ଗୋଚର ଜମିରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ପଞ୍ଚାୟତବାସୀଙ୍କ ବିରୋଧ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ଗ୍ରାମପଞ୍ଚାୟତରେ ଗୋଚର ଏବଂ ଜଙ୍ଗଲ କିଷମ ଜମିରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ପଞ୍ଚାୟତବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ହଠାତ କେତେକ ଉଚ୍ଚ ସରକାରୀ ପଦାଧିକାରୀ ମଧୁଶାସନ ଗ୍ରାମରେ ପହଞ୍ଚି ସେଠାରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିବା ନିମନ୍ତେ ଏକ ଗୋଚର ଏବଂ ଜଙ୍ଗଲ କିଷମ ଜମିକୁ ସ୍ଥିର କରିଛନ୍ତି । ପୂର୍ବରୁ ମଧୁଶାସନ ରାଜସ୍ୱ ଗ୍ରାମର ଖାତା ନମ୍ବର -୧୪୧୫ ଓ ପ୍ଲଟ ନମ୍ବର -୪୪୦୪ ଉପରେ ପଞ୍ଚାୟତ ଏବଂ ବ୍ଲକ ପ୍ରଶାସନ ଖେଳପଡିଆ ନିର୍ମାଣ କରିଥିବା ବେଳେ ସେହି ଘଟଣାକୁ ନେଇ ଓଡିଶା ଲୋକାୟୁକ୍ତଙ୍କ କୋର୍ଟରେ ମାମଲା ବିଚାରାଧୀନ ରହିଛି । ଏବେ ସେହି ଜମି ଉପରେ ମେଗା ପାନୀୟ ଜଳ ପ୍ରକଳ୍ପ କରାଯିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରକଳ୍ପ ପାଇଁ ସ୍ଥାନ ନିରୂପଣ ପୂର୍ବରୁ ସେ ସମ୍ପର୍କରେ ସ୍ଥାନୀୟ ଜନସାଧାରଣଙ୍କ ମତାମତ ନିଆଯାଇନଥିବା ଅଭିଯୋଗ ହୋଇଛି । ସେହି ଗୋଚର ଜମି ଉପରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଗଲେ ଗ୍ରାମବାସୀମାନଙ୍କ ଗୋରୁଗାଇମାନଙ୍କ ପାଇଁ ଚାରଣ ଭୂମିର ଅଭାବ ଦେଖାଦେବା ସହ ଯୁବକମାନେ ଖେଳପଡିଆର ବ୍ୟବହାରରୁ ବଞ୍ଚିତ ହେବେ । ଏହାସହ ସେହି ଅଞ୍ଚଳର ପରିବେଶ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏଣୁ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ସଂପୃକ୍ତ ପ୍ରକଳ୍ପକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ସେକ ନୈାସାଦ ମହମ୍ମଦ, ତସନିମ ଜାନା, ପିଂଟୁ ସାମଲ, ରୁନୁ ସାମଲ, ଅମିତ ଦାସ, କବି ଜେନା, ରବି ସାମଲ, ପଙ୍କଜ ସାମଲ, ହୃଦାନନ୍ଦ ସାମଲ, ପ୍ରତିମା ଜେନା, ପୁଷ୍ପା ସାମଲ, ବିଜୟ ଜେନା ପ୍ରମୁଖ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଏଥିସହିତ ଏହି ଅଭିଯୋଗର ନକଲ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଶାସନ ସଚିବଙ୍କୁ ପ୍ରଦାନ କରାଯାଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ