ଗଳଦାରୀ ଗ୍ରାମବାସୀଙ୍କ ଲୋକପାଳଙ୍କ ନିକଟରେ ଅଭିଯୋଗ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଗଳଦାରୀ ପଂଚାୟତର ଗଳଦାରୀ ଗାଁରେ ଥିବା ଶ୍ରୀ ପୋଖରୀକୁ ଅମୃତ ସରୋବର ଯୋଜନାରେ ସାମିଲ କରି ମେସିନ ମାଧ୍ୟମରେ ଖୋଲାଯାଉଥିବା ମନରେଗାର ଜଗତସିଂହପୁର ଜିଲ୍ଲାର ଲୋକପାଳଙ୍କ ନିକଟରେ ଗ୍ରାମର ମିହିର ରଂଜନ ନାୟକ, ସଂଗ୍ରାମ କେଶରୀ ନାୟକ, ଶରତ ଚନ୍ଦ୍ର ନାୟକ ଆଦି ଅଭିଯୋଗ କରିଥିଲେ । ଅଭିଯୋଗ ପାଇଲା ପରେ ଜଗତସିଂହପୁର ଜିଲ୍ଲାର ଲୋକପାଳ କାର୍ଯ୍ୟସ୍ଥଳ ବୁଲି ଦେଖିବା ଜଣାଯାଇଛି । ଅଭିଯୋଗ ମୁତାବକ ଏମଜିଏନଆରଇଜିଏସ ଯୋଜନାରେ ଶ୍ରମିକଙ୍କ ବଦଳରେ ମେସିନ କାର୍ଯ୍ୟ କରୁଅଛି । ପ୍ରଥମେ କାର୍ଯ୍ୟ କରି ପରେ ମଷ୍ଟର ରୋଲ ବାହାର କରିବା ସହିତ ବିଲ କରାଯାଉଥିବା ଅଭିଯୋଗରେ ଦର୍ଶାଯାଇଛି । ଯାହାଫଳରେ ମନରେଗା ନିୟମକୁ ଉଲ୍ଲଘଂନ କରାଯାଉଥିବା ବେଳେ ସରକାରୀ ଅର୍ଥ ବହୁଳ ଭାବରେ ବାଟ ମାରଣା ହେଉଛି । ତେଣୁ ଏହାର ସଠିକ ତଦନ୍ତ କରିବା ପାଇଁ ସେମାନେ ଅଭିଯୋଗରେ ଦର୍ଶାଇଥିଲେ । ଅଭିଯୋଗ ପାଇବା ପରେ ଲୋକପାଳ ଜଗତସିଂହପୁରଙ୍କ କାର୍ଯ୍ୟାଳୟ ଚିଠି ନଂ-୭୨୮ ତା ୨୩ ମେ ୨୦୨୩ରେ ଏହାର ତଦନ୍ତ କରାଯିବା ପାଇଁ ଅଭିଯୋଗ କରିଥିବା ଅଭିଯୋଗକାରୀ ମିହିର ନାୟକ, ବିଡିଓ ନାଉଗାଁ, ସରପଂଚ ଗଳଦାରୀ ଆଦିଙ୍କୁ ଅବଗତ କରାଯାଇଥିଲା । ୨୪ମେ ୨୦୨୩ ବୁଧବାର ଲୋକପାଳ ରମେଶ ଚନ୍ଦ୍ର ବେହେରା ଉକ୍ତ କାର୍ଯ୍ୟକୁ ତଦନ୍ତ କରିବା ପାଇଁ ଆସିଥିଲେ । ତଦନ୍ତ ସମୟରେ ଶ୍ରମିକମାନେ ପୋଖରୀ କାର୍ଯ୍ୟ କରୁଥିବା ଜଣାଯାଇଥିଲା । ଏବିଷୟରେ ଲୋକପାଳ ରମେଶ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ-ମେସିନ କାର୍ଯ୍ୟ କରୁଥିବା ଅଭିଯୋଗ ଉପରେ ତଦନ୍ତ କରାଯାଇଥିଲା । ସ୍ଥାନୀୟ ସରପଂଚଙ୍କ କହିବା ମୁତାବକ ଉକ୍ତ ପୋଖରୀରେ ଦଳ ରହିଥିବା ଯୋଗୁ ମେସିନ ମାଧ୍ୟମରେ ପ୍ରଥମେ ସଫା କରାଯାଇଥିଲା । ଆଜି ଠାରୁ ମଷ୍ଟର ରୋଲ ବାହାର କରାଯାଇ ଶ୍ରମିକମାନଙ୍କ ଦ୍ୱାରା କାର୍ଯ୍ୟ କରାଯାଉଛି ବୋଲି କହିଥିଲେ । ଉକ୍ତ ତଦନ୍ତ ଉପରେ ଅଭିଯୋଗକାରୀ ମିହିର ରଂଜନ ନାୟକ ଓ ଅନ୍ୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କେବଳ ଗଳଦାରୀ ନୁହେଁ ଉକ୍ତ ପଂଚାୟତ ଏରେଡାରେ ମଧ୍ୟ ଅମୃତ ସରୋବର ଯୋଜନାରେ ଏକ ପୋଖରୀ ମେସିନରେ ଖୋଲାଯାଇଛି,ଗଳଦାରୀ ପୋଖରୀ ମଧ୍ୟ ମେସିନ ମାଧ୍ୟମରେ ଖୋଳାଯାଇଛି । ଅଭିଯୋଗ ପରେ ତଦନ୍ତ ହେବା ଜାଣି ଶ୍ରମିକମାନଙ୍କୁ ଏକଜୁଟ କରାଯାଇ ପୋଖରୀ ଖୋଳାଯାଉଥିବା ନାୟକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ