ଗଣେଶ୍ୱରଙ୍କ ଅକାଳ ମୃତ୍ୟୁରେ ଶୋକାକୁଳ ହୋଇପଡିଛି ଗ୍ରାମ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତଗାଙ୍ଗପଡା ଗ୍ରାମପଞ୍ଚାୟତର ଗୋଗୁଆ ଗ୍ରାମର ଗଣେଶ୍ୱର ଓଝାଙ୍କର ୪୭ବର୍ଷ ବୟସରେ ଅକାଳ ମୃତ୍ୟୁ ହୋଇଯାଇଛି । ଗଣେଶ୍ୱର ଜଣେ ଦିନ ମଜୁରିଆ ଭାବେ ଏଣେ ତେଣେ ବୁଲି ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କର ଅକାଳ ମୃତ୍ୟୁ ପରିବାର ପାଇଁ ଚିନ୍ତାର କାରଣ କାରଣ ପାଲଟିଛି । ଜମିଜମା କହିଲେ ଘରଡିହ ଖଣ୍ଡିକ ଛାଡିଦେଲେ ଆଉ କିଛି ନାହିଁ । ତାଙ୍କର ଆର୍ଥିକ ସ୍ଥିତି ଅତ୍ୟନ୍ତ ନୈରାଶ ଜନକ । ତାଙ୍କ ପୁଅ ମୁକେଶ ମାଟ୍ରିକରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ କଲେଜରେ ନାମ ଲେଖାଇ ପାଠ ପଢୁଥିବା ବେଳେ ଝିଅ ମୋନାଲିସା ଚଳିତ +୨ ପରୀକ୍ଷାରେ ମଧ୍ୟ ପ୍ରଥମ ଶେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପୁଅ ଝିଅଙ୍କୁ କଲେଜରେ ପାଠପଢାଇବା ତାଙ୍କ ପକ୍ଷେ ସମ୍ଭବ ହେଉନଥିଲା । ଏହି କାରଣ ଯୋଗୁଁ ପରିବାରରେ ବିଭିନ୍ନ ସମୟରେ କଳହ ଲାଗୁଥିଲା । ଦାରିଦ୍ର୍ୟତା ପାଇଁ ସେ ସର୍ବଦା ମାନସିକ ଚିନ୍ତାରେ ରହୁଥିଲେ । ଲିଭର କ୍ୟାନସର ରୋଗରେ ପିଡିତ ଗଣେଶ୍ୱର ସାହି ପଡିଶାଙ୍କ ସହଯୋଗରେ ଦୀର୍ଘଦିନ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଗଣେଶ୍ୱରଙ୍କ ଲିଭର କ୍ୟାନସର ରୋଗ ବଢିବା ସହ କିଡନୀ ଖରାପ ହୋଇଯାଇଥିଲା । ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ଥିବା ବେଳେ ପରିବାର ବୋଝ, ପିଲାଙ୍କ ପାଠପଢା ବିଷୟରେ ଚିନ୍ତାକରି ଶେଷରେ ରୋଗାକ୍ରାନ୍ତ ହୋଇ ଆଖି ବୁଜିଲେ ଗଣେଶ୍ୱର । ସାହି ପଡିଶା, ମହିଳା ମଣ୍ଡଳ ଓ ସରପଞ୍ଚ ଅଶ୍ୱିନୀ କୁମାର ପାତ୍ରଙ୍କ ସହାୟତାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସେ ଗାଙ୍ଗପଡା ପଞ୍ଚାୟତର ୭ନମ୍ବର ୱାର୍ଡର ପୂ ର୍ବତନ ୱାର୍ଡସଭ୍ୟ ଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀ ମିନତୀ ଓଝା ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।


