ଗୁଜରାଟମୁହାଁ ‘ବାୟୁ’

ନୂଆଦିଲ୍ଲୀ(ଏଜେନ୍ସି): ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବାୟୁ’ କ୍ରମେ ଅଧିକରୁ ଅଧିକ ଘନୀଭୂତ ହେବା ସହ ଭୟଙ୍କର ରୂପ ନେଇ ଗୁଜୁରାଟ ଉପକୂଳ ଆଡ଼କୁ ମୁହାଁଇଛି । ସମ୍ପ୍ରତି ଗୁଜୁରାଟ ଉପକୂଳ ଠାରୁ ଦକ୍ଷିଣରେ ୬୫୦ କିଲୋମିଟର ଦୂରରେ ରହିଥିବା ସାମୁଦ୍ରିକ ଝଡ଼ ବାୟୁ ୧୩ ତାରିଖ ସୁଦ୍ଧା ଗୁଜରାଟ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଅପରାହ୍ଣରେ ଜାରି ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଏବେ ଭୀଷଣ ରୂପ ଧାରଣ କରିବା ସହ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଉତ୍ତର ଦିଗକୁ ମୁହାଁଇଛି । ସମୁଦ୍ର ଭିତରେ ଏହା ଅଧିକରୁ ଅଧିକ ଘନୀଭୂତ ହେବା ସହ ଭୟଙ୍କର ରୂପ ନେଇ ୧୩ ତାରିଖ ସକାଳ ସୁଦ୍ଧା ଗୁଜୁରାଟ ଉପକୂଳର ପୋର ବନ୍ଦର ଓ ମହୁବା ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ସାମୁଦ୍ରିକ ଝଡ଼ ବାୟୁ ଗୁଜୁରାଟ ଉପକୂଳ ଅତିକ୍ରମ କରିବା ବେଳକୁ ଗୁଜରାଟରେ ପ୍ରବଳ ପବନ ସହ ଝଡ଼ ବର୍ଷାର ଆଶଙ୍କା ରହିଛି । ଏହି ସମୟରେ ପବନର ବେଗ ୧୨୦ର ୧୩୫ କିଲୋମିଟର ରହିବାର ମଧ୍ୟ ସମ୍ଭାବନା ରହିଛି । ଗୁଜରାଟ ସମେତ ମହାରାଷ୍ଟ୍ରରେ ମଧ୍ୟ ସାମୁଦ୍ରିକ ଝଡ଼ ବାୟୁ ବ୍ୟାପକ କ୍ଷୟକ୍ଷତି କରିବାର ସମ୍ଭାବନା ରହିଥିବା ଜାରି ଇସ୍ତାହାରରେ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ବାୟୁ’ର ପ୍ରଭାବ ସାମୁଦ୍ରିକ ଝଡ ଫାନି ତୁଳନାରେ ଅପେକ୍ଷାକୃତ କମ୍ ରହିବ ବୋଲି ପାଣିପାଗ ବିଭାଗ କହିଛି ।
ଅନ୍ୟପକ୍ଷେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମୂଦ୍ରିକ ଝଡ ବାୟୁ ଦ୍ୱାରା ଉତ୍ପନ୍ନ ହେବାକୁ ଥିବା ସ୍ଥିତିର ମୁକାବିଲା କରିବା ପାଇଁ ଶାହା ସମ୍ବନ୍ଧିତ ରାଜ୍ୟ ଏବଂ କେନ୍ଦ୍ରୀୟ ମନ୍ତ୍ରାଳୟର ସଂସ୍ଥାଗୁଡିକ ସହ ଆଲୋଚନା କରିଛନ୍ତି । ଭାରତୀୟ ତଟରକ୍ଷକ ବଳ, ନୌସେନା, ସ୍ଥଳ ସେନା ଏବଂ ବାୟୁ ସେନାଙ୍କୁ ଏଥିପାଇଁ ନିୟୋଜିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ସମୁଦ୍ର ଉପକୂଳବର୍ତ୍ତୀ ଲୋକମାନଙ୍କୁ ଖୁବ୍ ଶୀଘ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯିବା ତଥା ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଶାହା ଗୁରୁତ୍ୱ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ