ଗାଆଁରେ ପହଞ୍ଚିଲା ଯୁବ ସାମ୍ବାଦିକ ଜଗନ୍ନାଥଙ୍କ ମର ଶରୀର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ରବିବାର ଦିନ ଗୋପଳପୁରର ଏକ ବନ୍ଦ ଘରୁ ଉଦ୍ଧାର ହୋଇଥିବା ବେଲଗୁଣ୍ଠା ବ୍ଳକ୍ ର ଯୁବ ସାମ୍ବାଦିକଙ୍କ ମର ଶରୀର ଆଜି ତାଙ୍କ ଗାଆଁ ଖଇରପୁଟିରେ ପହଞ୍ଚିବା ପରେ କାନ୍ଦବୋବାଳିରେ ଗାଆଁ ଫାଟି ପଡ଼ିଛି I ଆଜି ବ୍ରହ୍ମପୁର ବଡ଼ ମେଡ଼ିକାଲ୍ ରେ ଜଗନ୍ନାଥଙ୍କ ଶବ ବ୍ୟବଚ୍ଛେଦ ପରେ ଏକ ସ୍ଵତନ୍ତ୍ର ଗାଡ଼ିରେ ଅପରାହ୍ଣ ଗୋଟାଏ ତିରିଶି ମିନିଟ୍ ସମୟରେ ଜଗନ୍ନାଥଙ୍କ ଶବ ଗାଆଁରେ ପହଞ୍ଚିଥିଲା I ଜଗନ୍ନାଥଙ୍କ ଅନ୍ତିମ ଦର୍ଶନ ପାଇଁ ଜଗନ୍ନାଥଙ୍କ ଘର ସମ୍ମୁଖରେ ଶହଶହ ଲୋକଙ୍କ ଭିଡ଼ ଜମିଥିଲା I ଜଗନ୍ନାଥଙ୍କ ପରିବାର ସଦସ୍ୟଙ୍କ କାନ୍ଦ ବୋବାଳିରେ ଗାଆଁ ଦାଣ୍ଡ ଫାଟି ପଡ଼ିଥିଲା I ଜଗନ୍ନାଥଙ୍କ ବିଧବା ମାଆ ଏବଂ ସ୍ତ୍ରୀ ବାରମ୍ବାର ବେହୋସ ହୋଇପଡ଼ୁଥିବା ଦେଖିବାକୁ ମିଳିଥିଲା I ସୋରଡ଼ା ନିର୍ବାଚନ ମଣ୍ଡଳୀର କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ଇଞ୍ଜିନିୟର୍ ସଂଗ୍ରାମ କେଶରୀ ମହାନ୍ତି, ଖଇରପୁଟି ସରପଞ୍ଚ ସତ୍ୟବାନ ସ୍ୱାଇଁ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, କୋଷାଧ୍ୟକ୍ଷ ବିଭୂପାଦ ଜେନା, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ,ଯୁବ ସାମ୍ବାଦିକ ପଞ୍ଚାନନ ସାହୁ, କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ସମେତ ବହୁ ଜଣାଶୁଣା ବ୍ୟକ୍ତି ଜଗନ୍ନାଥଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇ ଗଭୀର ଶୋକ ପ୍ରକାଶ କରିବା ସହିତ ଜଗନ୍ନାଥଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ I ଜଗନ୍ନାଥ ଜଣେ ମିଷ୍ଟଭାଷୀ ଏବଂ ପରୋପକାରୀ ବ୍ୟକ୍ତି ଥିଲେ I ରାତି ଅଧରେ କିଏ କେଉଁଠି ଅସୁବିଧାରେ ପଡିଲେ ଜଗନ୍ନାଥ ତାଙ୍କ ନିକଟରେ ଯାଇ ଛିଡ଼ା ହେଉଥିଲେ I ତେଣୁ ଜଗନ୍ନାଥ ଗ୍ରାମରେ ଜହ୍ନମାମୁଁ ଭାବରେ ପରିଚିତ ଥିଲେ I ଜଗନ୍ନାଥଙ୍କ ଅକାଳ ବିୟୋଗରେ ଗ୍ରାମର ଯୁବ ଗୋଷ୍ଠୀ ଭାଙ୍ଗି ପଡ଼ିଥିବା ବେଳେ ଜଗନ୍ନାଥଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅପରାଧୀଙ୍କୁ ଖୁବ୍ ଶୀଘ୍ର ଦଣ୍ଡ ଦେବା ସହ ତାଙ୍କ ଅସହାୟ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି I ସ୍ଥାନୀୟ ସରପଞ୍ଚ ଜଗନ୍ନାଥଙ୍କ ହତ୍ୟାକାଣ୍ଡକୁ ତୀବ୍ର ନିନ୍ଦା କରିବା ସହିତ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବୀ କରିଛନ୍ତି I ଜଗନ୍ନାଥଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ଅପରାଧୀଙ୍କୁ ଫାଶୀ ଖୁଣ୍ଟରେ ଚଢ଼ାଇବା ପର୍ଯ୍ୟନ୍ତ ଆମେ ଲଢ଼େଇ କରିବୁ ବୋଲି କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ସଂଗ୍ରାମ କେଶରୀ ମହାନ୍ତି ପ୍ରକାଶ କରିଛନ୍ତି I ପ୍ରକାଶ ଥାଉକି ଜଗନ୍ନାଥ ତିନିମାସ ହେବ ଗୋପାଳପୁରରେ ଏକ ଫାଷ୍ଟ୍ ଫୁଡ୍ ସେଣ୍ଟର୍ ଖୋଲିଥିବା ବେଳେ ଗୋପାଳପୁରର ଏକ ଭଡ଼ାଘରେ କିଛି ସହଯୋଗୀଙ୍କ ସହ ରହୁଥିଲେ I ଗତ ଗୁରୁବାର ଠାରୁ ଜଗନ୍ନାଥଙ୍କ ସହ କୌଣସି ଯୋଗାଯୋଗ ହୋଇପାରିବା ଯୋଗୁଁ ରବିବାର ଦିନ ଜଗନ୍ନାଥଙ୍କ ସାନ ଭାଇ ଜଗନ୍ନାଥ ରହୁଥିବା ଭଡ଼ାଘର ନିକଟକୁ ଯାଇ ଘର ବାହାରେ ତାଲା ପଡ଼ିଥିବା ବେଳେ ଘର ଭିତରୁ କିଛି ଦୁର୍ଗନ୍ଧ ଆସୁଥିବା ଜାଣିପାରିଥିଲେ I ଏନେଇ ସେ ବେଲଗୁଣ୍ଠା ଥାନାରେ ଲିଖିତ ଭାବେ ଜଣାଇବା ପରେ ଗଞ୍ଜାମ ଏସ୍.ପି ଏବଂ ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ କବାଟ ତାଲା ଭାଙ୍ଗି ଘର ଭିତରେ ଜଗନ୍ନାଥଙ୍କ ରକ୍ତ ଜୁଡ଼ୁବୁଡ଼ୁ ଗଳିତ ଶବା ପଡ଼ିଥିବା ଦେଖିବାକୁ ପାଇଥିଲେ ଏବଂ ସେଠାରେ ଲୁହା ରଡ୍ ଏବଂ ପଥର ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଥିଲା I ପାରିପାର୍ଶ୍ୱିକ ଘଟଣାରୁ ଜଗନ୍ନାଥଙ୍କୁ କେହି ନିର୍ମମ ଭାବେ ହତ୍ୟା କରିଥିବା ପୋଲିସ୍ ନିଶ୍ଚିତ ହେବା ସାହା ଗୋପାଳପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ