ଗୋପୀନାଥପୁରରେ ହେବ ବିଶାଳ ଜନସମାବେଶ
ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ୩୦ ତାରିଖରେ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ୧୦୦ତମ ମନ କି ବାତ୍ କାର୍ଯ୍ୟକ୍ରମ ପାଇଁ ବାଲେଶ୍ୱରରେ ବିଜେପି ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଜିଲାରେ ହଜାରେରୁ ଅଧିକ ଓ ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ୮୭୫ଟି କେନ୍ଦ୍ରରେ କାର୍ଯ୍ୟକମର ସିଧା ପ୍ରସାରଣ ହେବ ବୋଲି ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ୧୧ଟି ବିଦେଶୀ ଭାଷା ସମେତ ୫୨ଟି ଭାରତୀୟ ଭାଷାରେ ଏହି ର୍କ୍ୟାକ୍ରମର ପ୍ରସାରଣ ହେଉଛି । ମନ୍ କି ବାତ୍ ଦିନକୁ ଦିନ ଅଧିକରୁ ଅଧିକ ଲୋକାଦୃତ ହୋଇ ଚାଲିଥିବା ବେଳେ ଜନସାଧାରଣଙ୍କ ଉପରେ ଏହାର ଏହାର ସକାରାତ୍ମକ ପ୍ରଭାବ ପରିଲକ୍ଷିତ ହୋଇଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସୁଦୂରପ୍ରସାରୀ ଏହି କାର୍ଯ୍ୟକ୍ରମ ବ୍ୟକ୍ତିତ୍ୱ ବିକାଶ ସହିତ ଦେଶପ୍ରତି ନିଜର ଦାୟିତ୍ୱ ସମ୍ପର୍କରେ ଜନସାଧାରଣ ସଚେତନ ହେଉଛନ୍ତି । ପ୍ରତ୍ୟେକ ଏପିସୋଡ଼ରେ ଶ୍ରୋତା ଓ ଦର୍ଶକଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ିଚାଲିଥିବା ବେଳେ ଏହା ଏକ ଜନଆନ୍ଦୋଳନର ରୂପ ନେଇପାରିଛି ବୋଲି ସାଂସଦ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମର ପ୍ରଭାବରେ ସାଧାରଣ ଲୋକଙ୍କ ଜନଜୀବନକୁ ଶୃଙ୍ଖଳିତ କରିବା, ମୃତ୍ତିକା ସଂରକ୍ଷଣ, ଜଳ ସଂରକ୍ଷଣ, ପରିବେଶ ସନ୍ତୁଳନ ରକ୍ଷା, ସ୍ୱଚ୍ଛତା, ଜୈବ ବିବିଧତା ଆଦି କ୍ଷେତ୍ରରେ ଉନ୍ନତି ଘଟିଚାଲିଛି । ସମ୍ପ୍ରତି ଦେଶର ୯୫ପ୍ରତିଶତ ଖେଳନା ଘୋରେଇ ଶିଳ୍ପ ମାଧ୍ୟମରେ ପ୍ରସ୍ତୁତ ହୋଇଚାଲିଛି । ୬୦ ପ୍ରତିଶତ ଲୋକେ ରାଷ୍ଟ୍ରନିର୍ମାଣ ପାଇଁ କାର୍ଯ୍ୟ କରିବାକୁ ଆଗ୍ରହୀ ହୋଇଛନ୍ତି । ୪୫ ପ୍ରତିଶତ ଲୋକେ ଦାୟିତ୍ୱବାଦ ନାଗରିକ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ୩୦ତମ ମନ୍ କି ବାତ୍ କାର୍ଯ୍ୟକ୍ରମର ଆୟୋଜନ ଅବସରରେ ନୀଳଗିରିର ଗୋପିନାଥପୁର ଠାରେ ଏକ ବିଶାଳ ସମାବେଶ ସହିତ ପ୍ରଧାନମନ୍ତ୍ରୀଙ୍କ ସହିତ ଉକ୍ତ ସମାବେଶର ସଂଯୋଗୀକରଣ କରାଯିବ ବୋଲି ବାଲେଶ୍ୱର ସାଂସଦ ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ଅଧିକ ସଂଖ୍ୟାରେ ଯୋଗଦେଇ ଏହାକୁ ସଫଳ କରିବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି । ବିଜେପି ଜଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତ୍ତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ସଦସ୍ୟା ଶୋଭନା ମହାନ୍ତି, ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲା ସମ୍ପାଦକ ବିଜୟ ସାହୁ, ମହୁଆ ପ୍ରଧାନ, ସସ୍ମିତା ଚାନ୍ଦ, ରଞ୍ଜିତ ପୁଷ୍ଟି ଓ ଅରୂପ ଜେନା ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।