ଗିରିଜନ ଯୁବକମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବାରେ ସ୍ୱାମୀ ବ୍ରହ୍ମାନନ୍ଦଙ୍କ ଅବଦାନ ଭୁଲି ହେବନାହିଁ
ଭୁବନେଶ୍ୱର, (ୱାଇଏନ୍ଏସ୍): ଓଡ଼ିଶାରେ ଗୁରୁକୂଳ ଆନ୍ଦୋଳନର ସୂତ୍ରଧର, ୩୨ଗୋଟି ଗୁରୁକୁଳ ଓ ଆର୍ଯ୍ୟସମାଜର ପ୍ରତିଷ୍ଠାତା ଆର୍ଯ୍ୟସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ୨୧ତମ ପୂଣ୍ୟତିଥି, ଆଜି ଆଭାଷୀ ଯୋଗେ ଆର୍ଯ୍ୟସମାଜ, ଓଡ଼ିଶାର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ବୈଦିକ ଗୁରୁକୁଳ ଆଶ୍ରମ, ବେଦବ୍ୟାସ ରାଉରକେଲା ଓ ଆର୍ଯ୍ୟସମାଜ, ଓଡ଼ିଶାର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବରିଷ୍ଠ ଆର୍ଯ୍ୟ ସନ୍ନ୍ୟାସୀ ସ୍ୱାମୀ ପ୍ରଣବାନନ୍ଦ ସରସ୍ୱତୀ ମହାରାଜ କହିଲେ ଯେ, ମାଳ ଅଞ୍ଚଳର ଗିରିଜନ ଯୁବକମାନଙ୍କୁ ଗୁରୁକୁଳ ଆଶ୍ରମରେ ଅନ୍ତେବାସୀ ଭାବେ ରଖି, ସଂସ୍କୃତ ଶିକ୍ଷା ଦେଇ, ସମାଜର ମୁଖ୍ୟସ୍ରୋତକୁ ଆଣିବାରେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଅବଦାନ ଅତୁଳନୀୟ । ଏହାକୁ ଭୁଲି ହେବ ନାହିଁ ବୋଲି ସେ କହିବା ସଙ୍ଗେ ସଙ୍ଗେ ସ୍ୱାମୀ ବ୍ରହ୍ମାନନ୍ଦଙ୍କ ସାମାଜିକ ଓ ଶିକ୍ଷା କ୍ଷେତ୍ରକୁ ଅବଦାନର ସଫଳ ମୂଲ୍ୟାୟନ ହୋଇପାରି ନାହିଁ । ଶ୍ରଦ୍ଧାଞ୍ଜଳି ଜଣାଇ ବରିଷ୍ଠ ସାମ୍ବାଦିକ ଉତ୍କଳ ମେଲ୍ର ସମ୍ପାଦକ ପୀତବାସ ମିଶ୍ର କହିଲେ ଯେ, ସୁନ୍ଦରଗଡ଼ ଜିଲ୍ଲା କେବଳ ନୁହେଁ, ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ୱାମୀ ବ୍ରହ୍ମାନନ୍ଦଙ୍କର ପ୍ରବେଶ ଥିଲା । ସମାଜର ଅବହେଳିତ ଶ୍ରେଣୀର ଉତ୍ଥାନରେ ତାଙ୍କ ସହଯୋଗ ପାଇଁ ତାଙ୍କୁ ସ୍ୱମ୍ବର୍ଦ୍ଧନା ଦେବା ବଦଳରେ ତାଙ୍କୁ ମାରି ଦେବା ପାଇଁ ଚକ୍ରାନ୍ତ କରାଯାଇଥିଲା, ବିଷ ମଧ୍ୟ ପ୍ରୟୋଗ କରାଯାଇଥିଲା । କିନ୍ତୁ ତାଙ୍କ ଅସୀମ ଆଧ୍ୟାତ୍ମିକ ଶକ୍ତି ଓ ଧୈର୍ଯ୍ୟ ତାଙ୍କୁ ଶ୍ରେଷ୍ଠ ସ୍ଥାନରେ ପହଞ୍ଚାଇଥିଲା ।ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପ୍ରଫେସର ଡଃ ବୁଦ୍ଧେଶ୍ୱର ଷଡ଼ଙ୍ଗୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ସ୍ୱାମୀ ବ୍ରହ୍ମାନନ୍ଦ କେବଳ ଗୁରୁକୁଳ ପ୍ରତିଷ୍ଠା କରୁନଥିଲେ, ତାଙ୍କ ବିବିଧ କାର୍ଯ୍ୟକ୍ରମର ଏହା ଏକ ଅଂଶ ଥିଲା । ଜୀବନକାଳ ମଧ୍ୟରେ ସେ ବହୁ ସଂସ୍କାର ଆନ୍ଦୋଳନର ସ୍ରଷ୍ଟା । ବଢି, ମରୁଡ଼ି ବେଳେ ପ୍ରପୀଡ଼ିତ ଜନତାଙ୍କ ପାଖରେ ସେ ପ୍ରଥମେ ଠିଆ ହେଉଥିଲେ । କିନ୍ତୁ ଆମ ରାଜ୍ୟରେ ଅପୂଜ୍ୟ ମାନଙ୍କର ପୂଜା ହେଉଛି, ପୂଜ୍ୟପୂଜାରେ ବ୍ୟତିକ୍ରମ ଦେଖାଦେଉଛି । ଆଗାମୀ ଦିନରେ ସ୍ୱାମୀ ବ୍ରହ୍ମାନନ୍ଦଙ୍କ ନାମରେ ଏକ, ଏକକ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସେ ପ୍ରସ୍ତାବ ରଖିଥିଲେ । ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଉମାକାନ୍ତ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡଃ କିଶୋରୀ ଦାସ, ଶ୍ରୀଧର ପୃଷ୍ଟି, ପ୍ରଫେସର ଭୋରାସାଗର ଓ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଶ୍ରଦ୍ଧା ସୁମନ ଜଣାଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଅଧ୍ୟାପକ ସୁରେନ୍ଦ୍ର କୁମାର ଉପାଧ୍ୟାୟ ବେଦପାଠ, ଆଶ୍ରମର ସମ୍ପାଦକ ରାମଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଓ ଆଚାର୍ଯ୍ୟ ପ୍ରସନ୍ନ କୁମାର ଶାସ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ଆର୍ଯ୍ୟଭବନ, ଭୁବନେଶ୍ୱରଠାରେ ପଣ୍ଡିତ ବିନୋଦ ବିହାରୀ ଦାସ ଓ ଗୁରୁକୂଳ ଆଶ୍ରମ ବେଦବ୍ୟାସଠାରେ ଆଚାର୍ଯ୍ୟ ନକୁଳ ଦେବ ଶାସ୍ତ୍ରୀ ଶାନ୍ତି ଯଜ୍ଞ ପରିଚାଳନା କରିଥିଲେ ।


