ଗାନ୍ଧି ଜୟନ୍ତୀରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ
ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): କନ୍ଧମାଳ ଜିଲା କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ଗାନ୍ଧି ଜୟନ୍ତୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦଳୀୟ କର୍ମୀମାନେ ଗୋପବନ୍ଧୁ ଛକ ତଥା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ପ୍ରଥମେ ଗାନ୍ଧିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ସେଠାରେ ଧାରଣାରେ ବସି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବକୁ ନାପସନ୍ଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଶେଷ କରି ସେମାନେ ଚାଷୀ ଉତ୍ପାଦିତ ଦ୍ରବ୍ୟର ବାଣିଜ୍ୟ କାରବାର ଆଇନ, କୃଷକ ସଶକ୍ତିକରଣ ଓ ସୁରକ୍ଷା ଅବା ଦର ପ୍ରତିଶ୍ରୁତି ରାଜିନାମା ଏବଂ କୃଷି ସେବା ଆଇନ, ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଉପରେ ଆଲୋଚନା କରିଥିଲେ । ପରେ ଏ ସଂକ୍ରାନ୍ତ ଦାବିପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ଜିଲାପାଳଙ୍କ ଜରିଆରେ ପଠାଇଥିଲେ ।
କେନ୍ଦ୍ରରେ ମୋଦି ସରକାର ଦେଶର କୃଷି ଓ କୃଷକ ବିରୋଧରେ ଆଇନ ପ୍ରଣୟନ କରିଛନ୍ତି । ଏହା କରି ସରକାର ସବୁଜ ବିପ୍ଳବର ସଫଳତାକୁ ଧ୍ୱସଂ କରିବାକୁ ଚାହୁଁଛନ୍ତି । କେତେକ ହାତଗଣତି ପୁଂଜିପତିଙ୍କ ସ୍ୱାର୍ଥରେ ଦେଶର ଅନ୍ନଦାତା କୃଷକ ଏବଂ କୃଷିକୁ ବଳି ପକାଇବାକୁ ମସୁଧା କରୁଛନ୍ତି । ଏହାକୁ ନେଇ ପ୍ରତିବାଦ ଜାରି ରହିଥିବା ବେଳେ ସ୍ୱେଚ୍ଛାଚାରୀ ସରକାର ସଂସଦରେ କୃଷକ ପ୍ରତିନିଧିଙ୍କ ପ୍ରତିବାଦକୁ ଅବଜ୍ଞା କରୁଛନ୍ତି । କୃଷକ ସମ୍ପ୍ରଦାୟ ଉପରେ ଲାଠି ଓ ଦଣ୍ଡାରାଜ ଚଳାଇଛନ୍ତି । ଯାହାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଶସ୍ୟ ଓ ପନିପରିବା ବଜାରକୁ କୃଷକ ସ୍ୱାର୍ଥରେ ସଂଗଠିତ କରିଥିବା ଏପିଏମ୍ସିର ଉଚ୍ଛେଦ କୃଷିଜାତ ଦ୍ରବ୍ୟର ସଂଗ୍ରହ ବ୍ୟବସ୍ଥାକୁ ଧ୍ୱସଂ କରିବ । ଏଭଳି ପରିସ୍ଥିତିରେ ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ କିମ୍ବା ବଜାର ଦରରେ ତାଙ୍କ ଉପଯୁକ୍ତ ଦ୍ରବ୍ୟର ମୂଲ୍ୟ ପାଇବେ ନାହିଁ । ଚାଷୀ ତାର ଉତ୍ପାଦିତ ଦ୍ରବ୍ୟ ଯେ କୌଣସି ସ୍ଥାନରେ ବିକ୍ରି କରି ପାରିବ ବୋଲି ମୋଦି ସରକାର ଯେଉଁ ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି, ତାହା ଡାହା ମିଛ । ନୂତନ ଆଇନ ଅନୁସାରେ କୃଷକ ଏବଂ ଭାଗ ଚାଷୀମାନେ ଏଭଳି ଆହୁରୀ ଅନେକ ସମସ୍ୟାରେ ଛନ୍ଦି ହେବେ । କେନ୍ଦ୍ର ସରକାରଙ୍କ ଏଭଳି ଷଡଯନ୍ତ୍ରଙ୍କୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କଂଗ୍ରେସ କର୍ମକର୍ତା ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଏହି ବିଲ ଉପରେ ଆଉଥରେ ଅନୁଧ୍ୟାନ କରିବେ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି । ଶେଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୁବ କଂଗେସ ସଭାପତି ବସନ୍ତ କୁମାର ପାଢ଼ୀ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ଏମ୍ପି ରାଧାକାନ୍ତ ଦିଗାଲ, ଶ୍ରମିକ ନେତା ଘନ କୁମାର ଶବର, ହେମନ୍ତ କର, ଦୁର୍ଯ୍ୟୋଧନ ପଟ୍ଟନାୟକ, ସଂସାର ଭୋଇ, ସୂର୍ଯ୍ୟକାନ୍ତ ଦାସ, ନନ୍ଦକିଶୋର ଦାସ, ଶିବଶଂକର ବେହେରା, ଗୌର ଚରଣ ବେହେରା, କାମ ବେହେରା, ବଳଦେବ ବେହେରା, ମନିଶ ବେହେରା, ହୃଷି ବେହେରା, ସଂଜିତ ବେହେରା, ସଂଜୟ କହଁରଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ । ସେହିପରି ଗାନ୍ଧି ଜୟନୀ ଅବସରରେ ଗାନ୍ଧି ଛକରେ ଥିବା ଗାନ୍ଧିଙ୍କ ପ୍ରତିମୂର୍ତିରେ ଜିଲା ପ୍ରଶାସନ ଏବଂ ଅନ୍ୟ ସଂଗଠନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।