ଗାଙ୍ଗପୁର ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ୱ ନେଲେ ଏନକାଉଣ୍ଟର୍ ସ୍ପେସିଆଲିଷ୍ଟ ଶୁଭଲକ୍ଷ୍ମୀ ପୂଜାରୀ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଗଂଜାମ ଜିଲ୍ଳା ଗାଙ୍ଗପୁର ଥାନାର ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି ଏନକାଉଣ୍ଟର୍ ସ୍ପେସିଆଲିଷ୍ଟ ଶୁଭଲକ୍ଷ୍ମୀ ପୂଜାରୀ I ଗାଙ୍ଗପୁର ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧିଙ୍କ ଅନ୍ୟତ୍ର ବଦଳି ପରେ ଶ୍ରୀମତୀ ପୂଜାରୀ ଏଠାରେ ଦାୟିତ୍ୱ ଗ୍ରହଣ କରିଛନ୍ତି I ଦାୟିତ୍ୱ ଗ୍ରହଣ କରୁ କରୁ ଅଞ୍ଚଳର ଆଇନ୍ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ତର୍ଜମା କରିଛନ୍ତି ଶ୍ରୀମତୀ ପୂଜାରୀ I ବିଶେଷ କରି ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା ଚାଲିଥିବାରୁ ବର୍ତ୍ତମାନ ସେ ଗାଙ୍ଗପୁର ଥାନା ଅଞ୍ଚଳରେ ଶୃଙ୍ଖଳିତ ଦଣ୍ଡଯାତ୍ରା ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି I ଆଜି ଗାଙ୍ଗପୁର ଥାନା ଅଧୀନରେ ଥିବା ସମସ୍ତ ଦଣ୍ଡ କମିଟିକୁ ଡକାଇ ଶୃଙ୍ଖଳିତ ଯାତ୍ରା ପରିବେଷଣ ସହିତ ଅଶ୍ଳୀଳ ଦୃଶ୍ୟକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ପରାମର୍ଶ ଦେଇଛନ୍ତି I ଆଗାମୀ ଦିନରେ ସେ ବେଆଇନ୍ ମଦ କାରବାର,ଟ୍ରାଫିକ ସମସ୍ୟା, ମଦ୍ୟପ ଗାଡି ଚାଳକଙ୍କୁ ସାବାଡ଼ କରିବା ସହିତ ମହିଳା ସୁରକ୍ଷା ଏବଂ ସାଇବର୍ ଅପରାଧକୁ ମୁକାବିଲା କରିବା ଦିଗରେ ଉଚିତ୍ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି I ଶ୍ରୀମତୀ ପୂଜାରୀ ଏବଂ ତାଙ୍କ ସ୍ୱାମୀ ତଥା ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ରାଜ୍ୟରେ ଏନକାଉଣ୍ଟର୍ ସ୍ପେସିଆଲିଷ୍ଟ ଦମ୍ପତ୍ତି ଭାବରେ ବେଶ ପରିଚିତ I ଶ୍ରୀମତୀ ପୂଜାରୀ ପୁରୀ ଜିଲ୍ଳା ତାଳ ବଣିଆ ଥାନା ଅଧିକାରୀ ଭାବେ କାର୍ଯ୍ୟକରୁଥିବା ବେଳେ ସେଠାକାର କୁଖ୍ୟାତ ଅପରାଧୀ ତଥା ଠିକାଦାର ଭାଗିରଥି ପ୍ରଧାନ ଓରଫ ଭାଗୁକୁ ଏନକାଉଣ୍ଟର୍ କରି ଚର୍ଚ୍ଚାକୁ ଆସିଥିଲେ I ଏହା ସହିତ ଶ୍ରୀମତୀ ପ୍ରଧାନ ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର, ଛତ୍ରପୁର, ଆସିକା, ଧରାକୋଟ୍, କନ୍ଧମାଳ ଜିଲ୍ଲାର ସାରଙ୍ଗଗଡ,ଜଗତସିଂହପୂରର ପାରାଦୀପ ଆଦର୍ଶ ଥାନା ଏବଂ ଓଡ଼ିଶା କ୍ରାଇମବ୍ରାଞ୍ଚ ରେ ଦାୟିତ୍ୱ ତୁଲାଇ ଅପରାଧୀଙ୍କୁ ନିୟନ୍ତ୍ରଣ କରିବାରେ ଦକ୍ଷତା ହାସଲ କରିଛନ୍ତି I ଶ୍ରୀମତୀ ପୂଜାରୀ ଗାଙ୍ଗପୁର ଥାନାରେ ଥାନା ଅଧିକାରୀ ଭାବେ ଯୋଗ ଦେବାପରେ ଅଞ୍ଚଳର ଅସାମାଜିକ ଗୋଷ୍ଠୀଙ୍କ ହୃଦସ୍ପନ୍ଦନ ବଢ଼ିଯାଇଛି I