ଗୋବରୀ ନଦୀରେ ଥିବା କୁରିକି ପୋଲର ରକ୍ଷଣାବେକ୍ଷଣ ଦାୟିତ୍ୱ କାହା ହାତରେ ?
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ପଂଚାୟତର କୁରିକି ଗ୍ରାମ ଦେଇ ପ୍ରବାହିତ ଗୋବରୀ ନଦୀରେ ନିର୍ମିତ କରାଯାଇଛି ଏକ ପୋଲ । ଏହି ପୋଲ କୁରିକି ଗ୍ରାମକୁ ସଂଯୋଗ କରୁଥିବା ବେଳେ ଉକ୍ତ ଗ୍ରାମର ଜନସାଧାରଣ ଏହି ପୋଲ ଦେଇ ଯାତାୟାତ କରିଥାନ୍ତି । ଉକ୍ତ ପୋଲ ନିର୍ମାଣ ହେବା ପୂର୍ବରୁ ଲୋକମାନେ ନଦୀ ପାର ହେବା ପାଇଁ କାଠ ପୋଲ ନିର୍ମାଣ କରି ଯିବା ଆସିବା କରୁଥିଲେ । ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତତ୍କାଳିନ ସରପଂଚ ପ୍ରଫୁଲ୍ଲ କୁମାର ଲେଙ୍କାଙ୍କ ପ୍ରଚେଷ୍ଠାରେ ଏଠାରେ ଏକ କଂକ୍ରିଟ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଉକ୍ତ ପୋଲଟି ୧୯୯୨-୯୩ ଆର୍ôଥକ ବର୍ଷରେ ଆରମ୍ଭ ହୋଇଥିଲେ ମଧ୍ୟ ୨୦୦୧ ମସିହାରେ କାର୍ଯ୍ୟ ଶେଷ ହୋଇଥିଲା । ଉକ୍ତ ପୋଲର ନିର୍ମାଣ କାର୍ଯ୍ୟ ପୂର୍ତ ବିଭାଗ ଦ୍ୱାରା କରାଯାଇଥିଲା । ଦୀର୍ଘ ୨୦ ବର୍ଷ ହେବ ଉକ୍ତ ପୋଲ ନିର୍ମାଣ ହୋଇଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ କରାଯାଉ ନଥିବାରୁ ପୋଲଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । କେଉଁଠି ପୋଲରୁ ରଡ ବାହାରି ଗଲାଣି ତ କେଉଁଠି ଗୋଡି ଉଠିଯାଇଛି । ଆଉ କେଉଁଠି ପୋଲରେ ଥିବା ସୁରକ୍ଷା ବାଡା ମଧ୍ୟ ଭାଙ୍ଗି ଗଲାଣି । ଉକ୍ତ ପୋଲଟି ବର୍ତମାନ କାହା ଅଧୀନରେ ରହିଛି ତାହା ଜଣାପଡୁନାହିଁ । ଏହି ପୋଲ ଦ୍ୱାରା ଛୋଟ ପିଲାମାନେ ବିଦ୍ୟାଳୟକୁ ଯିବା ଆସିବା ଠାରୁ ଆରମ୍ଭ କରି ଗ୍ରାମର ପ୍ରତ୍ୟେହ ଯାତାୟାତ କାର୍ଯ୍ୟ ଏହି ପୋଲ ମାଧ୍ୟମରେ ହିଁ ହୋଇଥାଏ । ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ପୋଲ ଉପରେ ଯାନବାହାନ, ଛୋଟ ପିଲା ଯିବା ଆସିବା କରିବାକୁ ଭୟ ଲାଗୁଥିବା ସ୍ଥାନୀୟ ବାସିନ୍ଦା ମତ ପ୍ରକାଶ କରିଛନ୍ତି । ତେଣୁ ଗ୍ରାମର ଯାତାୟାତର ଗୁରୁତ୍ୱ ଦୃଷ୍ଟିରୁ ଉକ୍ତ ପୋଲକୁ ମରାମତି କରିବା ପାଇଁ ଇଶାନେଶ୍ୱର କ୍ଳବର ସଦସ୍ୟ ପବିତ୍ର ପଣ୍ଡା, ବିକାଶ ସ୍ୱାଇଁ, ନବଘନ ମଲିକ, ପ୍ରବୀର ସେଠୀ, ଅକ୍ଷୟ ସ୍ୱାଇଁଙ୍କ ସମେତ ସ୍ଥାନୀୟ ବାସିନ୍ଦା ପ୍ରଶସାନ ନିକଟରେ ଦାବି କରିଛନ୍ତି । ଏ ବିଷୟରେ ପୂର୍ତ ବିଭାଗର ଯନ୍ତ୍ରୀ ରମେଶ ମିଶ୍ରଙ୍କୁ ପଚାରିବାରୁ ଉକ୍ତ ପୋଲ ବିଷୟରେ ସେ ଅବଗତ ନଥିବା କହିଛନ୍ତି । ସେହିପରି ପଂଚାୟତର ସରପଂଚ ନିରୁପମା ଦାସଙ୍କୁ ପଚାରିବାରୁ ପୋଲ କାର୍ଯ୍ୟ ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ।