ଗଳିପୋଲ ପାଇଁ ଏନଏଚଆଇ କତ୍ତୃପକ୍ଷଙ୍କ କ୍ଷେତ୍ର ପରିଦର୍ଶନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ଯଶୋଟିକିରି ସ୍କୁଲ ଛକ ଠାରେ ଏକ ଗଳି ପୋଲ ନିର୍ମାଣ ପାଇଁ ଜାତୀୟ ରାଜପଥ କତ୍ତୃପକ୍ଷ ଆଜି କ୍ଷେତ୍ର ପରିଦର୍ଶନ କରିଥିବା ଜଣାପଡିଛି । ରାଜପଥର ଆଖୁଆପଦା ଛକ ଠାରୁ ଯଶୋଟିକିର ଛକ ଏକ ଦୁର୍ଘଟଣା ପ୍ରବଣ ସ୍ଥାନ ହୋଇଥିବାବେଳେ ରାଜପଥ ସମ୍ପପ୍ରସାରଣ କାର୍ଯ୍ୟ ସମୟରେ ଏଠାରେ ଗଳିପୋଲ ନିର୍ମାଣ ପାଇଁ ଦାବି ଜଣାଯାଇଥିଲା । ଏନେଇ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କ ଯାଏଁ ସମସ୍ତଙ୍କୁ ସ୍ଥାନୀୟ ସରପଞ୍ଚ ବଦ୍ରୀନାରାୟଣ ରାଉତ ଲିଖିତ ଭାବେ ଜଣାଇଥିଲେ । ସ୍ଥାନୀୟ ଜନସାଧାରଣ ରାଜପଥ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ଅଧିକାରୀଙ୍କୁ ମଧ୍ୟ ଏବାବଦରେ ଆପତ୍ତି ଅଭିଯୋଗ କରିଛନ୍ତି । ଗୁରୁତ୍ୱ ଦୃଷ୍ଟିରୁ ଯଶୋଟିକିରି ଠାରେ ପୋଲ ନିର୍ମାଣର ଆବଶ୍ୟକତା ଥିବାବେଳେ ଆଜି ଜାତୀୟ ରାଜପଥ କତ୍ତୃପକ୍ଷ କ୍ଷେତ୍ର ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଜାତୀୟ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକ ଜୟପ୍ରକାଶ ବର୍ମା, ସହ ନିର୍ଦ୍ଦେଶକ ରାଜଶେଖର ଓ ଠିକା ସଂସ୍ଥା ଅଧିକାରୀ ହରିଶଙ୍କର ସିଂ ଯଶୋଟିକିରି ଛକ ଠାରେ ପ୍ରସ୍ତାବିତ ଗଳିପୋଲ ସ୍ଥାନ ପରିଦର୍ଶନ କରି ପୋଲ ନିର୍ମାଣ ସମ୍ପର୍କରେ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ସ୍ଥାନୀୟ ସରପଞ୍ଚଙ୍କ ସମେତ ଅଞ୍ଚଳର କୃପାସିନ୍ଧୁ ପୃଷ୍ଟି, ସମାଜସେବୀ ବନମାଳୀ ପୃଷ୍ଟି, ବିରଞ୍ଚି ନାରାୟଣ ରାଉତ, କିଶୋର ଚନ୍ଦ୍ର ଦଳେଇ, ଶିବପ୍ରସାଦ ଦାସ, ହରେକୃଷ୍ଣ ନାୟକ, ରବିନ୍ଦ୍ର ବେହେରା, ନାରାୟଣ ସ୍ୱାଇଁ, ଯଦୁନାଥ ମଳିକ, ଦିଲ୍ଲିପ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଗଳିପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଯାଇଥିବାବେଳେ ସ୍ୱୀକୃତୀ ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ରାଜପଥ ଅଧିକାରୀମାନେ ସୂଚନା ଦେଇଥିବା ଜଣାପଡିଛି ।