ଗାଡି ଧକ୍କାରେ ଯୁବକ ମୃତ, କ୍ଷତିପୁରଣ ଦାବିରେ ରାସ୍ତାରୋକ
ହାଟଡ଼ିହି (ଓ୍ବାଇଏନ୍ଏସ୍) : ନନ୍ଦିପଦା ଥାନା ଏଲକଣିଆ ଗାଁ ନିକଟରେ ଆଜି ସକାଳେ ଏକ ଗାଡି ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି ଶାଳକଣିଆଁ ଗାଁର ଗୋବିନ୍ଦ ଜେନାଙ୍କ ପୁଅ ବୁଲୁ ଜେନା ୨୮ବର୍ଷ । ସେ କୌଣସି କାମରେ ଏଲକଣିଆଁ ଯାଇ ଫେରୁଥିବାବେଳେ ଏକ ଗାଡି ତାକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବୁଲୁର ମୃତ୍ୟୁ ଘଟିଥିଲା । ଏହି ଖବର ପ୍ରଚାରିତ ହେବାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଶାଳକଣିଆଁ ଗ୍ରାମବାସୀମାନେ ଗାଁ ମୁଣ୍ଡ ଛକରେ କ୍ଷତିପୁରଣ ଦାବିରେ ଓରାଳି-ଶାଳଣିଆଁ ରାସ୍ତାରେ ଟାୟାର ଜାଳି ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ । ଖବରପାଇ ନନ୍ଦିପଦା ଥାନା ଅଧିକାରୀ ପରେଶ ମହାନ୍ତି, ଶାଳଣିଆଁ ସରପଞ୍ଚ ଶ୍ରୀଧର ବେହେରା, କଳିଗାଁ ସରପଞ୍ଚ ଅମରେନ୍ଦ୍ର ଧଳ, ରାଜସ୍ୱ ନିରୀକ୍ଷକ ପୁରସ୍ତମ କୁଅଁର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସଂପୃକ୍ତ ଯୁବକଙ୍କ ପରିବାରକୁ କ୍ଷତିପୁରଣ ବ୍ୟବସ୍ଥା କରାଇବା ପାଇଁ ପ୍ରତିଶୃତି ଦେବାସହ ମୃତ ଯୁବକର ଶବ ସତ୍କାର ପାଇଁ ରେଡକ୍ରସରୁ ୧୦ହଜାର ଟଙ୍କା ସାହାଯ୍ୟ କରିବାପରେ ରାସ୍ତା ଅବରୋଧ ହଟିଥିଲା । ପରେ ନନ୍ଦିପଦା ପୁଲିସ ଏକ ମାମଲା ରୁଜୁକରିବା ସହ ଶବକୁ ଜବଦକରି ପୋଷ୍ଟମଟମ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛନ୍ତି । ମୃତ ବୁଲୁ ଜେନାଙ୍କ ଘରେ ବିଧବାପତ୍ନୀ ସମେତ ଗୋଟିଏ ଝିଅ ଓ ବାପା ମା ଥିବାବେଳେ ତାଙ୍କର ପତ୍ନୀ ଗର୍ଭବତୀ ଅଛନ୍ତି । ବୁଲୁ ଏକମାତ୍ର ରୋଜଗାରକ୍ଷମ ବୁଲୁଙ୍କ ମୃତ୍ୟୁପରେ ବ୍ୟକ୍ତି ଥିବାବେଳେ ପରିବାରଟି ସମ୍ପୁର୍ଣ୍ଣ ବେସାହାରା ହୋଇ ପଡିଛି ।


