ଗାଁ’ସାଥୀ ସଂଘ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ବାଲେଶ୍ୱର, (ସରୋଜ ପଣ୍ଡା ): ବିଭିନ୍ନ ଦାବି ନେଇ ଓଡ଼ିଶା ଗାଁ’ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଶନିବାର ସ୍ମାରକପତ୍ର ପ୍ରଦାନ କରାଯାଇଛି । ଗୀତାଞ୍ଜଳି ଦାସ, ସଂଧ୍ୟାରାଣୀ ପଣ୍ଡା, କୌଳାସ ଦାସ, ନକୁଳ କୁମାର ସାହୁ, ହେମନ୍ତ ପରିଡ଼ା ପ୍ରମୁଖ ସଂଘର କର୍ମକର୍ତ୍ତାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବାଲେଶ୍ୱର ଜିଲାପାଳଙ୍କୁ ସାକ୍ଷାତ ସହ ସାମ୍ପ୍ରତିକ ସ୍ଥିତିରେ ଗାଁ ସାଥୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ତା’ର ନିରାକରଣ ସମ୍ପର୍କରେ ଅବଗତ କରାଇଥିଲେ । ବିଶେଷ କରି ମନରେଭା ଯୋଜନାରେ ଗ୍ରାମାଞ୍ଚଳରେ ପର୍ଯ୍ୟାପ୍ତ କାର୍ଯ୍ୟ ସାଙ୍ଗକୁ ଗାଁ ସାଥୀଙ୍କୁ ମାସିକ ସର୍ବନିମ୍ନ ୮ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବା, ରାଜ୍ୟ ପଞ୍ଚାୟତ ବିଭାଗ ନିର୍ଦ୍ଦେଶ ଅନୁସାରେ ପ୍ରତିମାସ ୧୦ ଦିନର ନିଶ୍ଚିତ କାର୍ଯ୍ୟ ବାବଦୀୟ ଅର୍ଥ ପ୍ରଦାନ କରିବା, ପ୍ରତ୍ୟେକ ସାଥୀଙ୍କୁ ୨୦ ହଜାର ଟଙ୍କା ଲେଖାଏଁ କୋଭିଡ ସହାୟତା ପ୍ରଦାନ କରିବା ଆଦି ଦାବି ସମ୍ପର୍କରେ ସେମାନେ ସୂଚନା ଦେଇଥିଲେ । ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ ଉଚିତ ପଦକ୍ଷେପ ଗ୍ରହଣ କରା ନଗଲେ ଆଗାମୀ ଦିନରେ ମିଳିତ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ ଓହ୍ଲାଇବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୫ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।