ଗାରୋଇ ପାନୀୟ ଜଳ ପ୍ରକଳ୍ପ ବିନା ସୂଚନା ଫଳକରେ ଚାଲିଛି ନିର୍ମାଣ କାର୍ଯ୍ୟ
ନାଉଗାଁ,(ଓ୍ବାଇଏନ୍ଏସ୍): ଗ୍ରାମାଚଂଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ମିଳିତ ଆନୁକୂଲ୍ୟରେ ପ୍ରକଳ୍ପମାନ ନିର୍ମାଣ କରାଯାଉଛି । ଲକ୍ଷାଧିକ ଟଙ୍କାରେ ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପ ର କାର୍ଯ୍ୟ ଠିକ ଭାବେ ହେଉ ନଥିବା ବେଳେ ବିଭାଗ ପକ୍ଷରୁ ସଠିକ ତଦନ୍ତ କରାଯାଉ ନଥିବାରୁ ଦିନ କେତେଟା ମଧ୍ୟରେ ଉକ୍ତ ପ୍ରକଳ୍ପ ଅଚଳ ହୋଇ ପଡୁଥିବା ଦେଖିବାକୁ ମିଳିଛି । ସେହିପରି ଏକ ପ୍ରକଳ୍ପ ନାଉଗାଁ ବ୍ଳକର କୋରୁଅ ପଂଚାୟତର ଗାରୋଇ ଠାରେ ନିର୍ମାଣ କରାଯାଉଛି । ଯେଉଁ ପ୍ରକଳ୍ପର ନାମ ରହିଛି ଗାରୋଇ ପାନୀୟ ଜଳ ପ୍ରକଳ୍ପ । ଦୀର୍ଘ ଦିନ ହେବ ଉକ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଇବା ପାଇଁ ନଳକୂପ ଖନନ କରାଯାଉଥିଲେ ମଧ୍ୟ ସୁଉଚ୍ଚ ପାଣି ଟାଙ୍କି ନଥିବାରୁ ଜଳ ଯୋଗାଇ ଦିଆଯାଇ ପାରୁ ନଥିଲା । ଏହି ଗ୍ରାମଟି ଦେବୀ ନଦୀ କୂଳରେ ଅବସ୍ଥିତ ହୋଇଥିବା ବେଳେ ଅଧିକାଂଶ ନଳକୂପ ପାଣି ଲୁଣିଆ ଲାଗୁଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ବିଶୁଦ୍ଧ ପାଣି ଯୋଗାଣର ଗୁରୁତ୍ୱ ଦୃଷ୍ଟିରୁ ଗ୍ରାମ୍ୟ ଜଳ ପରିମଳ ବିଭାଗ ପକ୍ଷରୁ ଏହି ଗ୍ରାମର ମାଉସୀ ମା ମନ୍ଦିର ସନ୍ନିକଟ ରେ ଏକ ସୁଉଚ୍ଚ ପାଣି ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର କରାଯାଇଥିଲା । ଗ୍ରାମ୍ୟ ଜଳ ପରିମଳ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ ଏହି ସୁଉଚ୍ଚ ଟାଙ୍କି କରିବା ପାଇଁ ଠିକାଦାର ଭାବେ ବିଭୁତି ରଂଜନ ଭୋଇ ଙ୍କୁ ନିର୍ଦ୍ଦେଶାନାମା ପ୍ରଦାନ କରାଯାଇଛି । ସୁଉଚ୍ଚ ପାଣି ଟାଙ୍କି ନିର୍ମାଣ ପାଇଁ ଅଟକଳ ମୁଲ୍ୟ ୬୪ ଲକ୍ଷ ୭୮ ହଜାର ୩ ଶହ ୧୦ ଟଙ୍କା ବ୍ୟୟ ବରାଦ କରାଯାଇଛି । ପାଣି ଟାଙ୍କି ନିକଟରୁ ୬ ଶହ ମିଟର ପର୍ଯ୍ୟନ୍ତ ୧୬୦ ଏମଏମର ପାଇପ, ୩ ଶହ ମିଟର ପର୍ଯ୍ୟନ୍ତ ୧୧୦ ଏମଏମ ପାଇପ, ୩୨ ଶହ ମିଟର ୯୦ ଏମଏମ ପାଇପ ବିଛାଇବା ପାଇଁ ନିୟମ ରହିଛି । କିନ୍ତୁ କାର୍ଯ୍ୟ କରୁଥିବା ଠିକାଦାର ନିମ୍ନମାନର ପାଇପ ବ୍ୟବହାର କରୁଥିବା ଜଣାଯାଇଛି । ଦୀର୍ଘ ୧୫ ବର୍ଷ ପୂର୍ବରୁ ଉକ୍ତ ଗ୍ରାମକୁ ଗ୍ରାମ୍ୟ ଜଳ ଉନ୍ନୟନ ବିଭାଗ ପକ୍ଷରୁ ପାଇପ ସଂଯୋଗ କରାଯାଇଥିଲେ ହେଁ ବର୍ଷକୁ ଉକ୍ତ ପାଇପରେ ଥରେ କିମ୍ବା ୨ ଥର ପାଣି ଆସିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ସେହି ପୁରୁଣା ପାଇପରେ ନୂତନ ସଂଯୋଗ ପ୍ରଦାନ କରାଯିବା ଯୋଜନା ଚାଲିଥିବା ଜଣାଯାଇଛି । ଯାହାକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି । ସେହିପରି କାର୍ଯ୍ୟ ଆରମ୍ଭ ପୂର୍ବରୁ ସରକାରଙ୍କ ନିୟମାନୁସାରେ ସୂଚନା ଫଳକ ଲଗାଯିବା କଥା । କିନ୍ତୁ କାର୍ଯ୍ୟ ସରିବାକୁ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସୂଚନା ଫଳକ ଲଗାଯାଉନାହିଁ । ଯାହାଫଳରେ କାର୍ଯ୍ୟର ସ୍ଥାୟୀତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗାରୋଇ-ମାଛଗାଁକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍୍ନୟନ ବିଭାଗ ରାସ୍ତାର ପାଶ୍ୱର୍ ଖୋଳାଯାଇ ପାଇପ ବିଛା କାର୍ଯ୍ୟ ଚାଲିଥିଲା । କିନ୍ତୁ ଏହି ରାସ୍ତାର ପାଶ୍ୱର୍ ଖୋଲିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅନୁମତି ଆସି ନଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବିନୋଦ ତରାଇ ପ୍ରକାଶ କରିଥିଲେ । ଜେସିବ ମେସିନରେ ରାସ୍ତା ଖୋଳିବାର ନିୟମ ନଥିବା ବେଳେ ଠିକାଦାର ମନଇଚ୍ଛା ମେସିନ ଲଗାଇ ରାସ୍ତା ପାଶ୍ୱର୍କୁ ଖୋଳିଥିବା ଦେଖିବାକୁ ମିଳିଥିଲା । ଯାହାଫଳରେ ଉକ୍ତ ରାସ୍ତାର ପାଶ୍ୱର୍ ଦବି ଖାଲ ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ବିଭାଗ ପକ୍ଷରୁ ଏହାକୁ ତଦନ୍ତ କରି ସଠିକ କାର୍ଯ୍ୟ କରିବା ପାଇଁ ଅଂଚଳବାସୀ ପ୍ରାଶସନ ନିକଟରେ ଦୃଢ ଦାବି କରିଛନ୍ତି । ଏ ବିଷୟରେ ବିଭାଗୀୟ ଏସଡିଓ ତପନ ରାଉତଙ୍କୁ ପଚାରିବାରୁ ସୂଚନା ଫଳକ ଲଗାଇବା ପାଇଁ କୁହାଯାଇଛି,କ’ଣ ପାଇଁ ଲଗାଯାଇନାହିଁ ସେ ବିଷୟରେ ଠିକାଦାରଙ୍କ ସହ କଥା ହେଲେ ଜଣାପଡିବ । ଯେଉଁଠାରେ ପୁରୁଣା ପାଇପ ଅଛି ସେ ସ୍ଥାନରେ ନୂତନ ପାଇପ ପକାଇବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଥିଲେ ।