ଗୋଚରରେ ଶ୍ମଶାନ ଗୃହ ନିର୍ମାଣକୁ ନେଇ ବିଡିଓଙ୍କୁ ଗ୍ରାମାବାସୀଙ୍କ ଲିଖିତ ଅଭିଯୋଗ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ଶିଖର ପଂଚାୟତ ଅନ୍ତର୍ଗତ ବାୟାଁପଡା (ବରଦା) ଗ୍ରାମରେ ଗୋଚର ଜମିରେ ବେଆଇନ ଭାବେ ଶ୍ମଶାନ ଗୃହ ନିର୍ମାଣ କରାଯାଉଛି । ଯାହାକୁ ନେଇ ଗ୍ରାମବାସୀ ବିରୋଧ କରିବା ସହ ବିଡିଓ ତପନ କୁମାର ମହାପାତ୍ରଙ୍କୁ ସୋମବାର ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଗ୍ରାମର ଖାତା ନମ୍ବର-୭୯ (ପ୍ଳଟ ନମ୍ବର-୫୨୩ ଓ ୫୩୪)ରେ ଗୋଚର ଜମି ରହିଛି । ଏହି ସ୍ଥାନ ଦେଇ ଗ୍ରାମବାସୀମାନେ ଯାତାୟାତ କରୁଥିବା ବେଳେ ଗାଁର ପିଲାମନେ ଖେଳକୁଦ କରିଥାନ୍ତି । ଏପରିକି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗ୍ରାମର ଗୃହପାଳିତ ପଶୁ ଏହି ଗୋଚର ଜମିରେ ଆଶ୍ରୟ ନେଇଥାନ୍ତି । ଏହି ସ୍ଥାନରେ ଉକ୍ତ ପଂଚାୟତ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ କିଛି ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ଧରି ଆମ ଓଡିଶା ନବୀନ ଓଡିଶା ଯୋଜନାରେ ୪ଲକ୍ଷ ଟଙ୍କା ବ୍ୟୟ କରି ଏକ ଶ୍ମଶାନ ଗୃହ ନିର୍ମାଣ କରିବାକୁ ଯାଉଛନ୍ତି । ଯେଉଁ ଶ୍ମଶାନ ଗୃହ କି ଗ୍ରାମବାସୀଙ୍କର କୌଣସି କାର୍ଯ୍ୟରେ ଆସିବ ନାହିଁ । ଯାହା ବିଷୟରେ ପୂର୍ବରୁ ମଧ୍ୟ ଅବଗତ କରାଯାଇଥିଲା । ଗ୍ରାମବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ନିର୍ମାଣ କରାଯାଉଥିବା କାର୍ଯ୍ୟକୁ ବନ୍ଦ କରାଯାଇ ସରକାରୀ ଗୋଚର ଜମିର ସୁରକ୍ଷା ପ୍ରଦାନ କରିବାକୁ ଅଭିଯୋଗରେ ଦର୍ଶାଯାଇଛି । ଉକ୍ତ ଅଭିଯୋଗକୁ ଗ୍ରାମର ୱାର୍ଡ ସଭ୍ୟା ଲିପିନା ସାହୁ, ରତ୍ନାକର ତରାଇ, ସନ୍ତୋଷ ସାହୁ ଆଦି ବିଡିଓ ମହାପାତ୍ରଙ୍କୁ ପ୍ରଦାନ କରିବା ସହ ଏହାର ଏକକିତା ନକଲ ଜିଲ୍ଲାପାଳ ଜଗତସିଂହପୁର ଓ ତହସିଲଦାର ଅକ୍ଷୟ ବଡୁଙ୍କୁ ପ୍ରଦାନ କରିଛନ୍ତି । ଏବିଷୟରେ ବିଡିଓ ମହାପାତ୍ରଙ୍କ ମତାମତ ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ । ପଂଚାୟତର ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବିଭୁତି ଶତପଥିଙ୍କୁ ପଚାରିବାରେ ଶଶ୍ମାନ ଗୃହଟି ତହସିଲଦାରଙ୍କ କାର୍ଯ୍ୟାଳୟରୁ ଚିହ୍ନଟ ହୋଇଥିବା ପ୍ଲଟରେ କରାଯାଇଛି । ଯେଉଁ କାର୍ଯ୍ୟରେ ବର୍ତମାନ ଛାତ ପଡୁଥିବା କହିଥିଲେ ।