ଗାଙ୍ଗପୁର ଥାନା ଅଧିକାରୀ ମୃତ୍ୟୁ ମାମଲା : ଦୀର୍ଘ 22 ଘଣ୍ଟା ପରେ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ଗତ ଶୁକ୍ରବାର ଘଟି ଥିବା ବହୁ ଚର୍ଚ୍ଚିତ ଗାଙ୍ଗପୁର ଥାନା ଅଧିକାରୀ ଦେବ୍ କୁମାର ଗମାଙ୍ଗ ମୃତ୍ୟୁ ମାମଲାର କୌଣସି ରହସ୍ୟ ଉନ୍ମୋଚିତ ହୋଇପାରି ନଥିବା ବେଳେ ଆଜି ସ୍ଵର୍ଗତ ଗମାଙ୍ଗଙ୍କ ମର ଶରୀରକୁ ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ପୈତୃକ ଗ୍ରାମ ରାୟଗଡ଼ା ଜିଲ୍ଳା ରାମନାଗୁଡା ବ୍ଳକ୍ ର କୂଜେନ୍ଦ୍ରୀ ନିକଟସ୍ଥ ଏଡୂରୂୱାଲସା ଠାରେ ସଂସ୍କାର କରାଯାଇଛି I ଗତ କାଲି ରାତି 12 ଟାରେ ସ୍ୱର୍ଗତ ଗମାଙ୍ଗଙ୍କ ସ୍ତ୍ରୀ କିରଣ ମହାନ୍ତି ଆସିକାରେ ପହଞ୍ଚିବା ପରେ ମେଡିକାଲରୁ ସ୍ୱର୍ଗତ ଗମାଙ୍ଗଙ୍କ ମର ଶରୀରକୂ ବ୍ରହ୍ମପୁର ସ୍ଥିତ ନୃତାତ୍ତ୍ୱିକ ବିଶ୍ୱ ବିଜ୍ଞାନ ବିଭାଗରେ ବ୍ୟବଚ୍ଛେଦ କରାଇ ଆଜି ସକାଳୁ ତାଙ୍କ ପୈତୃକ ଗ୍ରାମକୁ ପଠାଇ ଦିଆଯାଇଥିଲା I କିନ୍ତୁ ଏହି ଘଟଣା ର ରହସ୍ୟ ସମୟ ବଢିବା ସହିତ ଅଧିକ ରହସ୍ୟ ଘେରକୁ ଚାଲିଯିବା ସହିତ ସବୁ ଜାଣି ଚୁପ୍ ଥିବା ଥାନା କର୍ମଚାରୀଙ୍କ କାର୍ଯ୍ୟକଳାପ ଜନ ସାଧାରଣଙ୍କୁ ସ୍ତବ୍ଧ କରିଦେଇଛି I ସୂଚନା ଥାଉକି ଗତ କାଲି ଦିନ ଗୋଟାଏ ପରେ ସ୍ଵର୍ଗତ ଗମାଙ୍ଗ ଗୁଳିବିଦ୍ଧ ହୋଇଥିଲେ ମଧ୍ୟ ଏହାର ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ଆଜି ଦିନ ଏଗାରଟାରେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି I ତେବେ ଛତ୍ରପୁର ଠାରୁ ଗାଙ୍ଗପୁର ପହଞ୍ଚିବାକୁ ସାଇଣ୍ଟିଫିକ୍ ଟିମ୍ ଙ୍କୁ କିପରି ଦୀର୍ଘ ବାଇଶି ଘଣ୍ଟା ସମୟ ଲାଗିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି I ଅନ୍ୟ ପଟେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରି ଫେରିଥିଲେ ମଧ୍ୟ ଏହାର କୌଣସି ସୂଚନା ଥାନା କର୍ମଚାରୀ ଗଣମାଧ୍ୟମକୁ ନଦେଇ ଏସବୁ ଏସ୍.ପି ଙ୍କ ନିକଟରେ ଥିବା କହୁଛନ୍ତି I ଅପରପକ୍ଷରେ ମୃତ ଆଇଆଇସିଙ୍କ ବୃଦ୍ଧା ମାଆ ଗଣମାଧ୍ୟମକୁ ଦେଇଥିବା ବୟାନ ସେ କ୍ୱାର୍ଟରରେ ଉପସ୍ଥିତ ଥିବା ସମୟରେ ତିନି ତାରକା ବିଶିଷ୍ଟ ଦୁଇ ପୋଲିସ୍ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି କରୁଛି I ଏ ଦୁଇଜଣ ଅଧିକାରୀ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଆଇଆଇସି ଧୀରେଶ କୁମାର ଦାସ ନା ଆଉ କିଏ ସେ ବିଷୟରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଡାବୀ ହୋଇଛି I ସେହିପରି ଗତକାଲି ଗଞ୍ଜାମ ଏସ୍.ପି ବ୍ରିଜେଶ ରାୟ ଦେଇଥିବା ମାନସିକ ଦୁଶ୍ଚିନ୍ତା ଏବଂ ଦୁଇ ଦିନ ହେବା ଖାଇନଥିବା ନଥିବା ବୟାନକୁ ସ୍ଵର୍ଗତ ଗମାଙ୍ଗଙ୍କ ରୋଷେୟା ଖଣ୍ଡନ କରିଛନ୍ତି I ତାଙ୍କ କହିବା ପ୍ରକାରେ ସ୍ଵର୍ଗତ ଗମାଙ୍ଗ ଠିକ୍ ଭାବେ ତାଙ୍କର ନିୟମିତ ଖାଦ୍ୟ ଗ୍ରହଣ କରି ନିଜ କର୍ମସ୍ଥଳୀକୁ ଯାଉଥିଲେ I ଲୋକଙ୍କ ପୁଣି ସନ୍ଦେହ ହେଉଛି ଏସଡିପିଓ ଏବଂ ଭଞ୍ଜନଗର ଆଇଆଇସି ଥାନା କାର୍ଯ୍ୟାଳୟରେ ଭିଡିଓ କନ୍ଫେରେସିଂ ପରେ ପୁଣି ଆଇଆଇସି ଗମାଙ୍ଗଙ୍କ କ୍ୱାର୍ଟର୍ କୁ ଯାଇଥିଲେ କାହିଁକି I ଯଦି ସେମାନେ ମାନସିକ ଅବସାଦ ଗ୍ରସ୍ତ ଗମାଙ୍ଗଙ୍କୁ ବୁଝାଇବାକୁ ଯାଇଥିଲେ ତେବେ ତାଙ୍କ ମାଆଙ୍କ ଉପସ୍ଥିତିରେ ବୁଝାଇବାରେ ଅସୁବିଧା କୋଉଠି ରହିଲା I ସେମାନେ ତାଙ୍କ ମାଆଙ୍କୁ ଗାଧୂଆ ଘରକୁ ଏବଂ ରୋଷେୟାଙ୍କୁ ବାହାରକୁ ପଠାଇଲେ କାହିଁକି I ନିୟମ ଅନୁସାରେ ସମସ୍ତ ପୋଲିସ୍ କର୍ମଚାରୀ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ତାଲିମ୍ ନେଇଥାନ୍ତି I ତେବେ ଗୁଳିବିଦ୍ଧ ଗମାଙ୍ଗଙ୍କ କ୍ଷତରୁ ଯେତେବେଳେ ପ୍ରବଳ ରକ୍ତସ୍ରାବ ହେଉଥିଲା ସେତେବେଳେ କୌଣସି କର୍ମଚାରୀ ପ୍ରାଥମିକ ଭାବେ ତାଙ୍କର ରକ୍ତସ୍ରାବ ବନ୍ଦ କରିବାକୁ ଚେଷ୍ଟା କରିଥିଲେ କି ନାହିଁଁ I ଘଟଣା ଘଟିବା ପରେ ଘଟଣା ସ୍ଥଳରୁ ପିସ୍ତଲ୍, ଗୁଳି ଏବଂ ଖୋକା ଜବତ ହେବା ସହ ଥାନାରେ ଏ ସମ୍ପର୍କରେ କୌଣସି ଏତାଲା ହୋଇଛି କି ନାହିଁ ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ I କେଉଁ ଗାଡ଼ିରେ ଗମାଙ୍ଗଙ୍କୁ ଆସିକା ମେଡିକାଲକୁ ନିଆଗଲା ପୋଲିସ ବୋଲେରୋ ନା ଘରୋଇ ଜାନ ? ଅନ୍ୟପଟେ ଗତ କାଲି ରାତିରେ ସ୍ଵର୍ଗତ ଗମାଙ୍ଗଙ୍କ ସ୍ତ୍ରୀ କିରଣ ମହାନ୍ତି ଆସିକାରେ ପହଞ୍ଚିବା ପରେ ବ୍ରହ୍ମପୁର ମେଡିକାଲ୍ ରେ ସ୍ଵର୍ଗତ ଗମାଙ୍ଗଙ୍କ ଶବ ବ୍ୟବଚ୍ଛେଦ କରାଯାଇ ସକାଳୁ ସକାଳୁ ଶବ ସହିତ ତାଙ୍କ ମାଆ ଏବଂ ସ୍ତ୍ରୀଙ୍କୁ ତରବରିଆ ଭାବେ ଗାଁକୁ ପଠାଇ ଦିଆଯାଇଛି କି I ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ସ୍ଵର୍ଗତ ଗମାଙ୍ଗଙ୍କ ସ୍ତ୍ରୀଙ୍କ ଠାରୁ କୌଣସୀ ପ୍ରତିକ୍ରିୟା ନ ମିଳିବା ସନ୍ଦେହକୁ ଅଧିକ ଘନୀଭୂତ କରୁଛି I ସ୍ଵର୍ଗତ ଗମାଙ୍ଗଙ୍କ ଦାଦା ଜୟସେନ୍ ଗମାଙ୍ଗ ଦେବ୍ କୁମାର ଜଣେ ସାହସୀ ଯୁବକ ଥିବା ବେଳେ ସେ କୌଣସୀ କାରଣରୁ ଆତ୍ମହତ୍ୟା କରିବା ଘଟଣାକୁ ବିଶ୍ୱାସ କରି ପାରୁନାହାନ୍ତି I ତେଣୁ ସେ ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବୀ କରିଛନ୍ତି I ଏଠାରେ ଏକ ବିରାଟ ପ୍ରଶ୍ନ ସୃଷ୍ଟି ହେଉଛି ଯେ ଯେଉଁଠି ଆଇଆଇସି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଥାନା ଅଧିକାରୀ ନିଜେ ସୁରକ୍ଷିତ ନାହାନ୍ତି ସେଠି ସାଧାରଣ ଜନତାଙ୍କ ଅବସ୍ଥା କେତେ ନିରାପଦ I ତେଣୁ ଖୁବ୍ ଶୀଘ୍ର ଆଇଆଇସିସି ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ କରି ଘଟଣା ଉପରୁ ରହସ୍ୟର ପରଦା ଉଠାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ