲେ ଦଣ୍ଡ ଗଣିବେ ଦୋକାନୀ। ପ୍ରଥମ ଥର ନିୟମ ଭାଙ୍ଗିଲେ ୫ ହଜାର ଟଙ୍କା ଫାଇନ୍ ଦେବେ । ଏହା ସହ ୧୫ ଦିନ ପାଇଁ ଦୋକାନ ସିଲ୍ କରିବ ପ୍ରଶାସନ। ଦ୍ବିତୀୟ ଥର ପାଇଁ ମାମଲା ରୁଜୁ ସହ ମାସେ ଦୋକାନ ବନ୍ଦ ରହିବ । ଏହା ପୂର୍ବରୁ ୧୦୦୦ ଟଙ୍କା ଜରିମାନା ରହିବା ସହ ୭ ଦିନ ପାଇଁ ଦୋକାନ ସିଲ ହେବା ନେଇ ନିୟମ ଜାରି ରହିଥିଲା ।ଅପରପକ୍ଷରେ ଜିଲ୍ଲାରେ କୃଷି, ସାମଗ୍ରୀ, ସ୍ୱାସ୍ଥ୍ୟ ଉଦ୍ଦେଶ୍ୟ ବ୍ୟତୀତ ଗଞ୍ଜାମରେ କୌଣସି ଯାନବାହନ ଚଳାଚଳକୁ ଅନୁମତି ନାହିଁ ବୋଲି ସେ କହିଛନ୍ତି| ଏଣେ ଆଜିଠୁ ଗଞ୍ଜାମରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହେବାକୁ ଯାଉଥିବା ବେଳେ ଆସନ୍ତା କାଲିଠୁ ସହରାଞ୍ଚଳରେ ଘର ଘର ବୁଲି ସ୍କ୍ରିନିଂ ଆରମ୍ଭ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କେଉଁ ଅଞ୍ଚଳରେ କେବେ ସ୍କ୍ରିନିଂ ହେବ ଆଜି ସେ ସମ୍ପର୍କରେ ସବିଶେଷ ସୂଚନା ଦିଆଯିବ। ସ୍କ୍ରିନିଂ ଅଞ୍ଚଳକୁ ଆବଶ୍ୟକତା ଅନୁସାରେ ୩ରୁ ୪ ଦିନ ପର୍ଯ୍ୟନ୍ତ ସଟଡାଉନ୍ କରାଯିବ ବୋଲି ଟୁଇଟ୍ କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଏହି ସମୟରେ କରୋନା ଲକ୍ଷଣ ଥିଲେ ନ ଲୁଚାଇ ସ୍ୱାସ୍ଥ୍ୟକର୍ମୀଙ୍କୁ ଜଣାଇବାକୁ ଜିଲ୍ଲାପାଳ ଗଞ୍ଜାମବାସୀଙ୍କୁ ଅନୁରୋଧ କରିଛନ୍ତି।


