ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଭାରତୀୟ ରେଳବାଇ
ନୂଆ ଦିଲ୍ଲୀ:ଓଡ଼ିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ଏହି ୬ଟି ରାଜ୍ୟର ୧୧୬ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଭାରତୀୟ ରେଳବାଇ ନିଜ କାର୍ଯ୍ୟକ୍ରମ ମାଧ୍ୟମରେ ଚଳିତ ସେପ୍ଟେମ୍ବର ୪ ସୁଦ୍ଧା ୮,୦୯,୦୪୬ ଶ୍ରମ ଦିବସ ସୃଷ୍ଟି କରିଛି । ରେଳବାଇ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ବ୍ୟକ୍ତିଗତଭାବେ ଏସବୁ ପ୍ରକଳ୍ପର କାମକୁ ନିବିଡଭାବେ ଅନୁଧ୍ୟାନ କରୁଛନ୍ତି । କରୋନା ଯୋଗୁଁ ଭିଟାମାଟିକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କାମ ଯୋଗାଇଦେବାକୁ ଉଦ୍ଦିଷ୍ଟ ଏହି କାର୍ୟ୍ୟକ୍ରମ ଦ୍ୱାରା ଲୋକେ ଠିକ୍ଭାବରେ କାମ ପାଉଛନ୍ତି କି ନାହିଁ ତାହା ଶ୍ରୀ ଗୋଏଲ ତଦାରଖ କରୁଛନ୍ତି । ଏସବୁ ୬ଟି ରାଜ୍ୟରେ ଭାରତୀୟ ରେଳବାଇ ପକ୍ଷରୁ ୧୬୪ଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।ଚଳିତବର୍ଷ ସେପ୍ଟେମ୍ବର ୪ ସୁଦ୍ଧା ଏସବୁ ପ୍ରକଳ୍ପରେ ୧୨,୨୬୭ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି ଏବଂ ସେମାନଙ୍କୁ ମଜୁରି ବାବଦରେ ୧,୬୧୩.୮୦ କୋଟି ଟଙ୍କା ସଂପୃକ୍ତ ଠିକାଦାରମାନଙ୍କ ଜରିଆରେ ପ୍ରଦାନ କରାଯାଇଛି ।
ଭାରତୀୟ ରେଳବାଇ ଏହି କାର୍ଯ୍ୟ ତଦାରଖ କରିବା ପାଇଁ ପ୍ରତ୍ୟେକ ଜିଲା ଏବଂ ରାଜ୍ୟରେ ନୋଡାଲ ଅଫିସର ନିଯୁକ୍ତି କରିଛି । ଏହାଫଳରେ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ସମ୍ଭବ ହୋଇଛି । ଏହି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ରେଳ ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ଲେବଲ କ୍ରସିଂ ନିକଟରେ ସଂଯୋଗ ପଥ ନିର୍ମାଣ ଓ ତାହାର ରକ୍ଷଣାବେକ୍ଷଣ, ରେଳପଥ ପାଶ୍ୱର୍ରେ ଥିବା ଜଳପଥ ଓ ନାଳନର୍ଦ୍ଦମା ସଫେଇ ଏବଂ ରକ୍ଷଣାବେକ୍ଷଣ, ରେଳ ଷ୍ଟେସନକୁ ସଂଯୋଗ ପଥର ନିର୍ମାଣ ଏବଂ ତାହାର ରକ୍ଷଣାବେକ୍ଷଣ, ରେଳପଥଗୁଡିକର ମରାମତି ଏବଂ ଏହାର ଚଉଡା ବୃଦ୍ଧି, ରେଳପଥ ଜାଗାର ସୀମାରେଖା ନିକଟରେ ବୃକ୍ଷରୋପଣ ତଥା ରେଳପଥ ଓ କଟିଂ ଏବଂ ସେତୁଗୁଡିକର ସୁରକ୍ଷା କାର୍ଯ୍ୟ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କରୋନା ଯୋଗୁଁ ସ୍ୱଗୃହକୁ ପଳାଇ ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇ ଦେବା ଉଦ୍ଦେଶ୍ୟରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିଥିଲେ । ଏହାଛଡା ଗ୍ରାମସ୍ତରରେ କାମଧନ୍ଦା ପାଉନଥିବା ଶ୍ରମିକଙ୍କୁ ମଧ୍ୟ ଏଥିରେ ରୋଜଗାର ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲା । ଜୁନ୍ ୨୦ରେ ଏହି ରୋଜଗାର ଅଭିଯାନ ଘୋଷଣା କରାଯାଇଥିଲା । ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଗ୍ରାମାଞ୍ଚଳରେ ସ୍ଥାୟୀ ଭିତ୍ତିଭୂମି ଗଢି ତୋଳିବାକୁ ୫୦ ହଜାର କୋଟି ଟଙ୍କା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଏହି ଅଭିଯାନ ଏବେ ୧୨୫ ଦିନ ସଂପୂର୍ଣ୍ଣ କରିଛି । ମିଶନ ମୋଡରେ କାର୍ଯ୍ୟକାରୀ ହେଉଥିବା ଏହି ଅଭିଯାନରେ ୨୫ ପ୍ରକାର କାର୍ଯ୍ୟ ଓଡ଼ିଶା, ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଭଳି ପ୍ରବାସୀ ଶ୍ରମିକପ୍ରବଣ ରାଜ୍ୟର ୧୧୬ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି । ଏହି ଯୋଜନା ପାଇଁ ମୋଟ ୫୦ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖାଯାଇଛି ।କେନ୍ଦ୍ର ସରକାରଙ୍କ ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ, ସଡ଼କ ପରିବହନ ଓ ରାଜମାର୍ଗ, ଖଣି, ପାନୀୟଜଳ ଏବଂ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍, ନୂଆ ଓ ଅଣପାରମ୍ପରିକ ଶକ୍ତି, ସୀମାନ୍ତ ସଡ଼କ, ଟେଲିକମ୍ ଓ କୃଷି ଆଦି ୧୨ଟି ମନ୍ତ୍ରଣାଳୟ ଓ ବିଭାଗର ମିଳିତ ସହଯୋଗରେ ଏହି ଅଭିଯାନ କାର୍ଯ୍ୟକାରୀ ହେଉଛି ।