ଗୋଚର ଜମିରେ ପକ୍କାଘର ନର୍ମାଣ ପ୍ରସଙ୍ଗ, ଆର.ଆର.ଆଇଙ୍କ ନିର୍ଦ୍ଦେଶକୁ ବେଖାତିର କରି ଆଗେଇ ଚାଲିଛି ନିର୍ମାଣ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତର ସୋଲପଟା ଗ୍ରାମରେ ଗୋଚର ଜମି ଉପରେ ବେଆଇନ ଭାବେ ଘର ନିର୍ମାଣ କରୁଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିବାପରେ ହାଟଡିହି ତହସିଲଦାରଙ୍କ ନିର୍ଦ୍ଦେଶରେ ଡଅଁର ରାଜସ୍ୱ ନିରୀକ୍ଷକ ଅଭିଯୋଗର ତଦନ୍ତ କରି ଘର ନିର୍ମାଣ କରୁଥିବା ବ୍ୟକ୍ତିଙ୍କୁ ଘର କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ରାଜସ୍ୱ ନିରୀକ୍ଷକ ପଳାଇବା ପରେ ପୁନର୍ବାର ନିର୍ମାଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗୋଚର ଜମିରେ କୌଣସି ନିର୍ମାଣ କାର୍ଯ୍ୟ କରାଯିବାକୁ ନିୟମ ନଥିବାବେଳେ ସୋଲପଟା ମୌଜାରେ ଜଣେ ବ୍ୟକ୍ତି ଗୋଚର ଜମି ଉପରେ ଏକ ବିରାଟ ପକ୍କାଘର ନିର୍ମାଣ କରୁଛନ୍ତି । ଉକ୍ତ ବ୍ୟକ୍ତିଙ୍କର ଗାଁରେ ୫ଏକରରୁ ଉର୍ଦ୍ଧ ନିଜସ୍ୱ ଜମିଜମା ଥିଲେବି ଡଅଁର ରାଜସ୍ୱ ସର୍କଲ ଅଧିନସ୍ଥ ସୋଲପଟା ମୌଜାର ଖାତାନଂ-୧୩୪ ପ୍ଲଟ-ନଂ ୬୨୪ କିସମ ଗୋଚର ଥିବାବେଳେ ତାହା ଉପରେ ଏହି ବ୍ୟକ୍ତି ଜଣକ ଏକ ବିରାଟ ଆୟତନର ଘର ନିର୍ମାଣ କରୁଛନ୍ତି । ଯାହାକି ସମ୍ପୁର୍ଣ୍ଣ ବେନିୟମ ଅଟେ । ଏହାଦ୍ୱାରା ଗ୍ରାମର ଗୋଚର ଜମି ସଙ୍କୁଚିତ ହେବାସହ ଗୋରୁଗାଈ ମାନେ ଚରିବାପାଇଁ ନାନା ଅସୁବିଧା ଭୋଗ କରିବେ । ଏଣୁ ତୁରନ୍ତ ଏଠାରୁ ଏହି କୋଠାଘର ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି । ଅଭିଯୋଗ ପାଇବାପରେ ତହସିଲଦାରଙ୍କ ନିର୍ଦ୍ଦେଶରେ ଗତ ଶୁକ୍ରବାର ଦିନ ଡଅଁର ରାଜସ୍ୱ ନିରୀକ୍ଷକ ସନ୍ଦିପ କୁମାର ପରିଡା ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ଏହି ବ୍ୟକ୍ତି ଜଣକ ଗୋଚର ଜମି ଉପରେ ଘର ହେଉଥିବା ଦେଖି ସେ ଘର ନିର୍ମାଣ ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଗୃହକର୍ତ୍ତା ଅନ୍ୟମାନେ ସରକାରୀ ଜମି ଉପରେ ଘର କରିଛନ୍ତି ତେଣୁ ମୁଁ କାହିଁକି ବନ୍ଦ କରିବି ବୋଲି କହିଥିଲେ । କିନ୍ତୁ ପରବର୍ତ୍ତି ସମୟରେ ରାଜସ୍ୱ ନିରୀକ୍ଷକ ବହୁ ସୁଝା କରିବାପରେ ବ୍ୟକ୍ତି ଜଣକ କାମ ବନ୍ଦ କରିଥିବା ରାଜସ୍ୱନିରୀକ୍ଷକ ସୁଚନା ଦେଇଥିଲେ । କିନ୍ତୁ ରାଜସ୍ୱ ନିରୀକ୍ଷକ ପଳାଇବାପରେ ପୁନର୍ବାର କାମ ଆରମ୍ଭ କରି କାନ୍ଥ ଉଠାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଅତିରିକ୍ତ ତହସିଲଦାରଙ୍କୁ ପଚାରିବାରେ ସେ ଏ ବାବଦରେ ଅବଗତ ଅଛନ୍ତି, ସୋମବାର ଦିନ ତହସିଲଦାରଙ୍କ ନିକଟରେ ଫାଇଲ ଦାଖଲ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ