ଗଞ୍ଜାମ ଜିଲ୍ଲାର ସମିତିସଭ୍ୟ ସଭ୍ୟା ମାନଙ୍କ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବିପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୪୩(କ) ଅନୁସାରେ ସ୍ଥାନୀୟ ଅଂଚଳର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରି ସେଗୁଡ଼ିକର ସଫଳ ରୂପାୟନ କରିବା ହେଉଛି ତ୍ରିସ୍ତରୀୟ ପଂଚାୟତ ଅନୁଷ୍ଠାନ ଗୁଡ଼ିକର ପ୍ରମୁଖ ଦାୟିତ୍ୱ । ଏଥି ନିମନ୍ତେ ଓଡ଼ିଶା ପଂଚାୟତ ସମିତି ଆଇନ ୧୯୫୯ର ଧାରା ୨୦ରେ ମଧ୍ୟ ବ୍ଲକସ୍ତରର ବିକାଶ ଯୋଜନା ପ୍ରସ୍ତୁତି ପାଇଁ ବିଭିନ୍ନ ଆଇନଗତ ବ୍ୟବସ୍ଥା ରହିଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଆଜି ଅନ୍ୟ ନିର୍ବାଚିତ ଜନପ୍ରତିନିଧିଙ୍କ ଭଳି ସମିତିସଭ୍ୟ/ସଭ୍ୟାମାନେ ଲୋକଙ୍କ ଦ୍ୱାରା ନିର୍ବାଚିତ ହେଉଥିଲେ ମଧ୍ୟ ସେମାନଙ୍କୁ କୌଣସି କାମରେ ଗୁରୁତ୍ୱ ଦିଆଯାଉନାହିଁ । ଗ୍ରାମପଂଚାୟତ ସ୍ତରରେ ଜଣେ ସରପଂଚ ଯେମିତି ନିର୍ବାଚିତ ହୋଇ ଆସୁଅଛି, ଠିକ୍ ସେହିପରି ଜଣେ ସମିତିସଭ୍ୟ ମଧ୍ୟ ନିର୍ବାଚନ ଲଢ଼ି ନିର୍ବାଚିତ ହୋଇଆସୁଛି । ହେଲେ ପଂଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପର୍ଯ୍ୟନ୍ତ କେବଳ ସେମାନଙ୍କୁ ଗୁରୁତ୍ୱ ଦିଆଯାଇଥାଏ । ସେହି ନିର୍ବାଚନ ସମାପ୍ତ ପରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିମ୍ବା ପଂଚାୟତ ସମିତିର କୌଣସି କର୍ମଚାରୀ ସେମାନଙ୍କୁ ଗୁରୁତ୍ୱ ଦେଉନାହାନ୍ତି । ଯାହା ଗଣତନ୍ତ୍ର ପାଇଁ ଶୁଭ ଲକ୍ଷଣ ନୁହେଁ । ସ୍ଥାନୀୟ ଗ୍ରାମପଂଚାୟତରେ ବିଭିନ୍ନ ସମସ୍ୟା ସମ୍ପର୍କରେ ବ୍ଳକ୍ ପ୍ରଶାସନଙ୍କ ଧ୍ୟାନ ଆକର୍ଷଣ କଲେ ମଧ୍ୟ, କୌଣସି ଗୁରୁତ୍ୱ ଦିଆଯାଉନାହିଁ । କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀମାନେ କୌଣସି ଉନ୍ନୟନମୂଳକ ନିର୍ମାଣ କାର୍ଯ୍ୟରେ (ଲେ ଆଉଟ୍) ଦେଲାବେଳେ ସମିତିସଭ୍ୟ/ସଭ୍ୟାଙ୍କୁ ଜଣାଉ ନାହାନ୍ତି । ପଂଚାୟତରେ ଯେପରି ସରପଂଚଙ୍କ ସାମ୍ବିଧାନିକ ସୁପାରିଶ କ୍ଷମତା ରହିଛି । ଠିକ୍ ସେହିପରି ସମିତିସଭ୍ୟ/ସଭ୍ୟା ମାନଙ୍କୁ ସାମ୍ବିଧାନିକ ସୁପାରିଶ କ୍ଷମତା ଦେବାପାଇଁ ସହିତ ବିଭିନ୍ନ ଦାବୀନେଇ ଗଂଜାମ ଜିଲ୍ଲାର ସମିତି ସଭ୍ୟ/ ସଭ୍ୟା ମାନେ ଏକାଠୀ ହୋଇଛନ୍ତି । ନିଜ ହକ ନିମନ୍ତେ ଜିଲ୍ଲାର ସଦରମହକୁମା ଛତ୍ରପୁର ସହର ନିକଟ ପାଲିଆ ଛତ୍ରପୁର ଠାରେ ଏକ ସାଧାରଣ ବୈଠକରେ ସେମାନଙ୍କ ଦାବୀ ସମ୍ପର୍କରେ ବିଭିନ୍ନ ଆଲୋଚନା କରିଛନ୍ତି । ଏହାସହିତ ଗଞ୍ଜାମ ଜିଲ୍ଲା ସମିତିସଭ୍ୟ/ ସଭ୍ୟା ସଂଘ ର ବିଭିନ୍ନ ପଦପଦବୀ ନିମନ୍ତେ ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ କେ.ପ୍ରିୟଦର୍ଶନି ଆଚାରୀଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିବା ବେଳେ ଉପ -ସଭାପତି ଭାବେ କେ. ରବିନ୍ଦ୍ର ପାତ୍ର, ସାରଥି ଗୌଡ ଓ ପ୍ରସାଦ କୁମାର ସାହୁ, ସାଧାରଣ ସମ୍ପାଦକ ଭାବେ ପ୍ରସାନ୍ତ କୁମାର ସାହୁ, ସହ- ସମ୍ପାଦକ ଭାବେ ଚଣ୍ଡି ଚରଣ ସାହୁ ଓ ଅମିତା ପ୍ରଧାନ, କାର୍ଯ୍ୟକାରୀ ସଦସ୍ୟ ଭାବେ ରୁନୁ ସାହୁ, ଆରତି ନାୟକ, ପିତବାସ ପ୍ରଧାନ, ସୁନିତା ସ୍ୱାଇଁ, ଅକ୍ଷୟ ସେଠି, ଡଲିରାଣି ଦାସ, କାହ୍ନୁଚରଣ ପାତ୍ର ଓ ଏନ୍ କାନ୍ତାମ୍ମା ପାତ୍ରଙ୍କୁ ଚୟନ କରାଯାଇଛି । ମୁଖ୍ୟ ଉପଦେଷ୍ଟା ଭାବେ ଜୟସେନ ସାହୁ, ଟି. ବଜେନ୍ଦ୍ର ପ୍ରଧାନ ଓ ବାନାମ୍ବର ସ୍ୱାଇଁ, କୋଷାଧ୍ୟକ୍ଷ ଭାବେ ଶୁସାନ୍ତ କୁମାର ସେଠିଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ପରେ ଏକ ଶୋଭାଯାତ୍ରାରେ ବାହାରି ଛତ୍ରପୁର ସହର ପରିକ୍ରମା କରି ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ବହୁ ସମିତିସଭ୍ୟ/ ସଭ୍ୟା ମାନେ ପହଂଚିଥିଲେ । ସେଠାରେ ୧୦ଦଫା ସମ୍ବଳିତ ଦାବିପତ୍ର ଓଡିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗଂଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ ଙ୍କୁ ପ୍ରଦାନ କରିଥିଲେ । ପ୍ରତ୍ୟେକ ଗ୍ରାମପଂଚାୟତରେ ସମିତିସଭ୍ୟ/ସଭ୍ୟାଙ୍କୁ କାମ କରିପାପାଇଁ ଆନୁସଙ୍ଗିକ ବ୍ୟବସ୍ଥା ସହ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ ଦିଆଯାଉ, ସରକାରୀ ବ୍ୟବସ୍ଥା ଅନୁଯାୟୀ ଗ୍ରାମପଂଚାୟତ ଓ ପଂଚାୟତ ସମିତିରେ କାର୍ଯ୍ୟ କରିବାର ଉତମ ପରିବେଶ ସୃଷ୍ଟି କରାଯାଉ, ପଂଚାୟତରେ ନିର୍ବାଚିତ ପ୍ରତିନିଧି ଭାବେ ସେମାନଙ୍କ କିଛି ନିର୍ଦ୍ଦିଷ୍ଟ କ୍ଷମତା ରହୁ, ଯଦ୍ୱାରା ସ୍ଥାନୀୟ ଲୋକଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ବିଧାୟକ ଏବଂ ସାଂସଦଙ୍କ ଭଳି ଅନ୍ତତଃପକ୍ଷେ ବାର୍ଷିକ ୨୦ ଲକ୍ଷ ଟଙ୍କାର ପାଣ୍ଠି ସରକାର ଦିଅନ୍ତୁ, ଗ୍ରାମପଚାଂୟତରେ ମାସିକ ବୈଠକ ତତ୍ ସହିତ ଜିପିଡ଼ିପି ବୈଠକରେ ସମିତିସଭ୍ୟଙ୍କ ସ୍ୱାକ୍ଷର ନିଆଯାଉ, ସମିତି ସମିତିସଭ୍ୟ/ସଭ୍ୟାମାନଙ୍କ ମାସିକ ଭତା ଅତି କମ୍ରେ୧୫୦୦୦ (ପନ୍ଦର ହଜାର) ଟଙ୍କାକୁ ବୃଦ୍ଧି କରାଯାଉ, ଗ୍ରାମପଂଚାୟତରେ ଆଗତ ରେଜୁଲେସନ୍ ପଂଚାୟତ ସମିତିରେ ଗୃହୀତ ହେବା ପୂର୍ବରୁ ତାହା ସମ୍ପୃକ୍ତ ସମିତିସଭ୍ୟଙ୍କ ଦୃଷ୍ଟିକୁ ଅଣାଯାଉ, ମନରେଗା ପ୍ରକଳ୍ପ ଗୁଡ଼ିକର ୫୦ ଶତକଡ଼ା କାର୍ଯ୍ୟ ପଂଚାୟତ ସମିତି ମାଧ୍ୟମରେ ସରକାରୀ ନିର୍ଦ୍ଦେଶ ନାମା ଥିବା ସତ୍ୱେ , ଉକ୍ତ ନିର୍ଦ୍ଦେଶ ନାମାକୁ କାର୍ଯ୍ୟକାରି କରିବା ପାଇଁ ଗୋଷ୍ଠି ଉନ୍ନୟନ ଅଧିକାରୀ ମାନଙ୍କୁ ସମିତିସଭ୍ୟଙ୍କ ତତ୍ୱାବଧାନତାରେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ, ମନରେଗା ପ୍ରକଳ୍ପର ବିଲ୍ ଗୃହୀତ ହେବା ପୂର୍ବରୁ ମାଷ୍ଟର ରୋଲରେ ସମିତିସଭ୍ୟଙ୍କ ଦସ୍ତଖତକୁ ବାଧ୍ୟତାମୂଳକ କରାଯାଉ, ପଚାଂୟତସମିତିର କାର୍ଯ୍ୟ ଗୁଡ଼ିକର ଅଟକଳ, ଖର୍ଚ୍ଚ ଗୃହୀତ ହେବା ପୂର୍ବରୁ ସମ୍ପୃକ୍ତ ଗ୍ରାମପଚାଂୟତର ସମିତିସଭ୍ୟଙ୍କ ଦସ୍ତଖତ ବାଧ୍ୟତାମୂଳକ କରାଯିବା ଭଳି ୧୦ଟି ଦାବି ସମ୍ପର୍କରେ ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ଗଂଜାମ ଜିଲ୍ଲା ସମିତି ସଭ୍ୟ/ ସଭ୍ୟା ସଂଘର କର୍ମକର୍ତ୍ତା ଏବଂ ବହୁ ସଭ୍ୟ ଏବଂ ସଭ୍ୟା ମାନେ ଉପସ୍ଥିତ ଥିଲେ ।