ଗାଙ୍ଗପୁର ରେ ପ୍ରସିଦ୍ଧ ନଳଯାତ୍ରା ପାଳିତ

ବେଲଗୁଣ୍ଠା ,(ଯୁଗାବ୍ଦ ନୁ୍ୟଜ୍) : ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଠାରେ ବହୁ ପ୍ରସିଦ୍ଧ ନଳଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ଉତ୍କଳୀୟ ସଂସ୍କୃତି ଏବଂ ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଶ ଆଡମ୍ବରରେ ଏହି ଯାତ୍ରା ପାଳିତ ହୋଇଥିବା ଦେଖିବାକୁ ମିଳିଛି । ଏହି ଯାତ୍ରାରେ ଚାଷୀ ମାନେ ଅକ୍ଲାନ୍ତ ପରିଶ୍ରମ କରି ଜମିରେ ଧାନ ଫସଲ କରିଥିବା ସେହି ଫସଲର ସୁରକ୍ଷା ନିମନ୍ତେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ବ୍ରାହ୍ମଣୀ ଦେବୀ,ରତନେଇ ଦେବୀ ଓ କନ୍ଧୁଣି ଦେବୀଙ୍କୁ ଆମନ୍ତ୍ରଣ କରି ପୂଜା ପାଠ କରିଥାନ୍ତି । ପରମ୍ପରା ଅନୁଯାୟୀ ଗ୍ରାମବାସୀ ପ୍ରଥମେ ଗ୍ରାମର ହରି ଗୌଡ଼ଙ୍କ ଘରକୁ ଯାଇ ମାଙ୍କୁ ଆବାହନ କରି ଆଣି ଗ୍ରାମ ଅସ୍ଥାୟୀ ମଣ୍ଡପରେ ପୂଜା ପାଠ କରାଯାଇଥିଲା । ମାଙ୍କ ନାମରେ ନାମିତ ସଦ୍ୟ କଟା ଯାଇଥିବା ତିନୋଟି ନଳ କୁ ରଙ୍ଗବେରଙ୍ଗ କପଡ଼ାରେ ଗୁଡ଼ାଇ ଲଟେରୀ ମାଧ୍ୟମରେ ବଛା ଯାଇଥିବା ଗ୍ରାମର ତିନିଜଣ ଯୁବକ ସେହି ନଳ କୁ ନେଇ ନିକଟସ୍ଥ ମାଳତୀ ଜଙ୍ଗଲକୁ ଯାଇ ମାଙ୍କୁ ଆବାହନ କରି ପୂଜା ପାଠ ହୋମ କରିସାରିବା ପରେ ବିରାଟ ପଟୁଆରରେ ମାଙ୍କୁ ଆମନ୍ତ୍ରଣ କରି ଗାଁକୁ ଅଣାଯାଇଥିଲା । ଗ୍ରାମର ପ୍ରତ୍ୟେକ ଘରେ ମାଙ୍କୁ ପୂଜାର୍ଚନା କରାଯାଇଥିବା ବେଳେ ଜମିରେ ଫସଲର ସୁରକ୍ଷା, ଗୃହପାଳିତ ପଶୁ ମାନଙ୍କୁ ମହାମାରୀ ରୋଗରୁ ରକ୍ଷା କରିବା ସହ ଗ୍ରାମର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଗ୍ରାମବାସୀ ମାନେ ମିଳିମିଶି ମାଙ୍କୁ ଗୁହାରି କରିଥିଲେ । ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଅଂଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା ।ଗାଙ୍ଗପୁର ଭଳି ଘୁମୁସର ଅଂଚଳର ନିମିନା ,ବୋରି ଓ ପଲକସଣ୍ଡାରେ ମଧ୍ୟ ଏହି ଯାତ୍ରା ପାଳିତ ହେଉଥିବାରୁ ଅଞ୍ଚଳରେ ଏହି ଯାତ୍ରା ଦେଖିବାକୁ ଲୋକଙ୍କ ମନରେ ଆଗ୍ରହ ବଢୁଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ