ଗଞ୍ଜାମ ଜିଲ୍ଲା ରେ ବିଭିନ୍ନ ଦାମୀ ଫୁଲ ଚାଷ କରିବା ପାଇଁ ଫ୍ଲୋରେନ୍ସ ଫ୍ଲୋରା ମାର୍କେଟିଂ ବାଙ୍ଗାଲୋର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟରେ ଏମ.ଓ.ୟୁ. ସ୍ବାକ୍ଷରିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାରେ ଫୁଲଚାଷ ପାଇଁ ଅନୁକୁଳ ଜଳବାୟୁ ଓ ଉର୍ବର ମୃତ୍ତିକା ରହିଛି । ଏହାର ସଦୁପଯୋଗ ହୋଇ ପାରିଲେ ଜିଲ୍ଲାର ଚାଷୀମାନଙ୍କର ଆର୍ଥିକ ମାନଦଣ୍ଡ ଉନ୍ନତ ହୋଇ ପାରିବା ସହ କର୍ମ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇ ପାରିବ ବୋଲି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଫ୍ଲୋରେନ୍ସ ଫ୍ଲୋରା ମାର୍କେଟିଂ ବାଙ୍ଗାଲୋର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟରେ ଏମ.ଓ.ୟୁ. ସ୍ବାକ୍ଷରିତ ବେଳେ ମତ ପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଫ୍ଲୋରେନ୍ସ ଫ୍ଲୋରା ମାର୍କେଟିଂ ବାଙ୍ଗାଲୋର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟରେ ଦାମୀ ଫୁଲଚାଷ ପାଇଁ ବୁଧବାର ଦିନ ଏମ.ଓ.ୟୁ. ସ୍ବାକ୍ଷରିତ ହୋଇଯାଇଛି । ଚାଷୀ ମାନଙ୍କୁ ବାଣିଜ୍ୟିକ ପୁଷ୍ପଲତା ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ମାଗଣାରେ ବୈଷୟିକ ଜ୍ଞାନ କୌଶଳ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ସଙ୍ଗେସଙ୍ଗେ ବିଭିନ୍ନ କ୍ଲଷ୍ଟର ମାଧ୍ୟମରେ ଏହାର ଉନ୍ନତି କରାଗଲେ ଜିଲ୍ଲାର ଫୁଲଚାଷୀ ଲାଭବାନ୍ ହୋଇ ପାରିବେ ଓ ଏହି ଚାଷ ପାଇଁ ଆଗ୍ରହ ପ୍ରକାଶ କରିବେ । ଏହା ସହ ଗଞ୍ଜାମ ଜିଲ୍ଲାକୁ ପୁଷ୍ପ ହବ୍ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।ଅର୍କିଡ୍ ଜାତୀୟ ଫୁଲ ଯଥା ମାରିଗୋଲ୍ଡ , ଟ୍ୟୁବ୍ ରୋଜ୍, ଆନ୍ଥୋରିୟମ୍ ଆଦି ଫୁଲଚାଷ ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ବ୍ଲକ୍, ହୁମ୍ମା, ବ୍ରହ୍ମପୁର, ଛତ୍ରପୁର ଆଦି ସ୍ଥାନରେ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲ୍ଲାରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ମାଆ ମାନେ ଯେଉଁ ଯେଉଁ ସ୍ଥାନରେ ଫୁଲ ଚାଷ କରୁଛନ୍ତି ସେମାନଙ୍କୁ ଉପଯୁକ୍ତ ଜ୍ଞାନ କୌଶଳ ଯୋଗାଇ ଦିଆଗଲେ ସେମାନେ ଲାଭବାନ୍ ହୋଇ ପାରିବେ । ବିହନର ରକ୍ଷଣାବେକ୍ଷଣ ଠାରୁ ଆରମ୍ଭ କରି ଫୁଲର ବିକ୍ରୟ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଜ୍ଞାନ କୌଶଳ ଓ ସହାୟତା ଯୋଗାଇ ଦିଆଗଲେ ସେମାନଙ୍କର ଆର୍ଥିକ ମାନଦଣ୍ଡ ଉନ୍ନତ ହୋଇ ପାରିବ ।ଏହି ସ୍ବାକ୍ଷର କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗଞ୍ଜାମ ଜିଲ୍ଲା ପରିଷଦ କୀର୍ତ୍ତି ଭାସନ୍ ଭି. , ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ୍ ଶକ୍ତି ସାଶ୍ବତ କୁମାର ସାହୁ, ଜିଲ୍ଲା ପ୍ରକଳ୍ପ ମ୍ୟାନେଜର, ଓଡିଶା ଜୀବୀକା ମିଶନ୍ ନବୀନ ସେନାପତି, ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ କନ୍ଦ ଜେନା, ସହକାରୀ ଉପନିର୍ଦ୍ଦେଶକ ପ୍ରତାପ କୁମାର ପଣ୍ଡା, ଫ୍ଲୋରେନ୍ସ ଫ୍ଲୋରା ମାର୍କେଟିଂ ବାଙ୍ଗାଲୋର ଅଧ୍ୟକ୍ଷ ସତ୍ୟେନ୍ଦ୍ର କୁମାର ଗୁଡ୍ ଗୁଡିଆ, କ୍ଷେତ୍ର ପ୍ରବନ୍ଧକ ଟିଙ୍କୁ ଦେବନାଥ ଓ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ