ଗରିବଙ୍କୁ ଆହାର ପାଇଁ ଜମି ବିକିଲେ ଦୁଇଭାଇ
ବେଙ୍ଗାଲୁରୁ: କରୋନାକୁ ମାତ ଦେବା ପାଇଁ ସରକାରଙ୍କ ଠାରୁ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଆଗେଇ ଆସିଛନ୍ତି । ସମସ୍ତଙ୍କର ଗୋଟିଏ ଜିଦ ହାରିବ କରୋନା । ଲକଡାଉନ ଯୋଗୁଁ ଏବେ ଶ୍ରମିକ ଏବଂ ଗରିବ ଶ୍ରେଣୀର ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କୁ ସହାୟତା ପାଇଁ ଅନେକ ଲୋକ ଆଗେଇ ଆସୁଛନ୍ତି । କର୍ଣ୍ଣାଟକର କୋଲାର ଜିଲ୍ଲାର ଦୁଇ ବ୍ୟବସାୟୀ ଭ୍ରାତା ତାଜାମୁଲ ପାଶା ଓ ମୁଜାମିଲ ପାଶା ମଧ୍ୟ ଏମାନଙ୍କ ମଧ୍ୟରେ ନିଜକୁ ସାମିଲ କରିଛନ୍ତି । ଗରିବଙ୍କ ମୁହଁରେ ଆହାର ଦେବା ପାଇଁ ସେମାନେ ନିଜ ଜମି ବିକ୍ରି କରିଦେଇଛନ୍ତି । ୨୫ ଲକ୍ଷ ଟଙ୍କାରେ ଜମି ବିକି ସେଥିରେ ସେ ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି ।
କୋଲାରରେ ଅନେକ ଦିନ ମଜୁରିଆ ଏବଂ ସେମାନଙ୍କ ପରିବାର ଲକଡାଉନ ଯୋଗୁଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦୁଇଓଳି ଦୁଇମୁଠା ଖାଇବାକୁ ସେମାନଙ୍କ ପାଖରେ ସମ୍ବଳ ନାହିଁ । ସେମାନଙ୍କର ଏଭଳି ଦଶା ଦେଖିବା ପରେ ପାଶା ଭ୍ରାତା ନିଜ ଜମି ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ । ଜମି ପାଇଁ କେଉଁଠି ଭାଇ ଭାଇ ମଧ୍ୟରେ ହାଣକାଟ ପରିସ୍ଥିତି ଉପୁଜୁ୍ଥିବା ବେଳେ ଏହି ଦୁଇ ଭାଇ କିନ୍ତୁ ଅନ୍ୟ ମାନଙ୍କ ପାଇଁ ଜମି ବିକ୍ରି କରି ଉଦାହରଣ ସାଜିଛନ୍ତି । ଏମାନେ ଜମି ବିକ୍ରି କରି ଅନେକ ସଂଖ୍ୟାରେ ଗରିବ ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଖାଦ୍ୟଶସ୍ୟ କ୍ରୟ କରିଛନ୍ତି ।