ଗୁଣ୍ଡୁରିଆରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ପରିବାରକୁ ମାସିକ ସହୀଦ ଭତ୍ତା ପ୍ରଦାନ କରାଯାଉ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର ):ମାସ୍ ଆଦିବାସୀ ରିଭୋଲ୍ଯୁସନାରୀ ୟୁଥ୍ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ୍ (ମାରିସା)ର ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଦାବିପତ୍ର ଦେଇ ହରେକୃଷ୍ଣ ମହୋତାବଙ୍କୁ ନେଇ କୌଣସି କାର୍ଯ୍ୟକ୍ରମ ମୟୂରଭଞ୍ଜରେ ବନ୍ଦ କରିବାକୁ ଅନୁରୋଧ କରିବା ସହ ୧୯୪୯ ମସିହା ଫେବୃଆରୀ ୬ ତାରିଖ ଗୁଣ୍ଡୁରିଆ ସମେତ ଅନ୍ୟ ସ୍ଥାନ ମାନଙ୍କରେ ଓଡିଶା ପୋଲିସ ଗୁଳିରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କୁ ସହୀଦ ଘୋଷଣା କରାଯାଉ ଏବଂ ଉକ୍ତ ପରିବାରକୁ ମାସିକ ସହୀଦ ଭତ୍ତା ପ୍ରଦାନ କରିବାକୁ ଦାବି କରିଛନ୍ତି । ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଓଡିଶା ପ୍ରାନ୍ତରେ ଥିବା ଗଡଜାତ ଗୁଡିକୁ ମିଶ୍ରଣପାଇଁ ଡିସେମ୍ବର ୧୪ ତାରିଖ ୧୯୪୭ ମସିହାରେ ସର୍ଦ୍ଦାର ବଲ୍ଲବଭାଇ ପଟେଲ କଟକ ଆସିଥିଲେ ଓ ଏଠାକାର ସମସ୍ତ ଗଡ଼ଜାତ ରାଜା ମହାରାଜାମାନଙ୍କୁ ଡ଼ାକି ଭାରତରେ ବିଲୟ ହେବାର ପ୍ରସ୍ତାବ ଦେଇଥିଲେ । ଯଦିଓ ମୟୂରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ସେଠାରେ ଉପସ୍ଥିତଥିଲେ , ସେ କହିଥିଲେ ମୋ ରାଜ୍ୟ ମୋ ହାତରେ ନାହିଁ ମୁଁ ମୟୂରଭଞ୍ଜରେ ଲୋକତାନ୍ତ୍ରିକ ବ୍ୟବସ୍ଥା ସୃଷ୍ଟି କରି ପ୍ରଜାଙ୍କ ହାତରେ ଶାସନ ହସ୍ତାନ୍ତର କରିଛି ତେଣୁ ମୁଁ ତାଙ୍କ ମତ ନ ନେଇ କୌଣସି ମତ ଦେବା ଅନୁଚିତ ଓ ମୟୂରଭଞ୍ଜ ସ୍ୱତନ୍ତ୍ର ରହିଲା । ପ୍ରଜାମଣ୍ଡଳ ନେତା ଶରତ ଚନ୍ଦ୍ର ଦାସଙ୍କୁ ୧୦ ଡିସେମ୍ବର ୧୯୪୭ ମସିହାରେ ପ୍ରଧାନମନ୍ତ୍ରୀ ଘୋଷଣା କରି ଭାରତ ସରକାରଙ୍କୁ ଅବଗତ କରିଥିଲେ ଯେଉଁଥିରେ ଖୁସିବ୍ୟକ୍ତ ହୋଇ ଡ. ରାଜେନ୍ଦ୍ର ପ୍ରସାଦ ଏବଂ ପଣ୍ଡିତ ଜବାହାରଲାଲ୍ ନେହେରୁ ଅଭିନନ୍ଦନ ଜଣାଇଥିଲେ । ମୟୂରଭଞ୍ଜ ସରକାରଙ୍କ ସ୍ୱତନ୍ତ୍ର ଅଧିବେଶନରେ ଏ ସମ୍ବନ୍ଧରେ ବିଶଦ ଆଲୋଚନା ହୋଇଥିଲା ଏବଂ ସଭ୍ୟ ଆଦିବାସୀ ନେତା ସୁନାରାମ ସୋରେନଙ୍କ ପ୍ରସ୍ତାବ ଥିଲା ମୟୂରଭଞ୍ଜ ସ୍ୱତନ୍ତ୍ର ହୋଇ ରହୁ । ଏହା କାହା ସହିତ ମିଶିବ ନାହିଁ ଏବଂ ଉକ୍ତ ପ୍ରସ୍ତାବ ଗୃହୀତ ମଧ୍ୟ ହୋଇଥିଲା ଅପରପକ୍ଷେ ଓଡିଶା ବିଧାନ ସଭାରେ ମୟୂରଭଞ୍ଜକୁ ଓଡ଼ିଶା ପ୍ରଦେଶରେ ସାମିଲ କରିବାପାଇଁ ମଧ୍ୟ ପ୍ରସ୍ତାବ ପାରିତ ହୋଇଥିଲା । ଜାତୀୟ କଂଗ୍ରେସର ତୁଙ୍ଗନେତା ହରେକୃଷ୍ଣ ମହୋତାବ କୁଟନୀତି ପ୍ରୟୋଗ କରି ମୟୂରଭଞ୍ଜ ବିଧାନ ପରିଷଦରେ ଥିବା ପ୍ରଜାମଙ୍ଗଳ ସଭ୍ୟ ତଥା ଜମିଦାର ଏବଂ ରାଜ୍ୟ କର୍ମଚାରୀମାନଙ୍କୁ ପ୍ରଭାବିତ କରି ମନ୍ତ୍ରୀ ପରିଷଦରେ ବିଭ୍ରାଟ ସୃଷ୍ଟିକଲେ | ମୟୂରଭଞ୍ଜ ଶାସନକୁ ଏକ ଗଣ୍ଡଗୋଳ ପରିସ୍ଥିତିକୁ ସାମନା କରିବାପାଇଁ ପଡିଲା ଫଳରେ ମହାରାଜା ବାଧ୍ୟହୋଇ ଦିଲ୍ଲୀରେ ସର୍ଦ୍ଦାର ପଟେଲଙ୍କୁ ସାକ୍ଷାତକରି ମୟୂରଭଞ୍ଜକୁ ଭାରତ ଶାସନରେ ଅନ୍ତର୍ଭୁକ୍ତ କରିବାର ପ୍ରସ୍ତାବ ଦେଲେ ଓ ମୟୂରଭଞ୍ଜ ପ୍ରଧାନମନ୍ତ୍ରୀ ଶରତଚନ୍ଦ୍ର ଦାସ ଓ ତାଙ୍କ ମନ୍ତ୍ରୀ ମଣ୍ଡଳକୁ ଦିଲ୍ଲୀ ଡକାଇ ୧୬ ଅକ୍ଟୋବର ୧୯୪୮ ମସିହାରେ ଏକ ଚୁକ୍ତିପତ୍ରରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ, ମୟୂରଭଞ୍ଜ ମହାରାଜା ଓ ମୟୂରଭଞ୍ଜ ପ୍ରଧାନମନ୍ତ୍ରୀଙ୍କ ସ୍ଵାକ୍ଷର କ୍ରମେ ମୟୂରଭଞ୍ଜ ଭାରତ ସହ ମିଶ୍ରଣ ହେଲା । ଡ଼ି.ଭି. ରିଗେ ନାମକ ଜଣେ ଆଇସିଏସ୍ ଅଫିସରଙ୍କୁ କମିଶନର ଭାବେ ନିଯୁକ୍ତ କରିଥିଲେ । ସେ ହରେକୃଷ୍ଣ ମହୋତାବଙ୍କ ଦ୍ୱାରା ପ୍ରଭାବିତ ହୋଇ ମୟୂରଭଞ୍ଜ ଗଡଜାତ ଓଡ଼ିଶା ରାଜ୍ୟ ସହିତ ମିଶ୍ରଣର ଏକ ରିପୋର୍ଟ ଦେଲେ । ଏହା ଜଣା ପଡିବାପରେ ଆଦିବାସୀ ନେତା ସୁନାରାମ ସୋରେନ ପ୍ରବଳ ବିରୋଧ କରିଥିଲେ । ବିଭିନ୍ନ ସ୍ଥାନରେ ସଭାସମିତି କରି ଦାବୀ କରିଥିଲେ ମୟୂରଭଞ୍ଜ ସ୍ୱତନ୍ତ୍ର ରହୁ ଏବଂ ଯଦି ଅନ୍ୟ ରାଜ୍ୟ ସହିତ ମିଶିବାର ପ୍ରଶ୍ନଉଠେ ତେବେ ଏହା ବିହାର ସହ ମିଶୁ ଯେଉଁଥିରେ ହଜାର ହଜାର ଆଦିବାସୀ ସମର୍ଥନ କରିଥିଲେ । ଆନ୍ଦୋଳନକୁ ଦମନ କରିବାପାଇଁ ସୁନାରାମ ସୋରେନଙ୍କ ସହିତ କିଛି ନେତାଙ୍କୁ ଗିରଫ କରି ଜେଲ ପଠାଇଥିଲେ ଏବଂ ଯେତେବେଳେ ୧ ଜାନୁଆର ୧୯୪୯ ମସିହାରେ ମୟୂରଭଞ୍ଜ ଓଡିଶା ସହିତ ମିଶ୍ରଣ ହେଲା । ସେତେବେଳେ ଆନ୍ଦୋଳନ ପ୍ରବଳ ରୂପ ଧାରଣ କଲା ଏବଂ ଏହାକୁ ଦମନ କରିବା ପାଇଁ ନିରସ୍ତ୍ର ଆନ୍ଦୋଳନକାରୀମାନଙ୍କ ଏକ ସଭାକୁ ହରେକୃଷ୍ଣ ମହତାବଙ୍କ ସରକାରଙ୍କ ନିର୍ଦ୍ଦେଶରେ ଅତର୍କିତ ଆକ୍ରମଣ କରି ଗୁଳିଚାଳନା କରି ହଜାର ହଜାର ନିରସ୍ତ୍ର ଆଦିବାସୀଙ୍କୁ ହତ୍ୟା କରିଥିଲେ ଓ ବନ୍ଧୁକ ମୁନରେ ମୟୂରଭଞ୍ଜକୁ ଓଡ଼ିଶାରେ ମିଶାଇ ନେଲେ କିନ୍ତୁ ଏତେ ବଡ ଏକ ଘଟଣାର ଏ ପର୍ଯ୍ୟନ୍ତ ତଦନ୍ତ ହୋଇ ନାହିଁ ଆନ୍ଦୋଳନ ଇତିହାସକୁ ଲିଭାଇ ଦେବାର ଚକ୍ରାନ୍ତ ଚାଲିଛି । କେବଳ ସେ ମୟୂରଭଞ୍ଜ ଆଦିବାସୀଙ୍କୁ ହରେକୃଷ୍ଣ ମହୋତାବ ହତ୍ୟା କରିଛନ୍ତି ତାହା ନୁହେଁ ଏହା ପୂର୍ବରୁ ଷୋଢେଇକଳା ଓ ଖରସୁଆଁରେ ମଧ୍ୟ ହଜାର ହଜାର ସଂଖ୍ୟାର ଆଦିବାସୀମାନଙ୍କୁ ହତ୍ୟା କରିଛନ୍ତି । ଏଭଳି ଜଣେ ହତ୍ୟାକାରୀଙ୍କୁ ଆମେ ଆମ ମାଟିରେ ଜଣେ ମହାନ ବ୍ୟକ୍ତିିବୋଲି ଗ୍ରହଣୀୟ ନୁହେଁ | ଏଥିପାଇଁ ଓଡିଶାର ଅନ୍ୟ ଜିଲ୍ଲା ପାଇଁ ସେ ଜଣେ ମହାନ ହୋଇ ପାରନ୍ତି କିନ୍ତୁ ମହୂରଭଞ୍ଜରେ ନୁହେଁ | ଏଣୁ ଓଡ଼ିଶା ସରକାର ବର୍ତ୍ତମାନ ମହୋତାଙ୍କୁ ଏକ ମହାନ ନେତା ଭାବେ ଚିତ୍ରଣ କରିବାର ପ୍ରୟାସ ଦିଲ୍ଲୀ ବିଜ୍ଞାନ ଭବନରେ ଆରମ୍ଭ କରିଛନ୍ତି ଏବଂ ଏକବର୍ଷଧରି ଓଡିଶାର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାର ନିଷ୍ପତ୍ତି ନେଇଛନ୍ତି । ଏଥିରୁ ମୟୂରଭଞ୍ଜକୁ ବାଦ ଦେବାକୁ ଅନୁରୋଧ । ହରେକୃଷ୍ଣ ମହତାବଙ୍କୁ ନେଇ କୌଣସି କାର୍ଯ୍ୟକ୍ରମ ମୟୂରଭଞ୍ଜରେ ବନ୍ଦ କରାଯାଉ । ୧୯୪୮ ମସିହା ଫେବୃଆରୀ ୬ ତାରିଖ ଗୁଣ୍ଡୁରିଆ ସମେତ ଅନ୍ୟ ସ୍ଥାନ ମାନଙ୍କରେ ଓଡିଶା ପୋଲିସ ଗୁଳିରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କୁ ସହୀଦ ଘୋଷଣା କରାଯାଉ ଏବଂ ଉକ୍ତ ପରିବାରକୁ ମାସିକ ସହୀଦ ଭତ୍ତା ପ୍ରଦାନ କରାଯାଉ ବୋଲି ମାରିସା ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁ ଦାବି ଜଣାଇଛନ୍ତି ।