ଗାନ୍ଧି ପରିବାରର ୩ଟି ଟ୍ରଷ୍ଟର ତଦନ୍ତ ହେବ
ନୂଆଦିଲ୍ଲୀ: ଗାନ୍ଧି ପରିବାର ସହ ଜଡ଼ିତ ୩ଟି ଟ୍ରଷ୍ଟର ବିଭିନ୍ନ କାରବାର ଉପରେ ଯାଞ୍ଚ ଲାଗି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଏକ ଅନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛି । ଏହି ୩ଟି ଟ୍ରଷ୍ଟ ଦ୍ୱାରା ଅର୍ଥ ଠକେଇ ନିବାରଣ ଆଇନ ଉଲ୍ଲଂଘନ ହୋଇଛି କି ନାହିଁ ତାହା ତଦନ୍ତ କରାଯିବ । ଏଥିସହ ଆୟକର ଆଇନ ଓ ବିଦେଶ ଯୋଗଦାନ ନିୟାମକ ଆଇନ (ଏଫସିଆରଏ) ରେ ରହିଥିବା ନିୟମ ଉଲ୍ଲଂଘନ ହୋଇଛି କି ନାହିଁ, ତାହା ବି ଭଲ ଭାବେ କମିଟି ଯାଞ୍ଚ କରିବ । ରାଜୀବ ଗାନ୍ଧି ଫାଉଣ୍ଡେସନ, ରାଜୀବ ଗାନ୍ଧି ଚାରିଟେବଲ ଟ୍ରଷ୍ଟ ଏବଂ ଇନ୍ଦିରା ଗାନ୍ଧି ମେମୋରିଆଲ ଟ୍ରଷ୍ଟର କେତେକ ଆର୍ଥିକ କାରବାରକୁ ନେଇ ସନ୍ଦେହ ଉପୁଜିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଏଗୁଡ଼ିକୁ ରାଡାର ମଧ୍ୟକୁ ନେଇଥିଲା । ନିଷ୍ପତ୍ତି ମୁତାବକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଏହି କମିଟିର ମୁଖ୍ୟ ରହିବେ । ଇଡି ବ୍ୟତୀତ ଆୟକର ବିଭାଗ ଓ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ମଧ୍ୟ କମିଟିରେ ପ୍ରତିନିଧିତ୍ୱ କରିବା ନେଇ ସମ୍ଭାବନା ରହିଛି ।


