ଗଞ୍ଜେଇ ଚଢ଼ାଉ ବେଳେ ଚୋର ଭାବି ପୋଲିସ୍ଙ୍କୁ ପିଟିଲେ;୭ ଜଣ ଆହତ ଜଣେ ଗୁରୁତର
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ମହଙ୍ଗା ପଡ଼ିଲା କି ଅବେଳାରେ ଚଢଉ କରିବା ? ଚୋର ଭାବି ପୋଲିସ୍ଙ୍କୁ ପିଟିଲେ ଗାଁ ଲୋକେ । କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାକେନ୍ଦ୍ରୀ ଗ୍ରାମରେ ଗଞ୍ଜେଇ ରେଡ୍ କରିବାକୁ ଯାଇଥିବା କ୍ରାଇମ୍ ବ୍ରାଞ୍ଚର ଏସଟିଏଫ ଟିମକୁ ଗ୍ରାମବାସୀମାନେ ମାଡ଼ ମାରିବା ସହିତ ଅଟକ ରଖିଥିଲେ । ଏହି ଖବର ସଦର ଥାନା ପୋଲିସ ଜାଣିବା ପରେ ଏସଟିଏଫର ୭ ଜଣିଆ ଟିମକୁ ଉଦ୍ଧାର କରିଛି । ଉଦ୍ଧାର ପରେ ଏସଟିଏଫ ଟିମ ସଦସ୍ୟମାନଙ୍କୁ ଆଶୁ ଚିକିତ୍ସା ପରେ ସମସ୍ତେ ଭୁବେନେଶ୍ୱର ଫେରିଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପାହାନ୍ତିଆ ପ୍ରାୟ ୪ଟା ସମୟରେ ଏସଟିଏଫ କାକେନ୍ଦ୍ରୀ ଗ୍ରାମକୁ ଗଞ୍ଜେଇ ରେଡ କରିବାକୁ ଯାଇଥିଲେ । କିନ୍ତୁ ଗ୍ରାମବାସୀମାନେ ସେମାନଙ୍କୁ ଚିହିଁ ପାରିନଥିଲେ । ତେଣୁ ଚୋର କି ଡକାୟତ ଦଳ ଭାବି ଗ୍ରାମବାସୀମାନେ ସେମାନଙ୍କୁ ମାରଧର କରିବା ସହିତ ସକାଳ ପର୍ଯ୍ୟନ୍ତ ଅଟକ ରଖିଥିଲେ । ୭ ଜଣିଆ ଟିମରେ ଜଣେ ମହିଳା ପୋଲିସ ସହିତ ଜଣେ ଡିଏସପି ଥିଲେ ବୋଲି ସୂଚନା ମିଳିଛି । ତେବେ ଏ ବାବଦରେ କନ୍ଧମାଳ ଏସପି , ସଦର ଥାନା ଅଧିକାରୀ କିମ୍ବା ଏସଟିଏଫ ଟିମ ର କାହାର ପ୍ରତିକ୍ରିୟା ମିଳିପାରିନାହିଁ । ଆଉ ବର୍ତ୍ତମାନ ଘଟଣାରେ ସଦର ଥାନା ପୋଲିସ ଗ୍ରାମରେ ଆକ୍ରମଣକାରୀମାନଙ୍କୁ ଗିରଫ କରିବା ପାଇଁ ଯାଇଥିବା ବେଳେ ଗାଁ ଜନଶୂନ୍ୟ ହୋଇଯାଇଥିବା ସୂଚନା ମିଳିଛି ।


