ଗରିବ ଙ୍କ ନାଁ ରେ ହରି ଲୁଟ

ମୋହନା, (ଅଂଶୁମାନ ପଣ୍ଡା) :କେନ୍ଦ୍ର କୁଆଯାଉ କିମ୍ବା ରାଜ୍ୟ ସରକାର ଗରିବ ଖଟିଖିଆ ତଥା ଦିନ ମଜୁରିଆ ମାନଙ୍କୁ ପକ୍କାଘର ଯୋଗାଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ଆବାସ ଘରେ ବିଜୁ ପକ୍କାଘର ଯୋଜନାର ବୋର୍ଡ ଲଗାଇ ଭୋଟ ରାଜନୀତି କରୁଛନ୍ତି ରାଜ୍ୟ ସରକାର । କିନ୍ତୁ ତାହାକୁ ପ୍ରଶାସନ ପକ୍ଷରୁ ସଠିକ ତଦାରଖ କରାଯାଉନଥିବା ଏବଂ ପ୍ରଶାସନିକ ଅଧିକାରୀ ମାନେ ରାଜ୍ୟ ସରକାରଙ୍କ ଚାଟୁକାରିତା କରୁଥିବା ଯୋଗୁଁ ବାଟହୁଡିବାରେ ଲାଗିଛି ସରକାରୀ ଯୋଜନା । ଫଳରେ ଦୁର୍ଗମ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ପଲିଥିନ ବନ୍ଧା କୁଡିଆରେ ଜୀବନ କାଟୁଛନ୍ତି ଏକାଧିକ ଆଦିବାସୀ ପରିବାର । ତେବେ ଅସମ୍ପୂର୍ଣ୍ଣ ପକ୍କାଘର କୁ ନେଇ କିଏ ବାଃ ବାଃ ନେବ? ତାହାକୁ ନେଇ ଉଠିଛି ଏବେ ବଡ଼ ପ୍ରଶ୍ନ । କିଭଳି ପୋଲିଥିନ ବନ୍ଧା କୁଡିଆରେ ଅଛନ୍ତି ଲୋକେ । ଆଉ କୁଡିଆଘର ପଛପଟେ କିଛି ଅର୍ଧନିର୍ମିତ ପକ୍କା ଘର । ଆପଣ ଭାବୁଥିବେ ପଛପଟେ ପକ୍କା ଘର ଆଉ ତା ସମ୍ମୁଖରେ କୁଡିଆଘର ତଥାପି ଲୋକେ ଏଭଳି କାହିଁକି ଜୀବନ ବିତାଉଛନ୍ତି ।ୟେ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଳକ୍ ଢେପାଗୁଡା ପଞ୍ଚାୟତର ଅତି ଦୁର୍ଗମ ଇଲାକାରେ ଥିବା ପଦରବାଡି ଗ୍ରାମର ଆଦିବାସୀ ପରିବାରଙ୍କ ଦୃଶ୍ୟ । ଗଂଜାମ-ଗଜପତିର ଶେଷ ଭାଗରେ ଅବସ୍ଥିତ ଏହି ଗ୍ରାମରେ ବସବାସ କରନ୍ତି ପ୍ରାୟ ୧୩ ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର । ହେଲେ ଗରିବ ସୀମାରେଖା ତଳେ ବସବାସ କରୁଥିବା ଏହି ଗ୍ରାମର କିଛି ଲୋକଙ୍କୁ ୨୦୧୯/୨୦ ମସିହାରେ ପକ୍କାଘର ଯୋଜନାରେ ସାମିଲ କରାଯାଇ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ବୋଲି ହିତାଧିକାରୀଙ୍କ ଠାରୁ ଜଣାପଡିଛି । ହେଲେ ସେମାନେ ଦୁର୍ଗମ ଅଞ୍ଚଳରେ ବାସକରିବା, ଆଦିବାସୀ ଗରିବ, ଅଶିକ୍ଷିତ ତଥା ସରଳ ହୋଇ ଥିବାରୁ ପଞ୍ଚାୟତ ର ପିଅନ ଏବଂ ଜଣେ ଠିକାଦାର ସେମାନଙ୍କୁ ବୁଝାଇ ତିନି ମାସ ମଧ୍ୟରେ ଘର ସମ୍ପୂର୍ଣ୍ଣ କରିବା ପାଇଁ ପ୍ରତିଶ୍ରୁତି ଦେଇ ସେମାନଙ୍କ ଠାରୁ ବ୍ୟାଙ୍କ୍ ପାସ୍ ବୁକ୍ ଆଧାର କାର୍ଡ଼ ଇତ୍ୟାଦି ନେଇଥିଲେ ।ଠିକାଦାର ଘର କାମ ଆରମ୍ଭ କରିବା ପରେ ଦୁଇ ଥର ବିଲ୍ ମଧ୍ୟ ନେଇଛନ୍ତି । ହେଲେ ତିନିମାସ ମଧ୍ୟରେ ଘର ସମ୍ପୂର୍ଣ୍ଣ ନକରି ଛୁ ମାରିଥିବା ବେଳେ ସିମେଣ୍ଟ ମଧ୍ୟ ପଥର ହୋଇଗଲାଣି । ସେମାନେ ସେମାନଙ୍କ ଘର ସମ୍ପୂର୍ଣ୍ଣ କରିବା ପାଇଁ ଚାହିଁ ବସିଥିବା ବେଳେ ପଞ୍ଚାୟତର ସରପଞ୍ଚ ଓ ସରକାରୀ ବାବୁଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ହେଲେ ସେମାନଙ୍କ ଗୁହାରି ବୁଝୁଛି କିଏ ? ଯାହା ଫଳରେ ଏବେବି କୁଡିଆଘରେ ସରଳ ଆଦିବାସୀଙ୍କ ଜୀବନ । ସରକାର ଗୋଟିଏ ପଟେ ସମସ୍ତ ପରିବାରର ମୁଣ୍ଡ ଉପରେ ପକ୍କାଘର ନିର୍ମାଣ ସ୍ୱପ୍ନ ଦେଖୁଥିବା ବେଳେ ଗରିବ ହିତାଧିକାରୀ ମାନେ ଏବେ ମଧ୍ୟ ଝାଟିମାଟି, ଫଟାକାନ୍ଥ, ପୋଲିଥିନ ବନ୍ଧା ଦିନରେ ସୂର୍ଯ୍ୟ ରାତିରେ ଜହ୍ନ ଦେଖାଯାଉଥିବା କୁଡିଆଘରେ ଦିନ ଦାରିଦ୍ର୍ୟତା ଭାବେ ଜୀବନ ବିତାଉଛନ୍ତି । ଅନ୍ୟ ପଟେ ପ୍ରବଳ ଶୀତ ସାଙ୍ଗକୁ ବର୍ଷା ହେଉଥିଲେ ସେମାନଙ୍କ ଦୂର୍ଦଶା ବୋଝ ଉପରେ ନଳୀତା ବିଡ଼ା ସଦୃଶ୍ୟ ହୋଇଯାଏ । କେବଳ ଏତିକି ରେ ସେମାନଙ୍କ ଦୁଃଖ ସରିନି ସେମାନଙ୍କ ଘର ନିର୍ମାଣ କରିବା ପାଇଁ ସମସ୍ତ କୁଲିମୂଲ ହିତାଧିକାରୀ ଦେଇଥିବା ବେଳେ ଘରର ତାଜା ନିର୍ମାଣ ପାଇଁ ଅଲଗା ଭାବେ ୧୦ ହଜାର ଟଙ୍କା ନେବାପାଇଁ କହି ଅଗ୍ରୀମ ୫ ହଜାର ଟଙ୍କା ମଧ୍ୟ ଠିକାଦାର ନେଇଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଖାଲି ଏତିକି ନୁହେଁ ହିତାଧିକାରୀ ମରିଯିବା ପରେ ସରପଞ୍ଚ ସେମାନଙ୍କ ରାସନ କାର୍ଡ଼ ନେଇ ରାସନ ଦେଉନଥିବା ମଧ୍ୟ ଅଭିଯୋଗ କରିଛନ୍ତି ମୃତ ହିତାଧିକାରୀଙ୍କ ପୁଅ ସନ୍ତୋଷ ରଇତ।, ନିଳା ରଇତ, ସରକାର ଗରିବ ହିତାଧିକାରୀଙ୍କ ପାଇଁ ଯୋଜନା ଗୋଡି ଛନ୍ତି । କିନ୍ତୁ ସ୍ଥାନୀୟ ନେତା, ସରକାରୀ ବାବୁ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଯୋଜନା ଦିଗହରା ହେଉଥିବା ବେଳେ ବ୍ଲକ ଓ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ