ଗଞ୍ଜେଇ ଚାଷରୁ ନିବୃତ୍ତ ରହି ଉଦ୍ୟାନଭିତ୍ତିକ କୃଷି ଆପଣାଇବାକୁ ଗଜପତି ଏସପିଙ୍କ ଆହ୍ବାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ମୋହନା ଓ ଅଡ଼ବା ଥାନା ଅଞ୍ଚଳରେ ଗଞ୍ଜେଇ ଚାଷ ନ କରିବା ସକାଶେ ପୁଲିସ ପକ୍ଷରୁ ଆହ୍ବାନ ଦିଆଯାଇଛି। ଏନେଇ ଚନ୍ଦ୍ରଗିରି ପୁଲିସ ଫାଣ୍ଡିରେ ଏକ ସଚେତନତା ବୈଠକର ଆୟୋଜନ କରାଯାଇଛି। ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଗଜପତି ଏସ୍ପି ଜ୍ୟୋତିନ୍ଦ୍ରନାଥ ପଣ୍ଡା ଯୋଗ ଦେଇ ଗଞ୍ଜେଇ ଚାଷର ଅପକାରିତା ଓ ମକଦ୍ଦମାଜନିତ ସମସ୍ୟା ସମ୍ପର୍କରେ ବୁଝାଇବା ସହ ଗଞ୍ଜେଇ ଚାଷ ପରିବର୍ତ୍ତେ ଉଦ୍ୟାନଭିତ୍ତିକ କୃଷି ଆପଣେଇବା ପାଇଁ ଆୱାନ ଦେଇଥିଲେ. ଏଥିସହ ଗଜପତି ଏସପି ଶ୍ରୀ ପଣ୍ଡା ସାଧାରଣଙ୍କୁ ସଚେତନ କରିବା ପାଇଁ କହିଥିଲେଯେ, ଏନ୍ଡିପିଏସ୍ ଆକ୍ଟ ଅନୁଯାୟୀ ଗଞ୍ଜେଇ ଚାଷ ବେଆଇନ ଅଟେ। ଏହା କରୁଥିବା ଜଣାପଡ଼ିଲେ ଜମି ମାଲିକ, ଚାଷୀ, ଗଞ୍ଜେଇ ଚୋରା ଚାଲାଣକାରୀ ତଥା ଗଞ୍ଜେଇ ବେପାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ରହିଛି I ଏଣୁ, ଗଞ୍ଜେଇ ଚାଷ ସମୂଳେ ବିନାଶ ପାଇଁ ପ୍ରତିବର୍ଷ ଗଜପତି ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ହଜାର ହଜାର ଏକର ଗଞ୍ଜେଇ ଗଛ ନଷ୍ଟ କରାଯାଉଛି। ଏଣୁ, ଲୋକେ ଗଞ୍ଜେଇ ଚାଷ ଛାଡି ଆଳୁ, କାଜୁ, ମକା, ମାଣ୍ଡିଆ, ବାଜରା ଆଦି ଚାଷ କରିବା ପାଇଁ କୃଷି ବିଭାଗ ଓ ଉଦ୍ୟାନ ବିଭାଗ ସହ ଯୋଗାଯୋଗ କରିବାକୁ ଏସ୍ପି ପରାମଶ୍ର ଦେଇଥିଲେ. ଗଜପତି ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା । ପର୍ଯ୍ୟାପ୍ତ ଜମି ନଥିବା ଯୋଗୁଁ ଲୋକେ ପାହାଡ଼ ଉପରେ ନିର୍ଭର କରନ୍ତି. ଅନ୍ୟପକ୍ଷରେ ଆଦିବାସୀଙ୍କ ପାଇଁ ଥିବା ଟିଡିସିସିଗୁଡ଼ିକୁ ସରକାର ବନ୍ଦ କରିଦେଇଛନ୍ତି । ଏଣୁ, ଆଦିବାସୀଙ୍କୁ ସରକାର ଉପଯୁକ୍ତ ଚାଷ ବ୍ୟବସ୍ଥା ସହ ଜଳସେଚନର ବ୍ୟବସ୍ଥା ଏବଂ ଉନ୍ନୟନମୂଳକ କାର୍ଯ୍ୟାଦିର ସୁବିଧା କରାଇଲେ ଲୋକେ ଗଞ୍ଜେଇ ଚାଷରୁ ନିବୃତ୍ତ ରହିବେ ବୋଲି ଆଦିବାସୀ ନେତାମାନେ ମତ ପ୍ରକାଶ କରିଥିଲେ । ବୈଠକରେ ଆର.ଉଦୟଗିରି ଏସ୍ଡିପିଓ ଅଶ୍ବିନୀ ନାୟକ, ମୋହନା ଥାନାଧିକାରୀ ବସନ୍ତ ସେଠୀ, ଅଡ଼ବା ଥାନାଧିକାରୀ ଶୁଭ୍ରାନ୍ତ ପଣ୍ଡାଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ବୁଦ୍ଧିଜୀବୀ ଓ ଜନସାଧାରଣ ଯୋଗ ଦେଇଥିଲେ | ଅଗଷ୍ଟ ୨୩ ତାରିଖରେ ପୁଲିସ ପକ୍ଷରୁ ଅଡ଼ବାରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା।