ଗ୍ରହଦୋଷ ଖଣ୍ଡନ ପାଇଁ ହେଲା କୁକୁର ବାହାଘର
କୁକୁର ବିବାହ କଥା ଶୁଣିଲେ କଥାଟା ଟିକେ ଅଡୁଆ ଲାଗୁଛି ସତ । ହେଲେ ନିକଟରେ ବାରାଣସୀରେ ଏମିତି ଏକ ବିବାହ ଦେଖିବାକୁ ମିଳିଛି । ଆଲ୍ଲାହାବାଦ ବା ପ୍ରୟାଗରାଜଠାରୁ ୫୦ କିଲୋମିଟର ଦୂର କୋରାଓ ଗାଁରେ ଦେଖିବାକୁ ମିଳିଛି ଏହି ନିଆରା ବିବାହ । ସମସ୍ତ ହିନ୍ଦୁ ବୈଦିକ ରୀତିନୀତି ଅନୁଯାୟୀ ଏଠାରେ ଏକ ପୁରୁଷ କୁକୁର ସହ ଏକ ସ୍ତ୍ରୀ ପ୍ରଜାତିର କୁକୁରର ବିବାହ କରାଯାଇଛି । ତେବେ ଏହି ବିବାହ ପାଇଁ କାର୍ଡ ଛପାଯିବା ସହ ଏହି ବିବାହରେ ବନ୍ଧୁବାନ୍ଧବ ଯଥାରୀତି ଯୋଗ ଦେଇଥିଲେ । ଏମିତିକି ବରଯାତ୍ରୀ ପ୍ରସେଶନରେ ଯିବା ସହ ଲୋକେ ନାଚି ଗାଇ ଆନନ୍ଦ ନେଇଥିଲେ । ଏହା ପରେ ଏକ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା । ଠିକ୍ ମଣିଷଙ୍କ ଭଳି କୁକୁର ୨ଟିଙ୍କୁ ସଜାଇ ଦେଇ ବିବାହ ମଣ୍ଡପକୁ ନିଆଯାଇଥିଲା । ଆଉ ବିବାହ ପରେ ଏମାନଙ୍କୁ ବିଦାୟୀ ମଧ୍ୟ ଦିଆଯାଇଥିଲା । ଲୋକଙ୍କ ମତରେ ଏମିତି ବିବାହ କଲେ ଗ୍ରହ ଦୋଷ ଖଣ୍ଡନ ହୋଇଥାଏ । ଆଉ ଯେଉଁ ପରିବାର ଏହି କୁକୁର ବିବାହ କରିଥାଆନ୍ତି ସେମାନଙ୍କ ଘରେ ଯାହାର କୁଣ୍ଡଳୀ ଦୋଷ ଥାଏ ତାହା ମଧ୍ୟ ଖଣ୍ଡନ ହୋଇଥାଏ । ଆଉ ସେହି ଘରେ ଥିବା ଅବିବାହିତ ଯୁବତୀ ଯୁବକଙ୍କର ଶୀଘ୍ର ବିବାହ ହେବା ସହ ସୁଖମୟ ଦାମ୍ପତ୍ୟ ଜୀବନ ଆରମ୍ଭ ହୋଇଥାଏ ।