ଗାଁକୁ ବିକାଶ ଅପହଞ୍ଚ , ମିଳୁନି ମୌଳିକ ସୁବିଧା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଢେପାଗୁଡା ପଞ୍ଚାୟତ ଅଧୀନ କୃଷ୍ଣପୁର ଗାଁର ବଣ ଜଙ୍ଗଲ ଘେରା ଶବର ସାହିରେ ଦେଖିବାକୁ ମିଳିଛି ଏପରି ଚିତ୍ର। ମୋ ଗାଁ ମୋ ବିକାଶ ହେଉ କି ବସୁଧା ଯୋଜନା ସବୁ ଏଠି ସତେ ଯେମିତି ଲୋକଙ୍କ ପାଇଁ ସାଜିଛି ସାତସପନ। ମାରିଛି। ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଶବର ଜନଜାତି। ମୋହନା ବ୍ଲକ ମୁଖ୍ୟାଳୟ ଠାରୁ ୫୦ କିମି ଦୂର ଜଙ୍ଗଲ ମଧ୍ୟରେ ବାସ କରନ୍ତି ୪୦ରୁ ୫୦ ଶବର ପରିବାର । ଗାଁରେ ରହିଛି ୨ଟି ନଳକୂପ । କିନ୍ତୁ ନଳକୂପ ରୁ ବାହାରୁ ଅଛି ଦୂଷିତ କଳଙ୍କଯୁକ୍ତ ପାଣି । ସେହି ପାଣି ଓ ଚୂଆଁ ର ଦୂଷିତ ଜଳକୁ ଛାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଯାହାଫଳରେ ଲୋକେ ବିଭିନ୍ନ ରୋଗର ଶିକାର ହେଉଥିବାର ନଜିର ମଧ୍ୟ ରହିଛି। ସାହି ବାସିନ୍ଦା ଯେକୌଣସି ସରକାରୀ ଓ ବେସରକାରୀ କାମରେ ପଞ୍ଚାୟତ, ତହସିଲ, ଥାନା କିମ୍ଵା ନିକଟସ୍ଥ ଗଞ୍ଜାମ ଜିଲ୍ଲାର ଭୀଷ୍ମଗିରି ସ୍ଵାସ୍ୟୁ କେନ୍ଦ୍ରକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ରାସ୍ତାର ଅବସ୍ଥା ଶୋଚନୀୟ ଥିବା ଯୋଗୁଁ ଲୋକେ ଗମନା ଗମନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜରୁରୀ କାଳୀନ ରୋଗୀ ଓ ପ୍ରସୂତି ମହିଳାଙ୍କୁ ୨କିମି ଖଟିଆରେ ବୋହି ଆଣିବା ପରେ ଆମ୍ବୁଲାନ୍ସ ନିକଟରେ ଲୋକେ ପହଞ୍ଚାଇଥାନ୍ତି। ପ୍ରଶାସନକୁ ଗାଁ ଲୋକେ ମୌଳିକ ସୁବିଧା ପାଇଁ ବାରମ୍ବାର ଲିଖିତ ଅଭିଯୋଗ କରି ଆସୁଥିଲେ ମଧ୍ୟ ସୁଫଳ ମିଳୁନଥିବା ଲୋକେ ଅଭିଯୋଗ କରିଛନ୍ତି। ଲୋକେ ସରକାରୀ ଆବାସ ପାଇବାରୁ ବଞ୍ଚିତ ଥିବାରୁ ଝାଟିମାଟି ଓ ଟିଣଛପର ଘରେ ଦୁଃଖ କଷ୍ଟରେ ରହିବାକୁ ବାଧ୍ୟ ହେଉଛନ୍ତି। ଆର୍ଥିକ ସମସ୍ୟା ଯୋଗୁଁ କିଚ୍ଛି ଲୋକଙ୍କ ଆବାସ ଅର୍ଦ୍ଧ ନିର୍ମିତ ଅଵସ୍ଥାରେ ପଡ଼ିରହିଛି।ସରକାର ସରକାରୀ କାର୍ଯ୍ୟରେ ନିଯୁକ୍ତ କରିଥିବା କର୍ମଚାରୀଙ୍କ ଅବହେଳା ପାଇଁ ଆଧାରକାର୍ଡରେ ବୟସ ଜନିତ ତ୍ରୁଟି ଘଟିଥିବା ଯୋଗୁଁ ଯୋଗ୍ୟ ହିତାଧିକାରୀ ସରକାରଙ୍କ ବିଭିନ୍ନ ସୁବିଧା ପାଇବାରୁ ବଞ୍ଚିତ ହୋଇ ଦୟନୀୟ ସ୍ଥିତିରେ ଜୀବନ ଅତିବାହିତ କରୁଛନ୍ତି।ସାହିରେ ବହୁବର୍ଷ ପୂର୍ବେ ସୋଲାର ମାଧ୍ଯମରେ ଘରକୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା କିନ୍ତୁ ସେସବୁ ସୋଲାର ସାମଗ୍ରୀ ବହୁ ପୁରୁଣା ହୋଇଯାଇଥିବାରୁ ମରାମତି ନହେବା ଯୋଗୁଁ ଏବେ ଆଉ କାମ କରୁନି। ଯାହାଫଳରେ ଲୋକେ ଅନ୍ଧକାରରେ ।


