ଗୋଷ୍ଠୀ ସଂକ୍ରମଣ ହୋଇନି: ହର୍ଷବର୍ଦ୍ଧନ
ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ । ସ୍ଥିତି ହେଉଛି ବେକାବୁ । ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଦେଶରେ ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି । ଗୁରୁବାର ଅନୁଷ୍ଠିତ ମନ୍ତ୍ରିସ୍ତରୀୟ ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କିଛି ଅଞ୍ଚଳରେ ଲୋକାଲ କରୋନା କେସ ବଢିଥିବା ଜଣାଯାଇଛି । କିନ୍ତୁ ଦେଶସ୍ତରରେ ଏଯାଏଁ କମ୍ୟୁନିଟି ସଂକ୍ରମଣ ହୋଇନାହିଁ । ସଂକ୍ରମଣ ନେଇ କିଛି ବିଶେଷଜ୍ଞଙ୍କ ଗବେଷଣାରୁ ଏହା ଜଣାପଡ଼ିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି । ପ୍ରକାଶ ଯେ, ଗତ ୨୪ ଘଣ୍ଟାରେ ଦେଶରେ ୪୮୭ ମୃତ ଓ ୨୪ ହଜାର ୮ଶହ ୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୃତ୍ୟୁ ସଂଖ୍ୟା ୨୧ ହଜାର ୧୨୯କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୭ ହଜାର ୨୨୯କୁ ଛୁଇଁଛି । ସେହିପରି ୨ଲ କ୍ଷ ୬୯ ହଜାର ୭୮୯ ଆକ୍ଟିଭ କେସ ରହିଛି । ୪ଲକ୍ଷ ୭୬ ହଜାର ୩୭୮ ଜଣ ସୁସ୍ଥ ହୋଇଛନ୍ତି ।


