ଗଳ୍ପ ପୁସ୍ତକ ଏବଂ ଲୋଗୋ ଉନ୍ମୋଚିତ
ଦିଗପହଣ୍ଡି,-ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଆମଭାଷା ସାହିତ୍ୟ ସଂସଦ କାର୍ଯ୍ୟାଳୟ ପରିସରରେ ଇଂରାଜୀ ନବବର୍ଷକୁ ସ୍ୱାଗତ ଏବଂ ପୁରାତନ ୨୦୧୮ ବର୍ଷକୁ ବିଦାୟ ପୂର୍ବକ ମଧ୍ୟରାତ୍ରୀ କାଳୀନ କବିତା ପାଠତ୍ସୋବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ହିନ୍ଦୀ ଏବଂ ଓଡିଆ ଦୁଇଟି ଭାଷାରେ ରଚିତ ଦୁଇଟି ମିନି ଗଳ୍ପ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ନବ ବର୍ଷ ଅବସରରେ ସଂସଦର ମୁଖ ପତ୍ରିକା ସାପ୍ତାହିକ ଆମଭାଷାର ନୂତନ ଲୋଗୋ ଉନ୍ମୋଚିତ ହୋଇଯାଇଛି । ସଂସଦର ସମ୍ପାଦକ ତଥା ଆଇନଜିବୀ ଗଜାନନ ତ୍ରିପାଠୀ ସ୍ୱାଗତ ଏବଂ ଅତିଥି ପରିଚୟପତ୍ର ଦେବା ପରେ ସଂସଦର ଉପସଭାପତି ପୀତବାସ ତ୍ରିପାଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ଭାବେ ପୁଡାମାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷ ଇଂ ପ୍ରଦୀପ କୁମାର ପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉଦୟପ୍ରତାପ ବିଜ୍ଞାନ ମହାବିଦ୍ୟାଳୟ ଶେରଗଡର ଅଧ୍ୟାପକ ସୁଧାଂଶୁ ମୋହନ ପ୍ରଧାନ, ଓଡିଶା ବାଚସ୍ପତିଙ୍କ ଆଇନ ସହାୟକ ରାମକୃଷ୍ଣ ପାଢୀ, ଶିକ୍ଷୟତ୍ରୀ ଯାଜ୍ଞସିନୀ ରଥ, ଶିକ୍ଷକ ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ବିଭିନ୍ନ କବିତା ପାଠ କରିଥିଲେ । ସେହିପରି ସର୍ବତ୍ର ଓଡିଆ ଭାଷାର ବ୍ୟବହାରକରଣକୁ ନେଇ ଆରମ୍ଭ ହୋଇଥିବା ଆମଭାଷାର ଉଦ୍ୟମକୁ ସାଧୁବାଦ ଦେବା ସହିତ ଭାଷା ଓ ସାହିତ୍ୟ ଗବେଷଣ ଭିତ୍ତିକ ବହୁ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ଯୁବା ଲେଖିକା ଅଙ୍କିତା ମିଶ୍ରଙ୍କ ଦ୍ୱାରା ଉଭୟ ହିନ୍ଦୀ ଏବଂ ଓଡିଆ ଭାଷାରେ ରଚିତ କାହାନୀ କୋଇ ଜିନ୍ଦେଗି କୀ , ଛୋଟ ଛୋଟ କାହାଣୀ ଦୁଇଟି ପୁସ୍ତକ ଉନ୍ମୋଚନ କରାଯାଇଥିଲା । ବ୍ରହ୍ମପୁର ବେଦ ପାଠଶାଳା ଛାତ୍ର ପଣ୍ଡିତ ସମ୍ଭବ କୁମାର ତ୍ରିପାଠୀ ବେଦ ପାଠ କରିବା ପରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଶେଷରେ ସଂସଦର ସଦସ୍ୟା ସମୀକ୍ଷା ରାଣୀ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଂସଦର ସହସମ୍ପାଦକ ତଥା ପିଏଫ୍ଏ ସ୍ୱେଚ୍ଛାସେବୀ ଆଇନଛାତ୍ର ସମୀରକାନ୍ତ ତ୍ରିପାଠୀ, ସସୀତ କୁମାର ସାହୁ, ବଛା ମନୋଜ ଦୋରା, ଅନୀଲ କୁମାର ବେହେରା, ଦେବୀ ପ୍ରସାଦ ମହାପାତ୍ର, ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


