ଗାନ୍ଧୀ ମଣିଷ ଦୋଳଗୋବିନ୍ଦଙ୍କ ୯୭ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମନ୍ତ୍ରୀ, ଗାନ୍ଧୀ ମଣିଷ ଦୋଳ ଗୋବିନ୍ଦ ପ୍ରଧାନଙ୍କ ୯୭ତମ ଜୟନ୍ତୀ ଉତ୍ସବ ତାଙ୍କ ପ୍ରତିଷ୍ଠିତ ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟ ପକ୍ଷରୁ ଆଜି ସନ୍ଧ୍ୟାରେ ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାଗୃହରେ ଟ୍ରଷ୍ଟର ସ୍ଥାୟୀ ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରି ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଲେ ଯେ, ଦୋଳବାବୁ ବିରିବାଟୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବା ବେଳେ ବାନର ସେନାରେ ଯୋଗଦେଇ କଟକ ଜେଲ୍‌ରୁ ବ୍ରହ୍ମପୁରକୁ ସ୍ଥାନାନ୍ତର ହେବା ପରେ, ଗୋପବନ୍ଧୁ ଚୌଧୁରୀଙ୍କ ଭଳି ମହାମାନବ ମାନଙ୍କ ସହ ମିଶିବା ପରେ ତାଙ୍କ ଜୀବନର ଗତି ପରିବର୍ତ୍ତନ ହୋଇଯାଇଥିଲା । ବନ୍ଦୀ ଜୀବନରେ ସେ ଗୀତା, ଭାଗବତ ଅଧ୍ୟୟନ କରିବା ସହ ସମ୍ବଲପୁରର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀନାରାୟଣ ପାଣିଗ୍ରାହୀଙ୍କ ଠାରୁ ସେ ଯୋଗ ଶିକ୍ଷା କରିଥିଲେ, ଯାହାକୁ ସେ ନିଜ ଜୀବନକାଳରେ ପ୍ରୟୋଗ କରି ୯୩ ବର୍ଷ ସୁସ୍ଥ ନିରାମୟ ଜୀବନ ଜୀଇଁଥିଲେ । ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପ୍ରଫେସର ଡଃ ହରେକୃଷ୍ଣ ଶତପଥୀ କହିଲେ ଯେ, ଦୋଳ ଗୋବିନ୍ଦ ବାବୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି ସତ କିନ୍ତୁ ଶ୍ରୀମଦ୍ ଭାଗବତ ଗୀତାକୁ ସେ ଯେଉଁ ସରଳ କବିତା ଆକାରାରେ ସାଧାରଣ ଗ୍ରାମୀଣ ଜନତାଙ୍କ ପାଇଁ ଲେଖିଛନ୍ତି ତାହା ତାଙ୍କ ଅସୀମ ବୋଧଶକ୍ତିର ନିର୍ଦ୍ଦଶନ । ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ବାଗ୍ମୀ ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ କହିଲେ ଯେ, ଦୋଳବାବୁ ପ୍ରକୃତରେ ଥିଲେ ମାଟିର ମଣିଷ । ବ୍ରହ୍ମପୁର ଜେଲ୍‌ରୁ ମୁକ୍ତ ହେବା ପରେ ସେ ତାଙ୍କ ନିଜ ଗ୍ରାମରେ ଗାନ୍ଧିଜୀଙ୍କ ସର୍ବୋଦୟକୁ ପ୍ରୟୋଗ କରିବା ପାଇଁ ଚେଷ୍ଟା ଆରମ୍ଭ କରି ସଫଳ ହୋଇଥିଲେ । ଯାହାଫଳରେ ସେ ଗ୍ରାମରେ ୱାର୍ଡ଼ମେମ୍ବର ରୁ ନାଏବ ସରପଞ୍ଚ, ସରପଞ୍ଚ, ପଞ୍ଚାୟତ ସମିତି ଚେୟାରମ୍ୟାନ, ବିଧାୟକ ଓ ମନ୍ତ୍ରୀ ହୋଇପାରିଥିଲେ । କିନ୍ତୁ ଅହଙ୍କାର ତାଙ୍କୁ ସ୍ପର୍ଶ କରିପାରି ନଥିଲା । ସେଥିପାଇଁ ଆଜିବି ତାଙ୍କୁ ଅଞ୍ଚଳବାସୀ ଝୁରୁଛନ୍ତି । ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍‌, ସମବାୟବିତ୍‌, ମୟୁରଭଞ୍ଜର ଶ୍ରୀ ନନ୍ଦକୁମାର ମହାପାତ୍ରଙ୍କୁ ଦ୍ୱିତୀୟ ଗାନ୍ଧୀ ଗୌରବ ସମ୍ମାନ-୨୦୨୨ ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ସ୍ମୃତିଫଳକ, ଉତ୍ତରୀୟ ଓ ସାଲ୍ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଶିଷ୍ଟ ଯୋଗଗୁରୁ ସୁଧାଂଶୁ ଅଧିକାରୀ, ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ଓ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଦୋଳବାବୁଙ୍କୁ ଜଣେ କୀର୍ତ୍ତିମାନ ପୁରୁଷ ବୋଲି କହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମ୍ୟାନେଜିଙ୍ଗ ଟ୍ରଷ୍ଟି ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ସ୍ୱାଗତ ଭାଷଣ ଓ ଟ୍ରଷ୍ଟି ଦେବରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉପଲକ୍ଷେ କୋଳଥିଆ ସ୍ମୃତିବନଠାରେ ପୁଷ୍ପରାଜ ପ୍ରଧାନଙ୍କ ସଂଯୋଜନାରେ ବୃକ୍ଷ ପୂଜା କରାଯାଇଥିଲା । ଏଥିରେ ତତ୍ତ୍ୱାଧାରିକା ରଶ୍ମିରାଣି ପରିଡ଼ା ସହଯୋଗ କରିଥିଲେ । ନହରକଣ୍ଟା ପଲ୍ଲୀ ଉନ୍ନୟନ ସେବା ସମିତିର ଛାତ୍ରଛାତ୍ରୀମାନଙ୍କୁ ପ୍ରସାଦ ସେବନ କରାଯାଇଥିଲା । ମିତ୍ରଭାନୁ ମହାପାତ୍ର ପରିଚାଳନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପୃଥ୍ୱୀରାଜ ପ୍ରଧାନ, ପ୍ରଜ୍ଞାରାଜ ପ୍ରଧାନ, ବରୁଣରାଜ ଓ ପ୍ରଭାତ କୁମାର ପାଣିଗ୍ରାହୀ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ