ଗୀତା କେବଳ ଧର୍ମଶାସ୍ତ୍ର ନୁହେଁ, ଗୀତା ମାନବ ଜୀବନ ପାଇଁ ମାର୍ଗଦର୍ଶନର ଗ୍ରନ୍ଥ-ଶ୍ରୀମଦ ବଳିଆ ଗୀତା କଥା ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତି ମଣିଷର ଜୀବନ ଏକ ଗୀତା । ଗୀତା ତତ୍ତ୍ୱ ହିଁ ଜୀବନର ତତ୍ତ୍ୱ । ତତ୍ତ୍ୱ ଜାଣିଲେ ଭ୍ରାନ୍ତି ତୁଟିବ । ପ୍ରତି ମଣିଷର ଜୀବନ କୁରୁକ୍ଷେତ୍ରରେ ଆସୁଥିବା ଦ୍ୱନ୍ଦ୍ୱ, ସଂଶୟ ଓ ବିପଦ ସମୟରେ ସଠିକ୍ ଦିଗ୍‌ଦର୍ଶନ ଓ ସମାଧାନ ପାଇବାକୁ ହେଲେ ପ୍ରତ୍ୟେକ ମଣିଷ ଗୀତା ପଢିବା ଦରକାର ବୋଲି ଭାରତର ବିଶିଷ୍ଟ ଆଧ୍ୟତ୍ମିକ ମାର୍ଗଦର୍ଶକ, ସଂସ୍କାରକ ଗୁରୁ ପଦ୍ମଶ୍ରୀ ବାବା ବଳିଆ କହିଛନ୍ତି । ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ପାଞ୍ଚ ଦିନିଆ ‘ଗୀତା କଥା’ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଦିବସରେ ଶ୍ରୀମଦ ବାବା ବଳିଆ କହିଛନ୍ତି ଯେ, ଏକାମ୍ର କ୍ଷେତ୍ର ପବିତ୍ରସ୍ଥଳୀରେ ଗୀତାର ମାର୍ଗଦର୍ଶନ ସମସ୍ତଙ୍କ ଜୀବନ ଯୁଦ୍ଧକୁ ସରଳ ଓ ସଫଳ କରୁ । ଗୀତା କେବଳ ଏକ ଧର୍ମଗ୍ରନ୍ଥ ନୁହେଁ, ଏହା ମାନବ ଜୀବନର ମାର୍ଗଦର୍ଶନର ଗ୍ରନ୍ଥ ।କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ପାଞ୍ଚଜଣ ପତିହରା ମାଆ । ସେହିପରି ଭଗବାନ ଶିଶୁ ଅନନ୍ତଙ୍କ ପାଖରେ ପଞ୍ଚବଟ ବୃକ୍ଷ ବର, ଅଶ୍ୱସ୍ତ, ବେଲ, ନିମ୍ବ ଓ ଅଁଳା ବୃକ୍ଷକୁ ଶିବ ରୂପରେ ପୂଜାର୍ଚ୍ଚନା କରାଯାଇଥିଲା । ପତିହରା ମାଆମାନଙ୍କୁ ସମ୍ମାନ ଓ ବୃକ୍ଷ ତଥା ପରିବେଶ ସମ୍ପର୍କରେ ସଚେତନତା ଲାଗି ଏପରି ନିଆରା ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାଗତ କମିଟିର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନୟକ ସ୍ୱାଗତ ଭାଷଣରେ କହିଲେ ଯେ, ଶ୍ରୀମଦ ବାବା ବଳିଆ ୫୦ ବର୍ଷ ହେବ, ଆମ ସମାଜକୁ ନୂତନ ବାର୍ତ୍ତା ଦେଇ ଆସୁଛନ୍ତି । ସେ ଧର୍ମକଥା କହିବା ସହ ସମାଜ ସଂସ୍କାରର ବାର୍ତ୍ତା ଦେଉଛନ୍ତି । ଏହି ବାର୍ତ୍ତାକୁ ସରକାର ଓ ସମାଜ ସହ ସାଧାରଣ ମଣିଷ କାମରେ ଲଗାଇଲେ ଉପକୃତ ହୋଇପାରିବେ ।କାର୍ଯ୍ୟକ୍ରମର ସଂଯୋଜକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପାଞ୍ଚଦିନିଆ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ । ସେ କହିଥିଲେ ଯେ, ଶ୍ରୀମଦ ବାବା ବୈଷ୍ଣବୀୟ ପଞ୍ଚସଖା ବଳରାମ, ଜଗନ୍ନାଥ, ଅନନ୍ତ, ଅଚ୍ୟୁତ ଓ ଯଶୋବନ୍ତଙ୍କର ମୂର୍ତ୍ତିମନ୍ତ ପ୍ରତୀକ । ଅନନ୍ତ ବଳିଆ ଟ୍ରଷ୍ଟର ବାବାଜୀ ପ୍ରଣବାନନ୍ଦ ଦାସ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଟ୍ରଷ୍ଟର ବାବାଜୀ ରାଧେଶ୍ୟାମ ଦାସ, ବାବାଜୀ ପରମାତ୍ମା ଦାସ, ବିଶ୍ୱ ସନାତନ ସେବା ସଂଘ, ଭୁବନେଶ୍ୱରର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ଆଜି ସକାଳ ୧୦ ଘଟିକା ସମୟରେ ରବୀନ୍ଦ୍ର ମଣ୍ଡପଠାରେ ପରିବେଶ ସମ୍ପର୍କୀୟ ଆଲୋଚନାଚକ୍ରକୁ ଶ୍ରୀମଦ ବାବା ବଳିଆ ଉଦ୍‌ଘାଟନ କରିବେ । ପାଞ୍ଚଦିନ ଧରି ଏହି ଆଲୋଚନାଚକ୍ର ପ୍ରତ୍ୟେହ ସନ୍ଧ୍ୟା ୬ଘଟିକା ସମୟରେ କ୍ରମାନ୍ୱୟନରେ ଚାଲିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ