ଗାଳ୍ପିକ ଗଙ୍ଗାଧର ବିଶ୍ୱାଳ ପାଇବେ ‘କାଦମ୍ବିନୀ ଗଳ୍ପ ସମ୍ମାନ’
ବାଲେଶ୍ୱର, (ସରୋଜ ପଣ୍ଡା) :-ବିଶିଷ୍ଟ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳ ଚଳିତ ବର୍ଷର ସମ୍ମାନଜନକ ‘କାଦମ୍ବିନୀ ଗଳ୍ପ ସମ୍ମାନ’ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆସନ୍ତା ଜୁଲାଇ ମାସ ୨ ତାରିଖରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ହେବାକୁ ଥିବା ‘କାଦମ୍ବିନୀ’ର ୨୩ତମ ସ୍ୱନକ୍ଷତ୍ର ଉତ୍ସବରେ ଶ୍ରୀ ବିଶ୍ୱାଳ ଏହି ସମ୍ମାନ ଗ୍ରହଣ କରିବେ ବୋଲି ପତ୍ରିକାର ସମ୍ପାଦିକା ଇତି ସାମନ୍ତ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ବାଲେଶ୍ୱରର ଅନ୍ୟତମ ବିଶିଷ୍ଟ ଗଳ୍ପିକ ଶ୍ରୀ ବିଶ୍ୱାଳ ୪୦ ବର୍ଷର ସାହିତ୍ୟ ସାଧନା ସହ ପାଠକ ମହଲରେ ବେଶ ପରିଚତ ହୋଇପାରିଛନ୍ତି । ଇତିମଧ୍ୟରେ ତାଙ୍କର ୧୦ଟି ଗଳ୍ପ ସଂକଳନ, ୪ଟି ଉପନ୍ୟାସ ଓ ୨ଶହ ପଦର ଏକ ପ୍ରେମକାବ୍ୟ ‘ତମେ’ ପ୍ରକାଶ ସହ ପାଠକୀୟ ଆଦୃତ ଲାଭ କରିଛି । ଶ୍ରୀ ବିଶ୍ୱାଳ ନିଜର ସାହିତ୍ୟ କୃତି ପାଇଁ ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବହୁବାର ସମ୍ବର୍ଦ୍ଧିତ ହୋଇଛନ୍ତି ।


