ଗୋଟିଏ ମଞ୍ଚରୁ ସବୁ ପ୍ରାର୍ଥୀଙ୍କ ଆବେଦନ: ପ୍ରାର୍ଥୀ ଜନତା ସାମ୍ନାସାମ୍ନି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ୮ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ବଗଡା ଗ୍ରାମପଞ୍ଚାୟତରେ ଏକ ଖୋଲାମଞ୍ଚ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଚେତନା ସମାଜ” ଆନୁକୂଲ୍ୟରେ ଅନୁଷ୍ଠିତ ଏହି ନିର୍ବାଚନୀ ଖୋଲାମଞ୍ଚ ସଭାରେ ନିର୍ବାଚନୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଥିବା ବଗଡା ଗ୍ରାମପଞ୍ଚାୟତର ସମସ୍ତ ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ୮ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଗୋଟିଏ ମଞ୍ଚରେ ଉପସ୍ଥିତ ହୋଇ ନିଜ ନିଜର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଏଥିସହିତ ରାଜନୈତିକ ଦଳ ଗୁଡିକରୁ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସେମାନଙ୍କ ରାଜନୈତିକ ଦଳର ଆଭିମୁଖ୍ୟ ପ୍ରଦାନ କରିବା ସହ ସମସ୍ତ ପଦ ପାଇଁ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀମାନେ ଆୟୋଜକମାନଙ୍କ ଦ୍ୱାରା କରାଯାଇଥିବା ସେମାନଙ୍କ ପୂର୍ବ ସାମାଜିକ/ରାଜନୈତିକ କାର୍ଯ୍ୟକଳାପ, ଭବିଷ୍ୟତ କାର୍ଯ୍ୟ ଯୋଜନା ଏବଂ ନିର୍ବାଚନକୁ ସୁସ୍ଥ ଓ ମିତବ୍ୟୟୀ କରିବା ପାଇଁ ସେମାନଙ୍କ ପ୍ରୟାସ ସମ୍ପର୍କିତ ୫ଟି ଲେଖାଁଏ ପ୍ରଶ୍ନ ଉପରେ ବକ୍ତବ୍ୟ ରଖିଥିଲେ । ସୈାହାଦ୍ର୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ପାଇଁ ଭାରତୀୟ ଜାତୀୟ କଂଗ୍ରେସର ଅନନ୍ତ କୁମାର ସ୍ୱାଇଁ, ଭାରତୀୟ ଜନତା ପାର୍ଟିର ଲଲାଟ କେଶରୀ ସାମଲ, ବିଜୁ ଜନତା ଦଳର ରଶ୍ମିରଞ୍ଜନ ରାଉତଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢୁଥିବା ସାଗରିକା ଦାସ, ସନ୍ତୋଷ କୁମାର ବେହେରା, ମନୋଜ କୁମାର ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସେହିପରି ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦୀତା କରୁଥିବା ସୁବନୀ ସାହୁ, ଦେବ ପ୍ରସାଦ ପାଣି,ଶ୍ରୀଚରଣ ସାମଲ ଓ ସମିତିସଭ୍ୟ ପାଇଁ ପ୍ରତିଦ୍ୱନ୍ଦୀ ଥିବା ସୈାଦାମିନୀ ଦାସ ଓ କଳ୍ପନା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ଚେତନା ସମାଜର ସମ୍ପାଦକ ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ ଆଚରଣ ନିର୍ଦେଶିକା ପ୍ରଦାନ କରିଥିବା ବେଳେ ସମାଜସେବୀ ଆଦିକନ୍ଦ ରାଉଳ ପ୍ରାର୍ଥୀମାନଙ୍କ ପାଇଁ ପ୍ରଶ୍ନ ଗୁଡିକ ରଖିଥିଲେ । ପ୍ରତାପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ରବୀନ୍ଦ୍ର ପ୍ରସାଦ ଜେନା ପ୍ରାରମ୍ଭୀକ ସୂଚନା ପ୍ରଦାନ କରିଥିଲେ ।


