ଗୁଟ୍‍ଖା କାରବାରକୁ ନିୟନ୍ତ୍ରଣ କରିବ କିଏ? ନିଷେଧାଦେଶକୁ ପୁରିଲା ୧୨ ବର୍ଷ

ଆସିକା, (ଯୁଗାବ୍ଦ ନ୍ୟୁଜ):ଓଡିଶାରେ ଗୁଟ୍‌ଖା ବ୍ୟାନ୍ । ବଜାରରେ ବିକ୍ରୀ ହୋଇ ପାରିବନି କି ତିଆରି ବି ହୋଇ ପାରିବନି ଗୁଟ୍‌ଖା । ଗତ ୨୦୧୩ ମସିହା ଜାନୁଆରୀ ମାସ ୩ତାରିଖରେ ଏମିତି ଆଇନ ଆଣିଥିଲେ ରାଜ୍ୟ ସରକାର । ଆଇନ ଉଲଂଘନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜ୍ୟ ସରକାର ଏ କ୍ଷେତ୍ରରେ ମିଳୁଥିବା ରାଜସ୍ୱକୁ ଗୋଡରେ ଆଡେଇ ଦେଇଥିଲେ । କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ସରକାରୀ ନିର୍ଦ୍ଦେଶନାମା ମଧ୍ୟ ଫୁ କରି ଉଡି ଯାଇଥିବା ଆଲୋଚିତ ହେଉଛି । ଏମିତି ନୁହେଁ ଯେ ଗୁଟ୍‌ଖା ବେପାର ଲୁଚାଛପାରେ ଚିଲିଛି । ସବୁ ଚାଲିଛି ଖୁଲମ୍‌ଖୁଲା । ସାଧାରଣତଃ ଯୁବପିଢୀ ହୁଅନ୍ତୁ ଅବା ପାଠପଢା ପିଲା, ତମାଖୁ ସେବନ ଏବେ ଅଧିକାଂଶଙ୍କ ପାଇଁ ଫ୍ୟାସନ୍ ପାଲଟିଛି । ଭଞ୍ଜନଗର ଉପଖଣ୍ଡର ଆସିକା, ଭଂଜନଗର, ବୁଗୁଡା, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ସୋରଡା, ଧରାକୋଟ, ଶେରଗଡ ସମେତ ବିଭିନ୍ନ ଅଞ୍ଚଳର ପ୍ରାୟ ୯୦ପ୍ରତିଶତ ଚା ଓ ପାନ ଦୋକାନରେ ଖୋଲାଖୋଲି ଭାବେ ବିକ୍ରୀ ହେଉଛି ଭଳିକି ଭଳି ଗୁଟ୍‌ଖା ପ୍ୟାକେଟ୍ । ଆଉ ଏହି ନିଶା ଭିତରେ ଜଣକ ପରେ ଜଣେ ମୁଖ ଗହ୍ୱର କର୍କଟ ରୋଗରେ ଶୀକାର ହୋଇ ଚାଲିଛନ୍ତି । ଗୋଟିଏ ପଟେ ଅଧିକାଂଶ ଯୁବପିଢୀ ଜାଣି ଜାଣି କର୍କଟର ବିଷ ବଳୟ ମଧ୍ୟକୁ ନିଜକୁ ନିଜେ ଠେଲି ଦେଉଥିବା ବେଳେ ସରକାରୀ ଚିକିତ୍ସାଳୟ ଗୁଡିକରେ କର୍କଟ ରୋଗର ଚିକିତ୍ସା ଲାଗି ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଗୋଟିଏ ପଟେ ତମାଖୁର ଅବାଧ ବିକ୍ରୟ ଉପରେ ଅଙ୍କୁଶ ଲଗାଇବାରେ ବିଭାଗୀୟ ଅଧିକାରୀ ଆନ୍ତରିକତା ପ୍ରକାଶ କରୁନଥିବା ବେଳେ ଏହାର ସିଧାସଳଖ ପ୍ରଭାବ ଗୁଟ୍‌ଖା ଖାଉଥିବା ଯୁବପିଢୀ ଓ ରାଜ୍ୟ ରାଜକୋଷ ଉପରେ ପଡୁଥିବା ସଚେତନ ନାଗରିକଙ୍କ ମହଲରେ ମତ ପ୍ରକାଶ ପାଉଛି । ରାଜ୍ୟରେ ଗୁଟ୍‌ଖା ଅବା ତମାଖୁ ଜାତୀୟ ଖାଦ୍ୟ ପଦାର୍ଥର ବିକ୍ରୟକୁ ନିଷେଧ ପାଇଁ ଏକ ଆଇନ ଗତ ୨୦୧୩ ମସିହା ଜାନୁଆରୀ ମାସ ୩ତାରିଖରେ ଲାଗୁ କରାଯାଇଥିଲେ ମଧ୍ୟ ଦୀର୍ଘ ୧୧ବର୍ଷ ହେଲା ସରକାରୀ ନିର୍ଦ୍ଦେଶ କେବଳ କାଗଜ କଲମରେ ସୀମିତ ରହିଯାଇଥିବା ଅଭିଯୋଗ ହେଉଛି । ତମାଖୁ ସେବନ ଜନିତ କର୍କଟ ରୋଗର ଭୟାବହତାକୁ ଦୃଷ୍ଟିରେ ରଖି ୨୦୧୩ ମସିହା ଜାନୁଆରୀ ମାସ ୩ତାରିଖରେ ରାଜ୍ୟ ସରକାର ଫୁଡ୍ ଷ୍ଟାଣ୍ଡାର୍ଡ ସେଫ୍ଟି ଆକ୍ଟ ଅନୁଯାୟୀ ଓଡିଶା ବଜାରରେ ଏହାର ବିକ୍ରୟକୁ ସଂପୂର୍ଣ୍ଣ ନିଷେଧ ଘୋଷଣା କରିଥିଲେ । ଅର୍ଥାତ୍ ଯେଉଁ ବ୍ୟକ୍ତି ଅବା ଅନୁଷ୍ଠାନ ଏହାର ବିକ୍ରୟ ତଥା ଯୋଗାଣ କରିବେ ସେମାନଙ୍କୁ ଅର୍ଥ କିମ୍ବା ଜେଲ୍ ଦଣ୍ଟରେ ଦଣ୍ଟିତ କରାଯିବାର ଉକ୍ତ ଆଇନରେ ବ୍ୟବସ୍ଥା ରହିଛି । କିନ୍ତୁ ଭଂଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳର ଏମିତି କୌଣସି ସ୍ଥାନ ନାହିଁ ଯେଉଁଠାରେ ଗୁଟ୍‌ଖା କିମ୍ବା ତମାଖୁ ଜାତୀୟ ଖାଦ୍ୟ ପଦାର୍ଥ ଅତି ସହଜରେ ମିଳୁନଥିବ । ଶିକ୍ଷାନୁଷ୍ଠାନ ନିକଟରେ ହେଉ କିମ୍ବା ପରିବାବଜାର ସବୁଆଡେ ଏହାର ଅବାଧ ବିକ୍ରୟ ଚାଲିଛି । ପାନ ଦୋକାନ କଥା ଦୂରରେ ଥାଉ ଅନ୍ୟ କେତେକ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ମଧ୍ୟ ଗୁଟ୍‌ଖା ମାଳ ଝୁଲୁଥିବାର ଦେଖିବାକୁ ମିଳୁଛି । କେତେକ ଦୋକାନରେ ଖୁଚୁରା ଟଙ୍କା ବଦଳରେ ଯୁବପିଢୀଙ୍କ ହାତରେ ଗୁଟ୍‌ଖା ପ୍ୟାକେଟ୍ ଟିଏ ଧରାଇ ଦିଆଯାଇଥିବା ମଧ୍ୟ ଅଭିଯୋଗ ହେଉଛି । ଏହାକୁ ଦେଖିଲେ କେହି କେବେ କହିବେ ନାହିଁ ଯେ ତମାଖୁ ଜାତୀୟ ଖାଦ୍ୟ ପଦାର୍ଥର ବିକ୍ରୟକୁ ସଂପୂର୍ଣ୍ଣ ନିଷେଧ ଘୋଷଣା କରାଯାଇଛି ଓ ଏଥିଲାଗି ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ରହିଛି । ଗଞ୍ଜାମ ଜିଲ୍ଲାର ଭଂଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ସରକାରୀ ନୀତିନିୟମକୁ ଉଲଂଘନ କରି ଅବାଧରେ ଗୁଟ୍‌ଖା କାରବାର ଚାଲିଥିଲେ ମଧ୍ୟ ତାହାକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରଶାସନର ନୀରବତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ତମାଖୁ ସେବନରେ ଅଭ୍ୟସ୍ତ ବ୍ୟକ୍ତି ମାନେ ଏହାର କୁପ୍ରଭାବ ଜାଣି ମଧ୍ୟ ଅଭ୍ୟାସ ଛାଡିପାରୁ ନାହାନ୍ତି । ସଚେତନତା ଅଭାବରୁ ଅଧିକାଂଶ କିଶୋର ଓ ବହୁ ଯୁବପିଢୀ ମଧ୍ୟ କୁସଙ୍ଗରେ ପଡି ତମାଖୁ ସେବନ ପ୍ରତି ଆକର୍ଷିତ ହେଉଛନ୍ତି । ଗଞ୍ଜାମ ଜିଲ୍ଲାର ଭଂଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳର କେତେକ ଜଣାଶୁଣା ଗୁଟ୍‌ଖା ବ୍ୟବସାୟୀ ଲକ୍ଷଲକ୍ଷ ଟଙ୍କାର ବିଭିନ୍ନ ବ୍ରାଣ୍ଡର ଗୁଟ୍‌ଖା ଆଣି ଅବାଧରେ ବିକ୍ରୀ କରି ମାଲାମାଲ ହେଉଥିବା ଚର୍ଚ୍ଚା ହେଉଛି । ତମାଖୁ ସେବନ ଦ୍ୱାରା ମୁଖ କର୍କଟ, ଯକ୍ଷ୍ମାଭଳି ବହୁ ଦୂରାରୋଗ୍ୟରେ ପୀଡିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରେ ଏହାର ସଂଖ୍ୟା କିଛି କମ୍ ନୁହେଁ । ଯାହାରି ଫଳରେ ତମାଖୁ ସେବନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ପାନ, ବିଡି, ଗୁଟ୍‌ଖା ଓ ସିଗାରେଟ୍ ଭଳି ତମାଖୁ ସେବନକାରୀ ନିଜ ଅଭ୍ୟାସ ଛାଡି ପାରୁନାହାନ୍ତି । ତମାଖୁ ସେବନ ଦ୍ୱାରା ନିଜର ମୂଲ୍ୟବାନ ଜୀବନ ବିପଦ ଆଡକୁ ଚାଲି ଯାଉଥିବା ଜାଣିଥିଲେ ମଧ୍ୟ ଅଭ୍ୟାସରେ ପରିବର୍ତ୍ତନ ଆଣିପାରୁ ନାହାନ୍ତି । ନିଜର ମାନସିକତା ଓ ତମାଖୁ ଉପରେ ଥିବା ନିର୍ଭରଶୀଳତା ସେମାନଙ୍କୁ ତମାଖୁ ସେବନ କରିବାକୁ ବାଧ୍ୟ କରୁଛି । ଫଳରେ ତମାଖୁ ସେବନକାରୀ କ୍ୟାନ୍‌ସର୍ ଭଳି ରୋଗରେ ପୀଡିତ ହୋଇ ନିର୍ଦ୍ଧାରିତ ସମୟ ପୂର୍ବରୁ ଅକାଳରେ ମୃତ୍ୟୁବରଣ କରୁଛନ୍ତି । ତମାଖୁ ସେବନକାରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତେକ ନକଲି ତମାଖୁ ପ୍ରସ୍ତୁତକାରୀ କମ୍ପାନୀ ମଧ୍ୟ ବିଭିନ୍ନ ନାମରେ ଗୁଟ୍‌ଖା ପ୍ରସ୍ତୁତ କରି ବଜାରରେ ବିକ୍ରୀ କରୁଥିବା ଆଲୋଚିତ ହେଉଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦିନକୁ ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ୍ୱ ତମାଖୁ ଦ୍ରବ୍ୟ ବିକ୍ରୀ ହେଉଥିବା ଏକ ଆକଳନ କହୁଛି । ଜଣେ ତମାଖୁ ସେବନ କରିବା ଦ୍ୱାରା ତାର ମାନସିକତା ଗଭୀର ଭାବେ ପ୍ରଭାବିତ ହୋଇଥାଏ ଓ ଅଭ୍ୟାସ ହୋଇଗଲା ପରେ ଏହାକୁ ଛାଡିବା କଷ୍ଟକର ହୋଇପଡେ । ତମାଖୁ ଉପରେ ସେ ଏତେ ଭାବରେ ନିର୍ଭରଶୀଳ ହୋଇପଡେ ଯେ ପରିଣାମ ଯାହା ହେଉନା କାହିଁକି ଅଭ୍ୟାସ ଛାଡି ପାରେ ନାହିଁ । କେବଳ ଦୃଢ ମନୋବଳ ଓ ଇଚ୍ଛାଶକ୍ତି ଏବଂ କର୍କଟ ରୋଗର ଭୟାବହତା ସଂକ୍ରାନ୍ତରେ ଅବଗତ ଦ୍ୱାରା ହିଁ ଜଣେ ତମାଖୁ ଠାରୁ ଦୂରେଇ ରହିପାରିବ ବୋଲି ଆସିକା ଉପଖଣ୍ଡ ଚିକିତ୍ସାଳୟର ଚିକିତ୍ସାଧିକାରୀ ଡାକ୍ତର ବାଲ୍‍ଗୋପାଳ ବେହେରା ସୂଚନା ଦେଇଛନ୍ତି । ମୁଖ ଗହ୍ୱର କର୍କଟ ରୋଗର ଅନ୍ୟତମ ମୁଖ୍ୟ କାରଣ ଗୁଟ୍‍ଖାକୁ ରାଜ୍ୟରେ ନିଷେଧ କରାଯିବା ନିୟମକୁ ଆସନ୍ତାକାଲି ୧୧ ବର୍ଷ ପୁରିବାକୁ ବସିଥିବା ବେଳେ ଏହାର ବ୍ୟବସାୟ ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୦୧୩ ମସିହା ଜାନୁୟାରୀ ମାସ ୩ ତାରିଖରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବା ସହ ଗୁଟ୍‍ଖାର ଉତ୍ପାଦନ, ବିକ୍ରୀ ଓ ଖାଇବା ଉପରେ କଡା କଟକଣା ଜାରି କରାଯାଇଥିଲା । ସେତେବେଳେ ସାଧାରଣରେ ରାଜ୍ୟ ସରକାରଙ୍କ ଏହି ଐତିହାସିକ ନିଷ୍ପତିକୁ ସ୍ୱାଗତ କରାଯିବା ସହ ବଜାରରେ ଆଉ ଗୁଟ୍‍ଖା ଦେଖିବାକୁ ମିଳିବ ନାହିଁ ବୋଲି ଭାବିଥିଲେ । ତେବେ ସରକାର ଜାରି କରିଥିବା ନିଷେଧାଦେଶ କେବଳ ଦୀର୍ଘ ୧୨ ବର୍ଷ ହେଲା କାଗଜ କଲମରେ ସୀମିତ ରହିଯାଇଥିବା ଆଲୋଚିତ ହେଉଛି । ଦୀର୍ଘ ୧୨ ବର୍ଷ ପରେ ବି ଗାଁଠୁ ସହର ସବୁଠି ବେଧଡକ ଭାବେ ଗୁଟ୍‍ଖା କାରବାର ଚାଲିଛି । ପାଠ ପଢୁଥିବା ପିଲା ବି ଗୁଟ୍‍ଖା ଖାଇବା ନିଶାରେ ପଡିଯାଇଥିବା ଆଲୋଚିତ ହେଉଛି । ଗୁଟ୍‍ଖା ନିଶାରେ ପଡିଥିବା କେତେକ ଯୁବପିଢୀ ଏକାଥରକେ ଦୁଇଟି ଗୁଟ୍‍ଖା ପୁଡିଆ ଖାଉଥିବା ଦେଖିବାକୁ ମିଳୁଛି । ଯେହେତୁ ରାଜ୍ୟ ସରକାର ଗତ ୨୦୧୩ ମସିହା ଜାନୁୟାରୀ ମାସ ୩ ତାରିଖରୁ ବିଜ୍ଞପ୍ତି ଜାରି କରି ଗୁଟ୍‍ଖାକୁ ନିଷେଧ କରିଛନ୍ତି ତେବେ ରାଜ୍ୟ ସରକାର ଟଙ୍କାଟିଏ ବି ଟିକସ ଏ ବାବଦରେ ପାଉନାହାନ୍ତି ବଜାରରେ ବିକ୍ରୀ ହେଉଥିବା ବିଭିନ୍ନ କମ୍ପାନୀର ଗୁଟ୍‍ଖା ବିଶେଷ କରି ରାଜ୍ୟ ବାହାରୁ ଆସୁଥିବା ବେଳେ ସରକାରଙ୍କ କଟକଣା ସତ୍ୱେ ଏହା ରାଜ୍ୟ ଭିତରକୁ ଅବାଧରେ ଆସୁଛି ତାହାର ଉତ୍ତର କାହା ପାଖରେ ନାହିଁ । ତେଣୁ କର୍କଟ ସୃଷ୍ଟିକାରୀ ଗୁଟ୍‍ଖା ବିରୁଦ୍ଧରେ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ କିମ୍ବା ଜାରି କରିଥିବା ନିଷେଧାଦେଶକୁ ପ୍ରତ୍ୟାହାର କରିନିଅନ୍ତୁ ବୋଲି ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ