ଗଣମାଧ୍ୟମ ପ୍ରତିନିଧିଙ୍କୁ ଧମକ ଅଭିଯୋଗ ନେଇ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏସପିଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଓ୍ବାଇଏନ୍ଏସ୍):ମହାମାରୀ କରୋନା ଭୁତାଣୁ ସାରା ବିଶ୍ୱରେ ହା ହା କାର ସୃଷ୍ଟି କରିଛି । ଭାରତ ବର୍ଷରେ ମଧ୍ୟ ଏହା ବ୍ୟାପକ ଭାବେ ବ୍ୟାପିବାରେ ଲାଗିଛି । ଏ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ସଚେତନତା କରିବା ସହ ବିଭିନ୍ନ କାର୍ଯ୍ୟ କରାଯାଉଛି । କରୋନା ମୁକାବିଲାରେ ଆଗ ଧାଡ଼ିରେ ନିଜ ଜୀବନକୁ ବାଜି ଲଗାଇ କୋଭିଡ଼-୧୯ ଯୋଦ୍ଧା ଭଳି ସାମ୍ବାଦିକମାନେ କାର୍ଯ୍ୟ କରୁଛନ୍ତି । ଏ ପରିପ୍ରେକ୍ଷୀରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ସାମ୍ବାଦିକମାନଙ୍କୁ କୋଭିଡ଼ ଯୋଦ୍ଧାର ମାନ୍ୟତା ଦେଇ ସମ୍ବର୍ଦ୍ଧନା କରାଯାଇଛି । ଗଞ୍ଜାମ ଜିଲ୍ଲାର ପୋଲସରା ଅଂଚଳର ଜଣେ କୋଭିଡ଼ ଯୋଦ୍ଧା ତଥା ଗଣମାଧ୍ୟମ ପ୍ରତିନିଧିଙ୍କୁ କିଛି ଯୁବକ ଦୁର୍ବ୍ୟବହାର କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଜଣାପଡ଼ିଛି । ଏ ନେଇ ସାମ୍ବାଦିକମାନେ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବି କରିଛନ୍ତି । ଜଣେ କର୍ତବ୍ୟନିଷ୍ଠ ସାମ୍ବାଦିକଙ୍କୁ ଏପରି ଦୁର୍ବ୍ୟବହାର ଓ ଜୀବନରେ ମାରିଦେବା ଘଟଣାକୁ ନେଇ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ସଂଘ (ଓୟୁଜେ)ର ଅନୁବନ୍ଧିତ ପକ୍ଷରୁ ଘୋର ନିନ୍ଦା କରିବା ସହ ଏହାର ପ୍ରତିବାଦରେ ବୁଧବାର ଛତ୍ରପୁରଠାରେ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ସ୍ଥାନୀୟ ଅନସ୍ଲୋ ଉଚ୍ଚ ବିଦ୍ୟାଳୟ ସମ୍ମୁଖରୁ ସାମାଜିକ ଦୂରତାରେ ରହି ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟରେ ପହଂଚି ଏସପିଙ୍କ ଅନୁପସ୍ଥିତିରେ ଡିଏସପି ଉତ୍କଳ କେଶରୀ ଦାଶଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି । ଏହାସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ନିମନ୍ତେ ସଂଘର ସଦସ୍ୟମାନେ ଡିଏସପି ଶ୍ରୀ ଦାଶଙ୍କୁ କହିବା ସହ ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ମଧ୍ୟ ସେମାନେ କହିଛନ୍ତି । ନଚେତ ଆଗାମୀ ଦିନରେ ସଂଘ ପକ୍ଷରୁ ବ୍ୟାପକ ଭାବେ ଆନ୍ଦୋଳନ କରାଯିବ ବୋଲି ସଂଘର ସଦସ୍ୟମାନେ ସୂଚନା ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନବେଳେ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ସଂଘର ପୂର୍ବତନ ଜିଲ୍ଲା ସଭାପତି ହରିହର ପାତ୍ର, ଛତ୍ରପୁର ସାମ୍ବାଦିକ ସଂଘର ସଭାପତି ରବୀନ୍ଦ୍ର କୁମାର ପଣ୍ଡା, ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାରଣା, ବସନ୍ତ କୁମାର ମହାରଣା, ସରୋଜ କୁମାର ସାମଲ, ଅଶୋକ କୁମାର ବେହେରା, ସନ୍ତୋଷ କୁମାର ସାହୁ, ଦିଲ୍ଲୀପ କୁମାର ସାମଲ, କେ.ରମେଶ, ସୁଧିର ନାହାକ, ନିମାଇଁ ପଣ୍ଡା, ପୋଲସରାର କିଶୋର ଚନ୍ଦ୍ର ଦାଶ, ସୀମାଂଚଳ ସାହୁ, ଶିବପ୍ରସାଦ ସାହୁ, ମନୋଜ କୁମାର ଘଡ଼େଇଙ୍କ ସମେତ ସଂଘର ବହୁ ସଦସ୍ୟମାନେ ଉପସ୍ଥିତ ଥିଲେ । ପ୍ରକାଶଯୋଗ୍ୟ ଯେ ଗତ ୨ ତାରିଖ ଦିନ ପୋଲସରାର ବରିଷ୍ଠ ସାମ୍ବାଦିକ କିଶୋର ଚନ୍ଦ୍ର ଦାଶଙ୍କୁ ପୋଲସରା ଅଂଚଳର ଚାରି ଜଣ ଯୁବକ ର୍ଦୁବ୍ୟବହାର କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏ ନେଇ ସାମ୍ବାଦିକ ଶ୍ରୀଦାଶ ପୋଲସରା ଥାନାରେ ଏକ ଏତଲା ଦାୟର କରିଥିଲେ । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ନେଇ ପୋଲସରା ଅଂଚଳର ସାମ୍ବାଦିକମାନେ ମଧ୍ୟ ପୋଲସରା ଥାନା ଅଧିକାରୀଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଥିଲେ । ଘଟଣାର ପ୍ରାୟ ସପ୍ତାହ ଉର୍ଦ୍ଧ୍ୱ ହୋଇଥିଲେ ମଧ୍ୟ ପୁଲିସ ପକ୍ଷରୁ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇନଥିବା ହେତୁ ଆଜି ଗଞ୍ଜାମ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବି ନେଇ ଗଞ୍ଜାମ ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ