ଗୁରୁଦିବସ ଅବସରରେ ସରସ୍ୱତୀ ବିଦ୍ୟାଭବନରେ ରକ୍ତଦାନ ଶିବିର
ଭୁବନେଶ୍ୱର,(ତାରିଣୀ ପ୍ରସାଦ ପଣ୍ଡା) : ପବିତ୍ର ଗୁରୁ ଦିବସ ଅବସରରେ ଭୁବନେଶ୍ୱରସ୍ଥ ବୁଦେ୍ଧଶ୍ୱରୀ ପୁରୁଣା ପୋଷ୍ଟ ଅଫିସ୍ ଲେନ୍ରେ ଅବସ୍ଥିତ ସରସ୍ୱତୀ ବିଦ୍ୟାଭବନ ପରିସରରେ ଗୁରୁବାର ତ୍ରୟୋଦଶତମ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣାନଙ୍କ ପବିତ୍ର ଜନ୍ମଦିବସ ଅବସରରେ ପାଳିତ ଗୁରୁଦିବସରେ ବିଦ୍ୟାଳୟ ପରିସରରେ ପିଲାମାନଙ୍କ ଦ୍ୱାରା ଗୁରୂ ପୂଜନ କାର୍ଯ୍ୟକ୍ରମ ମହା ଆନନ୍ଦର ସହିତ ପାଳିତ ହୋଇଯାଇଛି । ଏହା ପରେ ପବିତ୍ର ଦିବସକୁ ସ୍ମରଣୀୟ କରିବା ପାଇଁ ଏବଂ ମହାନ୍ ଗୁରୁମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ତାର ତ୍ରୟୋଦଶତମ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଭବନର ପୁରାତନ ଛାତ୍ରଛାତ୍ରୀ ଗୁରୁଜୀ ଗରୁମା ଏବଂ ଅଭିଭାବକମାନେ ଉପସ୍ଥିତ ରହି ରକ୍ତଦାନ କରିବା ସହ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରକୁ ରେଡ଼କ୍ରସ ରକ୍ତଦାନ ଯୋଗାଯୋଗ କେନ୍ଦ୍ରର ପୂର୍ବତନ ସଂଯୋଜକ ତଥା ଭାରତ ବିକାଶ ପରିଷଦ, ବାଣୀବିହାର ଶାଖାର ଆବାହକ ସମାଜସେବୀ ମନୋରଞ୍ଜନ ମହାନ୍ତି ଫିତାକାଟି ଉଦ୍ଘାଟନ କରିବା ସହ ସମବେତ ରକ୍ତଦାତା, ଅଭିଭାବକ ଏବଂ ଗୁରୁଜୀ ଗୁରୁମା’ମାନଙ୍କୁ ରକ୍ତଦାନର ମହତ୍ତ୍ୱ ଏବଂ ଆବଶ୍ୟକତା ଉପରେ ଆଲୋକପାତ କରି ସରସ୍ୱତୀ ବିଦ୍ୟାଭବନ ଗୁରୁ ଦିବସ ପରି ପବିତ୍ର ଦିବସରେ ଏତାଦୃଶ ମହତ୍ କାର୍ଯ୍ୟ କ୍ରମାନ୍ୱୟ ଭାବେ ୧୩ ବର୍ଷ ଧରି କରି ଆସୁଥିବାରୁ ସେମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଉପଦେଷ୍ଟା ପ୍ରଭାକର ଲେଙ୍କା ଏବଂ କଟକ ରୋଡ଼ଚାମ୍ବର ଅଫ୍ କମର୍ସର ସଭାପତି ରବୀନ୍ଦ୍ର କୁମାର ସ୍ୱାଇଁ ଯୋଗଦେଇ ରକ୍ତଦାତାମାନଙ୍କୁ ପ୍ରମାଣ ପତ୍ର ଓ ପରିଚୟ ପତ୍ର ପ୍ରଦାନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରେମାକାନ୍ତ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଭବନର ଗୁରୁଜୀ ରଶ୍ମୀରଞ୍ଜନ ସାହୁ, ବିଶ୍ୱନାଥ ସାହୁ, ଗୁରୁମା ମଧୁଛନ୍ଦା ସାମନ୍ତସିଂହାର, ରୋଜାଲିନ୍ ଲେଙ୍କା, ରୀନା ପାଣିଗ୍ରାହୀ, ସରସ୍ୱତୀ ବେହେରା, ସୌଦାମିନୀ ଶାନ୍ତି, ସ୍ୱର୍ଣ୍ଣଲତା ସାହୁ ଏବଂ ବହୁ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିଛି । ମୁନିସପାଲିଟି ରକ୍ତ ଭଣ୍ଡାରର କର୍ମଚାରୀମାନଙ୍କ ସହାୟତାରେ ପ୍ରାୟ ୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ଏବଂ ପରେ ପରେ କେଶବ ଏବଂ ଦିଲ୍ଲୀପ କୁମାରଙ୍କ ଦଳ ଭଜନ ପରିବେଷଣ କରିଥିଲେ । ସିର୍ବଶେଷରେ ସମସ୍ତଙ୍କୁ ଭୋଜନରେ ଆପ୍ୟାୟିତ କରାଯାଇଥିଲା ।