ବକେୟା ରାଶି ନମିଳିଲେ ଜୁଲାଇରେ ଆନ୍ଦୋଳନ ନିଷ୍ପତ୍ତି
ବାଲେଶ୍ୱର, (ସରୋଜ ପଣ୍ଡା) :-ରାଜ୍ୟ ବିଦ୍ୟୁତ ବୋର୍ଡ଼, ଗ୍ରୀଡ଼କୋ, ନେସ୍କୋ ଓ ଟି.ପି.ଏନ୍.ଓ.ଡି.ଏଲ୍. ପ୍ରଭୃତି ବିଦ୍ୟୁତ ସଂସ୍ଥାରେ କାର୍ଯ୍ୟକରି ଅବସର ଗ୍ରହଣ କରିଥିବା କର୍ମଚାରୀମାନଙ୍କୁ ନେଇ ଗଠିତ ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକ ବୈଠକ ବାଲିଆସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟୁତ ଶ୍ରମିକ କର୍ମଚାରୀ ନେତା ଜଗଦ୍ଦୀଶ ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଅବସର ପ୍ରାପ୍ତ କର୍ମଚାରୀଙ୍କ ସମସ୍ୟା ଓ ତା’ର ନିରାକରଣର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଶେଷ କରି ଅବସର ପରେ ବି ଗ୍ରାଚ୍ୟୁଇଟି ଓ ଅର୍ଜିତ ଛୁଟି ପ୍ରାପ୍ୟ ଅଦ୍ୟାବଧି ପ୍ରଦାନ କରାଯାଉ ନଥିବାରୁ ବୈଠକରେ ଉପସ୍ଥିତ ସଭ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ଏବେ ବିଦ୍ୟୁତ ବିତରଣ ଦାୟିତ୍ୱ ନେଇଥିବା ଟାଟା ପାୱାର କମ୍ପାନୀକୁ ବହୁବାର ଆବେଦନ ପରେ ଅଳ୍ପ କେତେଜଣ କର୍ମଚାରୀ ଏହି ପ୍ରାପ୍ୟ ପାଇଥିଲେ ମଧ୍ୟ ବହୁ କର୍ମଚାରୀ ଏଥିରୁ ବଞ୍ଚିତ ହୋଇଛନ୍ତି । ଅର୍ଥରାଶି ପାଇବାରେ ଅହେତୁକ ବିଳମ୍ବ ହୋଇ ଚାଲିଥିବା ବେଳେ ବହୁ କର୍ମଚାରୀ ବାର୍ଦ୍ଧକ୍ୟ ଅବସ୍ଥାରେ ଆର୍ଥିକ ଅନାଟନରେ କାଳାତିପାତ କରୁଛନ୍ତି । ସଂଘ ତରଫରୁ ପୁନଶ୍ଚ ଲିଖିତ ଭାବେ ଜଣାଇବା ପରେ ଯଦି ବକେୟା ପ୍ରାପ୍ୟ ପ୍ରଦାନ କରାନଯାଏ ତେବେ ଆସନ୍ତା ଜୁଲାଇ ମାସ ଶେଷ ସପ୍ତାହରେ ରେମୁଣା ଗୋଲେଇ ନିକଟସ୍ଥ ଟାଟା ପାୱର କର୍ପୋରେଟ୍ ଅଫିସ ସମ୍ମୁଖରେ ଏହି ବରିଷ୍ଠ କର୍ମଚାରୀମାନେ ଗଣଧାରଣରେ ବସିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ଜିଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ପ୍ରତିବାଦରେ ଆସନ୍ତା ୧୬ ତାରିଖ ବାଲେଶ୍ୱର ବନ୍ଦକୁ ବୈଠକରେ ସମର୍ଥନ କରାଯାଇଛି । ଏଥି ସହିତ ସାଇବର କ୍ରାଇମରେ ଶିକାର ହେଉଥିବା ବରିଷ୍ଠ ନାଗରିକଙ୍କୁ ସତର୍କତା ଅବଲମ୍ବନ ସମ୍ପର୍କରେ ସଚେତନତା କରାଯାଇଥିଲା । ସମ୍ପାଦକ ଆଶିଷ କୁମାର ଜେନାଙ୍କ ସମେତ ଅକ୍ଷୟ କୁମାର ଜେନା, ଶଶାଙ୍କ ବେହେରା, ଭରତ ଚନ୍ଦ୍ର ସେଠୀ, ଗଜେନ୍ଦ୍ର ବେହେରା, ବ୍ରହ୍ମାନନ୍ଦ ଦାସ, ବିଷ୍ଣୁ ଦାସ, ବୃନ୍ଦାବନ ମହାନ୍ତି, ଶୈଲିଲ୍ ସିଂହ ଓ ସନ୍ତୋଷ ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ହରେକୃଷ୍ଣ ମହାନ୍ତି ଶେଷରେ ଧନ୍ୟବାଦ ଦେଇଥିଲେ ।


