ଗାନ୍ଧିଜୀଙ୍କ ସହିଦ ଦିବସ ପାଳନ ଅବସରରେ କବିତା ପାଠୋତ୍ସବ ଆୟୋଜିତ

ବାଲେଶ୍ୱର- ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୨ତମ ସହିଦ ଦିବସ ଜିଲ୍ଲାସ୍ତରରେ ସମାରୋହ ପୂର୍ବକ ପାଳିତ ହୋଇଯାଇଛି । ଏହି ଅବସରରେ ସହିଦ ପାର୍କ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ଜିଲ୍ଲା ପ୍ରଶାସନ ତରଫରୁ ମାଲ୍ୟାର୍ପଣ କରାଯାଇଥିଲା । ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସ୍ମୃତି ସଭା ଓ କବିତା ପାଠୋତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ, ପିଡି ଶ୍ରୀ ରାମଚନ୍ଦ୍ର ଜେନା, ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଶ୍ରୀ ଶିରିଶ ଚନ୍ଦ୍ର ଜେନା ପ୍ରମୁଖ ମଂଚାସୀନ ହୋଇ ଗାନ୍ଧୀଙ୍କ ଅମର ବାଣୀ ଓ ଅହିଂସା ମାର୍ଗ ସମ୍ପର୍କରେ ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ବୈଠକ ପ୍ରାରମ୍ଭରେ ଗାନ୍ଧୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ ମିନିଟ୍ ର ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ବୈଷ୍ଣୋବ ଜନତୋ ପରିବେଷଣ କରାଯାଇଥିଲା । ଏହି ଅବସରରେ କବି ପ୍ରଶାନ୍ତ ଦାସ, ପ୍ରାଧ୍ୟାପକ ଡଃ ପ୍ରହ୍ଲାଦ ଚରଣ ମହାନ୍ତି, ଡଃ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ହରିଶ ଚନ୍ଦ୍ର ବେହେରା, ପ୍ରାଧ୍ୟାପକ ଶତ୍ରୁଘ୍ନ ମଲ୍ଲିକ ପ୍ରମୁଖ ତାଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି କବିତା ପାଠୋତ୍ସବରେ ଶତାଧିକ ସାହିତ୍ୟିକ, ଲେଖକ, କବି ଯୋଗଦାନ କରିଥିବା ବେଳେ ଗାନ୍ଧୀଙ୍କ ସତ୍ୟ,ଅହିଂସା ଓ ଗାନ୍ଧୀବାଦ ଉପରେ ପର୍ଯ୍ୟବେସିତ ୪୫ ଗୋଟି ସ୍ୱରଚିତ କବିତା କବିମାନେ ନିଜେ ଉପସ୍ଥିତ ରହି ଆବୃତି କରିଥିଲେ । ଏହି କବିତା ପାଠୋତ୍ସବକୁ ସ୍ଥାନୀୟ ଅନୁଷ୍ଠାନ ଫକୀରମୋହନ ସାହିତ୍ୟ ପରିଷଦର ମିଳିତ ସହଯୋଗରେ ଆୟୋଜିତ କରାଯାଇଥିଲା । ଏଥିରେ ପରିଷଦର ସଦସ୍ୟସଦସ୍ୟାମାନେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ୱିନୀ ରାଉତ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ସୁବାଷ ନିଆଲ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ