ଗୁଟିଖା ବ୍ୟବସାୟୀ ମାଲାମାଲ : ପ୍ରଶାସନ ନିରବଦ୍ରଷ୍ଟା

ହିଂଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟରେ ଦିନକୁ ଦିନ ପାନ ଗୁଟଖା ଓ ତମାଖୁ ଦ୍ରବ୍ୟର ବ୍ୟବହାର ବଢି ଚାଲିଛି । ଏହା କବଳରେ ଯୁବପିଢି ଠାରୁ ଆରମ୍ଭ କରି ଆବାଳ ବୃଦ୍ଧ ବନିତା ପନିବା ଯୋଗୁଁ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହେଉଛି । ଏହାକୁ ବନ୍ଦ କରିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୃଢ ଆଇନ ରହିଥିଲେ ମଧ୍ୟ କୌଣସି ପ୍ରକାର ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁନାହିଁ । ବିଭାଗର ଶିଥିଳତା ଯୋଗୁଁ କଡ଼ା ପାନମସଲା , ଗୁଟଖା ଓ ତମାଖୁ ଦ୍ରବ୍ୟର କାରବାର ରାଜ୍ୟରେ ବେଧଡ଼କ ଭାବେ ଚାଲିଛି । ପ୍ରତିବର୍ଷ ଆନ୍ତର୍ଜାତୀୟ ଟୋବାକୋ ଦିବସ ଆସିଲେ ସ୍ୱାସ୍ଥ୍ୟବିଭାଗ ଅଧିକାରୀ କାଗଜ ପତ୍ରରେ ତତ୍ପରତା ଦେଖାଇଥାନ୍ତି । ବିଞାପନ ସାଙ୍ଗକୁ ବିଭିନ୍ନ ନାମୀଦାମୀ ହୋଟେଲରେ କର୍ମଶାଳା ଆୟୋଜନ କରି ରାଜକୋଷରୁ ବିପୁଳ ପରିମାଣରେ ଅର୍ଥ ଖର୍ଚ୍ଚ କରନ୍ତି । ହେଲେ ଯଥା ପୂବଂ ତଥା ପରଂ ନ୍ୟାୟରେ ରାଜ୍ୟରେ ତମାଖୁ ଦ୍ରବ୍ୟ ଅବାଧରେ ବିକ୍ରି ହେଉଛି । ଏହାବାଦ୍ ବିଭିନ୍ନ ସମୟରେ ନକଲି ଗୁଟଖା କମ୍ପାନୀ ମାନେ ହିଂଜିଳିକାଟୁ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ଭଡ଼ା ସୁତ୍ରରେ ବହୁ ବାସଭବନରେ ଲୁଚାଛପାରେ ନକଲି ଗୁଟଖା ଳପ୍ରସ୍ତୁତ କରି ନିଜର କାୟା ବିସ୍ତାର କରୁଥିବାର ଅଭିଯୋଗ ହେଉଛି । ଗତବର୍ଷ ହିଂଜିଳିକାଟୁ ବ୍ଳକ ବେଲଗାଁ- ଗଣ୍ଡଳା ଗ୍ରାମରେ ଚାଲିଥିବା ଏକ ନକଲି ଗୁଟଖା ଓ ପାନମସଲା ପ୍ରସ୍ତୁତକାରୀ ବ୍ୟବସାୟୀଙ୍କୁ ଗିରଫ କରାଯିବା ସହ ଲକ୍ଷାଧିକ ଟଙ୍କାର ବିଭିନ୍ନ କମ୍ପାନୀର ପାନମସଲା, ପ୍ରାକିଂ ମେସିନ, ଗୁଟଖା ଜରି ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଘଟଣା ପରେ ଅଂଚଳରେ କିଛି ଦିନ କୋକୁଆ ଭୟ ଖେଳିଯାଇଥିଲା । କିନ୍ତୁ ପରବର୍ତି ସମୟରେ ଲାଭଖୋର ବ୍ୟବସାୟୀ ମାନେ ନିଜନିଜର କାୟା ବିସ୍ତାର କରିବାରେ ଲାଗିଛନ୍ତି । ଗୁଟଖା ପାନମସଲା ଭଳି ଦ୍ରବ୍ୟକୁ ରାଜ୍ୟରୁ ସମ୍ପୁର୍ଣ୍ଣ ଭାବେ ମୁଳପୋଛ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତକ୍ରାଳୀନ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଗୁରୁତ୍ୱ ଦେଇଥିଲେ । ଏଥିପାଇଁ ୨୦୧୧ ରେ ସ୍ୱତନ୍ତ୍ର ଆଇନ ଲାଗୁ କରିଥିଲେ । ପୂର୍ବରୁ ଏହାକୁ ଅବକାରୀ, ପୁଲିସଏବଂ ଭେଷଜ ନିୟନ୍ତ୍ରକ କାର୍ଯ୍ୟାଳୟ ପକ୍ଷରୁ ଚଢାଉ କରି ଧରାଯାଉଥିବା ବେଳେ ପରେ ଏହାର ଦାୟିତ୍ୱ ସ୍ୱାସ୍ଥ ବିଭାଗ ନିଜ ହାତକୁ ନେଇଥିଲା । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ଫୁଡ଼ ସିକ୍ୟୁରିଟି ଷ୍ଟାଣ୍ଡାର୍ଡ଼ ରେଗୁଲେସନ ଆକ୍ଟ -୨୦୧୧ କାର୍ଯ୍ୟକାରୀ କରାଯାଇଥିଲା । ଏଥିରେ ସ୍ୱାସ୍ଥ୍ୟ ବିଭାଗକୁ ଆଇନରେ ପୂର୍ଣ୍ଣ କ୍ଷମତା ଦିଆଯାଇଛି । ଯେତେବେଳେ ବିଭାଗ ଚାହିଁବ ପୁଲିସ ଏବଂ ସହବନ୍ଧିତ ବିଭାଗୀୟ ଅଧିକାରୀଙ୍କୁ ନେଇ ଚଢାଉ କରିପାରିବ । ହେଲେ କାର୍ଯ୍ୟାନ୍ନୟନ ଦିଗରେ ଶିଥିଳତା ଲାଗି ରହିବାରୁ ତକ୍ରାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଗୁଟୁଖା ପାନମସଲା ପ୍ରସ୍ତୁତକାରୀ ସଂସ୍ଥା ଉପରେ ଅଙ୍କୁଶ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁନଶ୍ଚ ୨୦୧୩ ମସିହାରେ ଉକ୍ତ ଆଇନକୁ କଡ଼ାକଡ଼ି କରାଗଲା । ମାତ୍ର ଆଇନ କାର୍ଯ୍ୟକାରୀ ହେବାର ଦୀର୍ଘ ୬ ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ଉକ୍ତ ଆଇନ ସ୍ୱାସ୍ଥ୍ୟ ବିଭାଗର କେଉଁ କୋଣରେ ମୋଡ଼ି ମକଚି ହୋଇ ରହିଯାଇଛି । ହେଲେ ଯେଉଁଠାରେ ଏହି ନି।।ଦ୍ରବ୍ୟ ପ୍ରସ୍ତୁତ କରାଯାଏ, ସେଠାରେ ଚଢାଉ କରି ସିଲ କରିବାକୁ ବିଭାଗର ବଳ ପାଏ ନାହିଁ କି ହାତ ପାହାନ୍ତାରେ ଥିବା ବିକ୍ରି କରାଯାୁଥିବା ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଏ ନାହିଁ । ରାଜ୍ୟରେ ଏହି ନିଶା ଦ୍ରବ୍ୟକୁ ବନ୍ଦ କରିବା ଲାଗି ବିଭିନ୍ନ ସମୟରେ ଉଚ୍ଚ ନ୍ୟାୟଳୟ ନିକଟରେ ମାମଲା ହୋଇଛି । ଉଚ୍ଚ ନ୍ୟାୟଳୟ ପକ୍ଷରୁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ଳୋବାଲ ଆଡ଼ଲ୍ଟ ଟୋବାକୋର ସର୍ଭେରୁ ଜଣାପଡ଼ିଛି ଯେ, ଭାରତରେ ୪୩ ପ୍ରତିଶତ ଲୋକେ ଗୁଟଖା କବଳରେ ପଡ଼ିଛନ୍ତି । ଓଡ଼ିଶାରେ ଏହାର ସମ୍ପୂର୍ଣ୍ଣ ଭାବେ କୁପ୍ରଭାବ ପଡ଼ିଛି । ପ୍ରତିବର୍ଷ ମଇ ମାସ ୩୧ ତାରିଖରେ ଆନ୍ତର୍ଜାତିକ ଟୋବାକୋ ଦିବସ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ଆନ୍ତର୍ଜାତିକ ଟୋବାକୋ ଦିବସ ମଧ୍ୟରେ ପ୍ରଶାସନ ଗୁଟଖା ବନ୍ଦ ଦିଗରେ କିଭଳି ପଦକ୍ଷେପ ଗ୍ରହଣ କରୁଛି ଦେଖିବାକୁ ବାକି ରହିଛି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ